Odiapua.com

୫ଟି ବିଭାଗର ସମନ୍ୱୟରେ ମେଗା ପ୍ରକଳ୍ପ ପାଇଁ ଆର୍‌.ଡ଼ି.ସି.ଙ୍କ ନିର୍ଦ୍ଦେଶ

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡ଼. ସୁରେଶ ଚନ୍ଦ୍ର ଦଳାଇ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାସ୍ତରୀୟ ପ୍ରଶାସନିକ ବୈଠକରେ ଯୋଗ ଦେଇ ସରକାରୀ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅଣ୍ଡର ସେକ୍ରେଟେରୀ ନିତିଶ୍ ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏବଂ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମ୍ୟ ଜଳଯୋଗାଣ, ଜନସ୍ୱାସ୍ଥ୍ୟ, ଜିଲ୍ଲାର ୪ଟି ପୌରାପରିଷଦ, କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ଚିକିତ୍ସା, ମୃତ୍ତିକା ସଂରକ୍ଷଣ, ସାଳନ୍ଦୀ ଜଳ ସେଚନ, ଆର୍‌.ଡ଼ି. ୧ ଏବଂ ୨ ପୂର୍ତ୍ତ, ସାମାଜିକ ସୁରକ୍ଷା, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ବିଭାଗର କାର୍ଯ୍ୟଧାରା, ପ୍ରକଳ୍ପ ନିର୍ମାଣ ନେଇ ଅଟକଳ ଓ ସ୍ଥିତାବସ୍ଥା, ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ପଦକ୍ଷେପ ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଜୀବନ ଜୀବିକା ଆଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖୁଥିବା କୃଷି, ମତ୍ସ୍ୟ, ଉଦ୍ୟାନ, ପ୍ରାଣୀ ଚିକିତ୍ସା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଓ ହେବାକୁ ଥିବା ପ୍ରକଳ୍ପ ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ସମୀକ୍ଷା ଅବସରରେ ଅନ୍ୟ ଜିଲ୍ଲା ପରି ବୃହତ୍ ମେଗା ପ୍ରକଳ୍ପ ନଥିବାର ସେ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନେତୃତ୍ୱରେ ଉକ୍ତ ସଂପୃକ୍ତ ୫ଟି ବିଭାଗର ସମନ୍ୱୟରେ ସମନ୍ୱିତ କୃଷି ଯୋଜନାରେ ଜିଲା୍ଲରେ ଅତିକମ୍‌ରେ ୨ଟି ଆଖିଦୃଶିଆ ବୃହତ୍ ଓ ଆଦର୍ଶ ମେଗା ପ୍ରକଳ୍ପ କରାଯିବା ପାଇଁ ପଦକ୍ଷେପ ନେବାକୁ ଆର୍‌.ଡ଼ି.ସି. ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପାଇପ୍ ଦ୍ୱାରା ଜଳ ଯୋଗାଣ ନେଇ ଜିଲ୍ଲାରେ ସମ୍ପୁର୍ଣ୍ଣ ହେବାକୁ ଯାଉଥିବା ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ବନ୍ଧରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ସୂଚନା ଯୋଗ୍ୟ କି ଭଣ୍ଡାରିପୋଖରୀ ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚୟାତର ୧୫, ୦୮୪ ଘର ର ୧, ୦୦, ୫୫୧ ଲୋକଙ୍କ ପାଇଁ ୬୯.୯୯ କୋଟି ଟଙ୍କାର ମେଗା ଜଳ ଯୋଗାଣ ପ୍ରକଳ୍ପ ୩୧-୧୨-୨୨ ମଧ୍ୟରେ ଶେଷ ହେବ। ଚେନ୍ନାଇ ର ଏଲ୍ ଆଣ୍ଡ.ଟି ଦ୍ୱାରା ନିର୍ମାଣାଧୀନ ଏହି ପ୍ରକଳ୍ପ ପାଇଁ ଅଦ୍ୟାବଧି ୬୧.୩୯ କୋଟି ବ୍ୟୟ ହୋଇ ସାରିଥିଲା ବେଳେ ୧୦, ୬୯୩ ଘର ପାଇଁ କାର୍ଯ୍ୟ ସରିଛି। ସେହିପରି ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି ଓ ଧାମନଗର ବ୍ଲକ୍‌ର ୯୧ଟି ଲୁଣି ପ୍ରଭାବିତ ଗ୍ରା.ପ. ପାଇଁ ୮୯୨.୧୪ କୋଟି ଟଙ୍କାର ନର୍ମାଣାଧୀନ ପ୍ରକଳ୍ପ ୨୮.୨.୨୩ ସୁଦ୍ଧା ସରିବା କାର୍ଯ୍ୟ ଧାର୍ଯ୍ୟ ହୋଇଛି। ୫୨୬ ଗ୍ରାମର ୬, ୧୬, ୮୨୧ ଲୋକଙ୍କ ପାଇଁ ୧, ୩୩, ୪୮୪ ଘରକୁ ଜଳ ଯୋଗାଣ ଲକ୍ଷ୍ୟ ଥିବା ଏହି ପ୍ରକଳ୍ପ ପାଇଁ ଅଦ୍ୟାବଧି ୭୨୫.୮୭ କୋଟି ବ୍ୟୟ ହୋଇସାରିଛି।

ନାବାର୍ଡ଼ ର ପୃଷ୍ଠ ପୋଷକତାରେ ନିର୍ମିତ ଏଡି ପ୍ରକଳ୍ପ ପାଇଁ ଏଗ୍ରିମେଣ୍ଟ ମୂଲ୍ୟ ଅଛି ୭୫୪ କୋଟି। ପୌର ପରିଷଦ ଗୁଡ଼ିକର ମୁକ୍ତା ଯୋଜନା, ପାର୍କ, ଖେଳପଡ଼ିଆ, ବର୍ଷାଜଳ ଅମଳ ପ୍ରକଳ୍ପ, ମିଶନ ଶକ୍ତି ଗୃହ, ଆହାର କେନ୍ଦ୍ର, ମୋ ଖତ ଆଦି ଯୋଜନାରେ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରିଥିଲେ ଏବଂ ବକେୟା ଥିବା ହୋଲଡ଼ିଂ ଟ୍ୟାକ୍ସ ଆଦାୟ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ରୋଗୀଙ୍କ ସଂଖ୍ୟା ଅନୁଯାୟୀ ଡ଼ାକ୍ତର ଓ ନର୍ସ ଅଭାବ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ବିଭାଗର ଅଧିକାରୀମାନେ ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯିବାକୁ ଡ଼.ଇ.ଓ.ଙ୍କୁ କହିଥିଲେ। ସମୀକ୍ଷା ବୈଠକରେ ଯୋଗ ଦେବା ପୂର୍ବରୁ ଅଚାନକ ଭଦ୍ରକ ଜିଲ୍ଲା ସ୍କୁଲ ପରିଦର୍ଶନ କରିଥିଲେ। ପ୍ରଶାସନିକ ବୈଠକ ପରେ ତହସିଲଦାର, ଅତିରିକ୍ତ ତହସିଲଦାର ମାନଙ୍କୁ ନେଇ ରାଜସ୍ୱ କାର୍ଯ୍ୟ ପରିଚାଳନା ନେଇ ସମୀକ୍ଷା କରିଥିଲେ। ଅପରାହ୍ନରେ ଇନ୍‌ଡ଼ୋର ଷ୍ଟାଡ଼ିୟମ, ବାଗୁରାଇ, ସ୍ପେଶାଲ ସରକ୍ୟୁଟ୍ ହାଉସ୍‌. ଆରଡ଼ି ଛକ, ନୂଆ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା, ଏବଂ ଭଣ୍ଡାରିପୋଖରୀ ମେଗା ଜଳ ଯୋଗାଣ ପ୍ରକଳ୍ପକୁ ପରିଦର୍ଶନରେ ଯାଇଥିଲେ। ଭଣ୍ଡାରିପୋଖରୀ ବ୍ୟତୀତ ଅନ୍ୟ ତିନୋଟି ସ୍ଥାନ ପରିଦର୍ଶନରେ ଆର.ଡ଼ି.ସି.ଙ୍କ ସହିତ ଜିଲ୍ଲାପାଳ ମଧ୍ୟ ଯୋଗ ଦେଇଥିଲେ।