Odiapua.com

୪ ଲକ୍ଷ ମୂଲ୍ୟର ୪୧.୫୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ୍ ନାଇଟ୍ ପାଟ୍ରୋଲିଂ କରୁଥିବାବେଳେ ଆଗରପଡା କୁଆଁସମଢିଆ ଅଂଚଳର ଜଣେ ବାଇକ୍ ଚାଳକକୁ ସନ୍ଦେହଜନକ ଭାବେ ଅଟକାଇ ତାହା ନିକଟରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିଛି। ଏ ସଂପର୍କରେ ଗ୍ରାମାଂଚଳ ଥାନାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରାଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଗ୍ରାମାଂଚଳ ଥାନା ଅଧୀନସ୍ଥ ଆଗରପଡା କୁଆଁସମଢିଆର ଜଣେ ଯୁବକ ବାଇକ୍ ଯୋଗେ ଆସୁଥିବାବେଳେ ପୁଲିସ୍ ତାକୁ ସନ୍ଦେହ କରି ଅଟକାଇଥିଲା। ପୁଲିସ୍ ଉକ୍ତ ଯୁବକକୁ ଯାଂଚ କରିବା ସମୟରେ ତାହା ନିକଟରୁ ୪୧.୫୫ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବା ସହ ମୋଟର ସାଇକେଲ୍ ଓ ଏକ ମୋବାଇଲ ଜବତ କରି ଗ୍ରାମାଂଚଳ ଥାନା କେଶ୍ ନଂ ୭୨୭, ତା ୬.୧୨.୨୪ ରିଖ ମାମଲା ରୁଜୁ କରାଯାଇ ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି। ଏବଂ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ଗଣମାଧ୍ୟମକୁ କହିଛନ୍ତି। ଜବତ ହୋଇଥିବା ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।