Odiapua.com

୫ଦିନିଆ ବିଦେଶ ଗସ୍ତର ଚତୁର୍ଥ ଦିନରେ ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀର ମୁଖ୍ୟଙ୍କ ସହ ଆଲୋଚନା ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ – ଧର୍ମେନ୍ଦ୍ର ପ୍ରଧାନ

– ଭାରତୀୟ ଇସ୍ପାତ୍ ଶିଳ୍ପକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ
– ଡେଡୋ, ନିପ୍ପାନ ଏବଂ ଜେଏଫ୍ଇ ଇସ୍ପାତ୍ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନା
– ନିପ୍ପାନ୍ ଇସ୍ପାତ୍ କମ୍ପାନୀକୁ ଭାରତରେ ପୁଞ୍ଜିନିବେଶ ସହ ଭାରତରେ ଜେଏଫ୍ଇ ଇସ୍ପାତ୍ ଶିଳ୍ପର ସଂପ୍ରସାରଣ ପାଇଁ ନିମନ୍ତ୍ରଣ

ଜାପାନ/ଭୁବନେଶ୍ୱର, ଅକ୍ଟୋବର ୨୫ (ଓଡ଼ିଆ ପୁଅ) – ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ ବୋଲି ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଜାପାନର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଭେଟି ବ୍ୟବସାୟିକ ସମ୍ଭାବନା ଦିଗରେ ଆଲୋଚନା କରିବା ପରେ କହିଛନ୍ତି। ଏହାସହ ଶ୍ରୀ ପ୍ରଧାନ ଭାରତୀୟ ଇସ୍ପାତ ଶିଳ୍ପକୁ ଅଧିକ ସୁଦୃଢ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଡେଡୋ, ନିପ୍ପାନ ଏବଂ ଜେଏଫ୍ଇ ଓ ବିଭିନ୍ନ ଇସ୍ପାତ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନାକାଳରେ ଶ୍ରୀ ପ୍ରଧାନ ନିକଟରେ ଭାରତ ସରକାରଙ୍କ କର୍ପୋରେଟ୍ ଟିକସ ହାର ହ୍ରାସ ପଦକ୍ଷେପ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଉନ୍ନତି ତଥା ଭାରତରେ ବ୍ୟବସାୟ ଓ ପୁଞ୍ଜିନିବେଶ କରିବା କିପରି ନୂତନ କମ୍ପାନୀ ଓ ନୂଆ ପୁଞ୍ଜିନିବେଶକାରୀଙ୍କୁ ସହାୟକ ହୋଇଛି ତା’ ଉପରେ ଚର୍ଚ୍ଚା କରିଥିଲେ।

ଶ୍ରୀ ପ୍ରଧାନ ଡେଡୋ ଇସ୍ପାତ କମ୍ପାନୀର ପ୍ରତିନିଧିଙ୍କୁ ସାକ୍ଷାତ୍ କରି ଭାରତୀୟ ଇସ୍ପାତ ଶିଳ୍ପକୁ ଆହୁରି ମଜବୁତ୍ କରିବା ତଥା ବିଶେଷ ଭାବରେ ଟେକ୍ନୋଲୋଜି ହସ୍ତାନ୍ତରଣ ଏବଂ ଇସ୍ପାତ୍ ଉତ୍ପାଦନର ଦର ଉପରେ ଗୁରୁତ୍ୱାରୋପ କରିଥିଲେ। ଡେଡୋ ବିଶ୍ୱର ବୃହତମ ସ୍ୱତନ୍ତ୍ର ଇସ୍ପାତ୍ ତିଆରି କରିବା କମ୍ପାନୀ ଗୁଡିକ ମଧ୍ୟରେ ଅନ୍ୟତମ। ଏହା ଉଚ୍ଚକୋଟୀର ସାମଗ୍ରୀ, ଚୁମ୍ବକୀୟ ସାମଗ୍ରୀ, ଅଟୋମୋବାଇଲ୍ ଉଦ୍ୟୋଗ ଏବଂ ଶିଳ୍ପଭିତିକ ଉପକରଣର ମଧ୍ୟ କାରବାର କରେ। ବିଭିନ୍ନ ସହଯୋଗୀ କମ୍ପାନୀ ଏବଂ ଯୁଗ୍ମ ଭେନଚରସ୍ କାରଣରୁ ଡେଡୋ ଇସ୍ପାତର ସ୍ଥିତି ଭାରତରେ ଭଲ ରହିଛି।

ସେହପରି ନିପ୍ପାନ୍ ଇସ୍ପାତ୍ ଉଦ୍ୟୋଗର ବିଶ୍ୱ ବ୍ୟବସାୟିକ ବିକାଶ ଦଳର କାଟସୁହିରୋ ମିଆମୋଟୋ ଏବଂ ତାଇସୁକ୍ ନୋମୁରାଙ୍କୁ ଭେଟିଛନ୍ତି ଶ୍ରୀ ପ୍ରଧାନ। ଗତିଶୀଳ ଅର୍ଥବ୍ୟବସ୍ଥା ଏବଂ ଇସ୍ପାତ୍ ବ୍ୟବହାର ସହ ଭାରତରେ ବଡ ବଜାର ରହିଛି। ନିପ୍ପାନ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛା ରଖିଛି। ମୋଦି ସରକାରଙ୍କ ଦୂରଦୃଷ୍ଟିରେ ନୂଆ ଭାରତ ନିର୍ମାଣ ତଥା ଭାରତର ବିକାଶରେ ନିଜର ଉପସ୍ଥିତିକୁ ଜାହିର୍ କରିବା ପାଇଁ ଭାରତରେ ପୁଞ୍ଜିନିବେଶ ପାଇଁ ଶ୍ରୀ ପ୍ରଧାନ ନିପ୍ପାନ କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି। ନିପ୍ପାନ୍ ବିଶ୍ୱର ବୃହତମ ଇସ୍ପାତ୍ ନିର୍ମାଣକାରୀ ମାନଙ୍କ କମ୍ପାନୀ ମଧ୍ୟରୁ ଅନ୍ୟତମ। ଏହା ନିର୍ମାଣ କ୍ଷେତ୍ର, ଅଟୋମୋବାଇଲ ଉଦ୍ୟୋଗ, ଲୋକୋମୋଟିଭ୍ ଏବଂ ଜାହାଜନିର୍ମାଣ ପାଇଁ ଇସ୍ପାତ ଯୋଗାଇଥାଏ।

ଏତଦବ୍ୟତିତ ଶ୍ରୀ ପ୍ରଧାନ ଜାପାନର ଜେଏଫ୍ଇ ଇସ୍ପାତ୍ର ଉପସଭାପତି ମାସାୟୁକି ହିରୋଜ୍ଙ୍କୁ ଭେଟିଛନ୍ତି। ଭାରତୀୟ ଇସ୍ପାତ୍ କ୍ଷେତ୍ର ସହ ଜେଇଏଫ ଦୀର୍ଘକାଳୀନ ସହଯୋଗୀ ହୋଇଥିବା ବେଳେ ଏହି କମ୍ପାନୀ ଭାରତରେ ନିଜ ଉଦ୍ୟୋଗର ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ ଅଛି। ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉକୃଷ୍ଟ ସ୍ଥାନ ହୋଇଥିବା ବେଳେ ବୃହତ ବଜାର, ଚାହିଦା ଏବଂ ଅନୁକୂଳଯୁକ୍ତ ବ୍ୟବସାୟିକ ପରିବେଶ ହୋଇଥିବାରୁ ଶ୍ରୀ ପ୍ରଧାନ ଭାରତରେ ଜେଇଏଫର ଇସ୍ପାତ ବୃଦ୍ଧି କରିବା ପାଇଁ ଜେଏଫ୍ଇ ଇସ୍ପାତ୍ର ଉପସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶ୍ୱର ଇସ୍ପାତ୍ ନିର୍ମାଣକାରୀ କମ୍ପାନୀମାନଙ୍କ ମଧ୍ୟରୁ ଜେଇଏଫ କମ୍ପାନୀ ଅନ୍ୟତମ ହୋଇଥିବା ବେଳେ ଏହା ଇସ୍ପାତ୍ ଶିଳ୍ପ ପାଇଁ ପରିବେଶ ସହଯୋଗୀ ନୂଆ ଟେକ୍ନୋଲୋଜିର ବିକାଶ କରୁଅଛି।