Odiapua.com

୫ମ ଜିଲ୍ଲା ପରିଷଦ ଓ ଜିଲ୍ଲା ଯୋଜନା ବୋର୍ଡ଼ ବୈଠକ, ଜଳସେଚନ ଓ ରବି ଫସଲ ବୃଦ୍ଧି ଉପରେ ଗୁରୁତ୍ୱାରୋପ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ନୂତନ ପ୍ରସ୍ତାବ, ଜନପ୍ରତିନିଧିମାନଙ୍କ ଦାବୀ, ଅଭିଯୋଗ, ଧାର୍ଯ୍ୟ ଲକ୍ଷ୍ୟ ପୂରଣ, ବାଦ୍ ପଡ଼ିଯାଉଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରାଯିବା, ଯୋଜନା ପାଇଁ ଅନୁଦାନ, ବିଭିନ୍ନ ସମସ୍ୟା ଆଦି ସମ୍ବନ୍ଧରେ ସମୀକ୍ଷା, ଆଲୋଚନା, ମତାମତ, ନିଷ୍ପତ୍ତି ଅନୁମୋଦନ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପରିଷଦର ୫ମ ବୈଠକ ଓ ଜିଲ୍ଲା ଯୋଜନା ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ଼ ବୈଠକ ଓ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ବୈଠକ ମିଳିତ ଭାବେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ୍‌, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପି.ଡ଼ି. ଡୁଡ଼ା ମାନସ ରଞ୍ଜନ ରାୟ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତଙ୍କ ଦ୍ୱାରା ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ମହେଶ ସ୍ୱାଇଁ ୨୦୨୨-୨୩ ଓ ୨୦୨୩-୨୪ ବର୍ଷ ପାଇଁ ଜିଲ୍ଲାର ବାର୍ଷିକ ଯୋଜନା ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ । ବିଗତ ବର୍ଷର ବିଭିନ୍ନ ବିଭାଗ ପାଇଁ ଅନୁଦାନ ଓ ବ୍ୟୟ ସହିତ ଆଗାମୀ ବର୍ଷ ପାଇଁ ପ୍ରସ୍ତାବିତ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।ବର୍ଷେ ଦୁଇବର୍ଷ ପାଇଁ ନୁହେଁ ୧୫-୨୦ ବର୍ଷ ଆଗକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କଲେ ଯାଇ ଜିଲ୍ଲାର ପ୍ରକୃତ ବିକାଶ ହୋଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାୟ ପ୍ରକାଶ କରିଥିଲେ । ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନାର ସଫଳତା ପହଞ୍ଚାଇବା ଦିଗରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି କାର୍ଯ୍ୟ କରିବାକୁ ସେ ପରାମର୍ଶ ପ୍ରଦାନ କରିଥିଲେ ।

କୃଷି ପ୍ରଧାନ ଜିଲ୍ଲା ଭଦ୍ରକର ମୁଖ୍ୟ ଜୀବନ ଜୀବିକା କୃଷିହେଲେ ବି ଜଳସେଚନ ଓ ରବିଚାଷ ଉପରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ସରକାରଙ୍କ ମୁଖ୍ୟଲକ୍ଷ୍ୟ କୃଷକର ଆୟ ଦୁଇଗୁଣା କରାଯିବା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ସାମଲ ବୈଠକରେ ପ୍ରକାଶ କରିଥିଲେ । ଜିଲ୍ଲାରେ ସଂପୃକ୍ତ ବିଭାଗ ଦ୍ୱାରା ବନ୍ଧବାଡ଼, ରାସ୍ତା, ବନ୍ୟା ନିୟନ୍ତ୍ରଣ ପାଇଁ କେବଳ କାର୍ଯ୍ୟ ଚାଲିଛି, ଜଳସେଚନ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏଥିପାଇଁ ପ୍ରସ୍ତାବ ପ୍ରଦାନ କରିବାକୁ ନିର୍ଦ୍ଦେଶ ପ୍ରଦାନ କାଯାଇଥିଲା । କୃଷି ବିଭାଗଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ୧,୭୪,୦୦୦ ହେକ୍ଟର ଜମିରେ ଖରିଫ୍ ଚାଷ ହେଉଥିଲା ବେଳ ମାତ୍ର ୩୫,୦୦୦ ହେକ୍ଟର ଜମିରେ ରବିଚାଷ ହେଉଛି । ଜଳସେଚନ ଅଭାବରୁ ବନ୍ୟାରେ ଫସଲ ଧୋଇ ଯାଉଥିବା ଅଞ୍ଚଳରେ ବି ରବି ଫସଲ ହୋଇପାରୁନଥିବା ପ୍ରକାଶ ପାଇଥିଲା । ବିଭାଗୀୟ ସୂଚନା ଅନୁଯାୟୀ ଜିଲ୍ଲାରେ ୨୦୦ ହେକ୍ଟର ଜମିରେ ମିଲେଟ୍ ଚାଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ଥିଲାବେଳେ ବନ୍ତ ବ୍ଲକ୍‌ରେ ପ୍ରଥମେ ଆରମ୍ଭ କରାଯାଇ ୯୦ ହେକ୍ଟର ଜମିରେ ଏହି ଚାଷ କରାଯାଇଛି । ଗତ ଋତୁରେ ସୂର୍ଯ୍ୟମୁଖୀ ଫସଲରୁ ୧ କ୍ୱିଣ୍ଟାଲ ମଞ୍ଜି ନାଫେଡ଼୍ ଜରିଆରେ ବିକ୍ରି କରାଯାଇଛି । ଆସନ୍ତା ରବିରେ ୨୩ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ପାଇଁ ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ପ୍ରକାଶ କରାଯାଇଥିଲା । ଆର.ଡ଼ି. ଓ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅନେକ ରାସ୍ତାର ଅବସ୍ଥା ଶୋଚନୀୟ । ଅନେକ ରାସ୍ତାକାମ ଅଧାପନ୍ତରିଆ ନେଇ ଜନ ପ୍ରତିନିଧି ମାନଙ୍କ ଅଭିଯୋଗ ଆଧାରରେ ରାସ୍ତା ପାଇଁ ଜମି ସମସ୍ୟା, ଠିକାଦାର ମନମାନୀ ସମସ୍ୟା, ଜଳ ପ୍ଲାବନ ଅଞ୍ଚଳରେ ପିଚୁନୁହେଁ ପକ୍କା ରାସ୍ତା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସଂପୃକ୍ତ ଯନ୍ତ୍ରୀ ମାନଙ୍କୁ ଆବଶ୍ୟକମତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଇଁ ନୂଆ ଡାକ୍ତର ନିଯୁକ୍ତି ମିଳିଥିଲେ ବି ଉଚ୍ଚଶିକ୍ଷା ପାଇଁ ଯୋଗଦାନ ପରେ ଛୁଟିରେ ପଳାଇ ଯାଉଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ଜିଲ୍ଲାରେ ଥିବା ୭ଟି ସି.ଏଚ୍‌.ସି. ଓ ୫୨ ଟି ପି.ଏଚ୍‌.ସି. ପାଇଁ ଅଦ୍ୟାବଧି ଡାକ୍ତର ଅଭାବ ଜନିତ ସମସ୍ୟା ଲାଗିରହିଥିବା ବୈଠକରେ ପ୍ରକାଶ ପାଇଥିଲା । ସାଂସଦଙ୍କ ପାଣ୍ଠିରୁ ପ୍ରଦତ୍ତ ଅନୁଦାନର ବ୍ୟୟ ଓ ବ୍ୟାୟ ଜନିତ ବିନିଯୋଗ ପ୍ରମାଣ ପତ୍ର ଯଥାଶୀଘ୍ର ପ୍ରଦାନ କରିବାକୁ ବୈଠକରେ ଉପସ୍ଥିତ ସମସ୍ତ ବି.ଡ଼ି.ଓ.ଙ୍କୁ ସାଂସଦ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଭଦ୍ରକ ଓ ବାଲିମୁଣ୍ଡା ଗ୍ରୀଡ଼ ସହିତ ଭଣ୍ଡାରିପୋଖରୀରେ ନିର୍ମାଣାଧୀନ ଗ୍ରୀଡ଼୍ ସମ୍ପୂର୍ଣ୍ଣ ହେଲାପରେ ଜିଲ୍ଲାରେ ଗ୍ରୀଡ଼ ଜନିତ ବିଦ୍ୟୁତ ସମସ୍ୟା ରହିବ ନାହିଁ ।

ମାତ୍ର ଉଭର ଲୋଡ଼୍ ଟ୍ରାନସଫରମର ପରିବର୍ତ୍ତନ କରାଯାଇ ପାରିନଥିବାରୁ ବଶେଷକରି ଗ୍ରାମାଞ୍ଚଳରେ ଲୋ ଭୋଲଟେଜ୍ ସମସ୍ୟା ଲାଗିରହୁଥିବା ନେଇ ନିଜେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାୟ ଅଭିଯୋଗ ଆଣିଥିଲେ । ପୁଣି ଗୋଟିଏ ବି ଘର ବିଜୁଳି ଯୋଗାଣରୁ ବାଦ୍ ନ ପଡ଼ିବା ନେଇ ସରକାରଙ୍କ ଆଭିମୁଖ୍ୟ ସମ୍ବନ୍ଧରେ ଉତ୍‌ଥାପନ କରି ବିଜୁ ସହରାଞ୍ଚଳ ବିଦ୍ୟୁତ୍ ଯୋଜନା ଓ ଗ୍ରାମାଞ୍ଚଳରେ ବିଜୁ ଜ୍ୟୋତି ଯୋଜନାର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯାଇ ସେ ଦିଗରେ ଜନପ୍ରତିନିଧି ଓ ବ୍ଲକ୍ ମାନଙ୍କଠାରୁ ଆସିଥିବା ତାଲିକା ଅନୁଯାୟୀ ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ବୈଠକରେ ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ କି ଯେଉଁ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ନାହିଁ ଏବଂ ଯେଉଁମାନେ ବିଜୁଳି ସଂଯୋଗରୁ ବଞ୍ôଚତ ଅଛନ୍ତି ସେମାନଙ୍କୁ ଏହି ଯୋଜନାରେ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । ପନିପରିବା ଚାଷ କ୍ଷେତ୍ରରେ ଭଦ୍ରକ ବ୍ଲକ୍‌ରେ ସରକାରୀ ସହାୟତା ପ୍ରଦାନ, ବିଦ୍ୟୁତ ସମସ୍ୟା ଆଦି ସମ୍ବନ୍ଧରେ ଭଦ୍ରକ ବିଧାୟକ ସମୀକ୍ଷା କରିବା ସହ ଜିଲ୍ଲା ପରିଷଦର ବୈଠକରେ ସଦସ୍ୟ ମାନଙ୍କ ପାଇଁ ବର୍ତ୍ତମାନର ସମ୍ମିଳନୀ କକ୍ଷରେ ସ୍ଥାନାଭାବ ହେଉଥିବାରୁ ନୂଆ ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ । ମଲ୍ଲି ମାହାରା ଓ ଗୌରାଙ୍ଗ ଏସ୍‌କେଯର ଉଚ୍ଚତା ବୃଦ୍ଧି ପାଇଁ ଧାମନଗର ବିଧାୟକ ପ୍ରସ୍ତାବ ରଖିଥିଲେ । ଲାଙ୍ଗୁଡ଼ି, ହରିପୁର ଠାରେ ଥିବା ନାଳିଆନଦୀର ଗଣ୍ଡ, ପ୍ରକଳ୍ପ ନିର୍ମାଣ ପାଇଁ ବନ୍ତ ବ୍ଲକ୍‌ରେ ଥିବାଗୋଚର, କେନାଲ, ଗ୍ରାମ୍ୟଜଙ୍ଗଲ ଓ ଆଡ଼ିବନ୍ଧ କିସମ ଜମି, ଏନ୍‌.ଆର.ଇ.ଜି.ଏସ୍‌.ରେ ଶ୍ରମିକ ମାନଙ୍କ ପ୍ରଦତ୍ତ ଆକାଉଣ୍ଟରେ ଅର୍ଥ ପ୍ରଦାନ ନଯାଇ ସେମାନଙ୍କ ନାମରେ ଥିବା ଅନ୍ୟ ଆକାଉଣ୍ଟକୁ ଅର୍ଥ ପ୍ରେରଣ, କେନାଲ ପୋତି ହୋଇଯାଇଥିବା ଆଦି ସମସ୍ୟା ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ସମସ୍ତ ବ୍ଲକ୍‌, ମ୍ୟୁନିସିପାଲିଟିର ଅଧ୍ୟକ୍ଷା, ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ ।