Odiapua.com

୫ବର୍ଷ ଧରି ବନ୍ଦ କୋଠରୀରେ ହରେକୃଷ୍ଣ

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ୫ବର୍ଷ ହେଲା ଏକ ବନ୍ଦ କୋଠରୀରେ ବନ୍ଦୀ ଜୀବନ ବିତାଉଛନ୍ତି ହରେକୃଷ୍ଣ ମଲିକ । ଭଦ୍ରକ ବ୍ଳକ ଗୋରାମାଟି ପଞ୍ଚାୟତର ଚକପୁର ଗ୍ରାମର ହରେକୃଷ୍ଣଙ୍କ ବୟସ ଏବେ ୪୮ । ପରିବାର ଲୋକେ ତାଙ୍କୁ ଏକ ଘରେ ରଖି ତାଲା ପକାଇ ରଖିଛନ୍ତି । କାରଣ ୫ବର୍ଷ ପୂର୍ବେ ହରେକୃଷ୍ଣଙ୍କ ବ୍ୟବହାରିକ ପରିବର୍ତ୍ତନ ଦେଖା ଦେଇଥିଲା । ସେ କଥା କଥାକେ ହିଂସ୍ର ହୋଇ ଉଠୁଥିଲେ । ବାଟରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିବା, ଘରର ସମ୍ପତ୍ତି ଭାଙ୍ଗି ନଷ୍ଟ କରିବା, ସାଧାରଣରେ କୁଭାଷା ପ୍ରୟୋଗ କରିବା ତାଙ୍କ ସାଧାରଣ ବ୍ୟବହାରରେ ପରିଣତ ହୋଇଥିଲା । ତେଣୁ ବାଧ୍ୟ ହେଇ ତାଙ୍କୁ ଏକ ଘରେ ବନ୍ଦୀ ଅବସ୍ଥାରେ ରଖାଯାଇଛି ବୋଲି କୁହନ୍ତି ହରେକୃଷ୍ଣଙ୍କ ପତ୍ନୀ ଅନ୍ନପୂର୍ଣ୍ଣା । ସେଇ ବନ୍ଦ କୋଠରୀରେ ଝାଡ଼ା ପରିସ୍ରା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ କିଛି କରିବାକୁ ପଡ଼ୁଛି । ହରେକୃଷ୍ଣଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅ ଅଳ୍ପ ପାଠ ପଢ଼ିଛି । କିନ୍ତୁ ପରିବାରର ଆର୍ଥୀକ ସ୍ଥିତି ପାଇଁ ଏବେ ତାମିଲନାଡ଼ୁର ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟରତ । ସେ ଯାହା କିଛି ପଇସା ପଠାନ୍ତି, ସେତିକିରେ ଘର ଚଳେ । ତେଣୁ ଓଳିଏ ଚୁଲି ଲାଗିଲେ, ଆର ଓଳିକି ଜଳେ ନାହିଁ ବୋଲି କହିଛନ୍ତି ଅନ୍ନପୂର୍ଣ୍ଣ । ସେହିପରି ବୟସ ବଢ଼ୁଥିବାରୁ ଝିଅର ବିବାହ ଚିନ୍ତା ମଧ୍ୟ ଘାରିଛି ତାଙ୍କୁ । ଏପରି ସ୍ଥିତିରେ ସେମାନେ ଏବେ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି । ତେବେ ଇତିମଧ୍ୟରେ ହରେକୃଷ୍ଣଙ୍କୁ ଭଲ କରିବା ପାଇଁ ଅନ୍ନପୂର୍ଣ୍ଣ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଡାକ୍ତର ପରାମର୍ଶ ଓ ଔଷଧ କିଣିବାକୁ ଯାଇ ନିଜର ସମସ୍ତ ଅଳଙ୍କାର ବିକି ସାରିଛନ୍ତି । ଏପରିକି ତାଙ୍କର ଅଳ୍ପ କିଛି ଜମିବାଡ଼ି ମଧ୍ୟ ଏବେ ଆଉ ନାହିଁ । ବିକ୍ରି ସରିଛି । ଚିକିତ୍ସା ବାବଦରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସେ ଖର୍ଚ୍ଚ କଲେଣି । କିନ୍ତୁ ଏଯାଏଁ କିଛି ସୁଫଳ ସେ ପାଇ ନାହାନ୍ତି । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ବହୁ ଅର୍ଥର ଆବଶ୍ୟକତା ରହିଛି । ନିୟମିତ ଔଷଧ ସେବନ ଓ ବ୍ୟୟବହୁଳ ଚିକିତ୍ସା ଦ୍ୱାରା ସେ ଭଲ ହୋଇ ପାରିବେ ବୋଲି ଡାକ୍ତର କହୁଛନ୍ତି । କିନ୍ତୁ ଅନ୍ନପୂର୍ଣ୍ଣାଙ୍କ ନିକଟରେ ସେତିକି ପରିମାଣର ଅର୍ଥ ନାହିଁ । ତେଣୁ ସମ୍ପୂର୍ଣ୍ଣ ପରିବାର ଏବେ ଅସହାୟ ହୋଇପଡ଼ିଛନ୍ତି । ଏପରିପ୍ରେକ୍ଷୀରେ ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନା ହରେକୃଷ୍ଣଙ୍କ ପରିବାର ପାଇଁ ମୂଲ୍ୟହୀନ ହୋଇପଡ଼ିଛି । ତେବେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।