ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଂଚାୟତର ୨୪ ଗାଁରେ ବନ୍ୟାସ୍ଥିତି ଗମ୍ଭିର ହେବାରେ ଲାଗିଛି । ଏପରିକି ଦେଢମାସ ମଧ୍ୟରେ ବୈତରଣୀ ନଦୀରେ ପାଂଚ ପାଂଚ ଥର ବନ୍ୟା ଆସିବାରୁ ଅନେକ ବିପନ୍ନଙ୍କୁ ବେସାହାରା କରିଥିବା ବେଳେ ଚାଷୀଙ୍କର ବର୍ଷକର ଆହାର ଛଡାଇନେଇଛି। ଅନ୍ୟପଟେ ବୈତରଣୀନଦୀର ଆସୁଥିବା ବାରମ୍ବାର ବନ୍ୟାରେ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଓ ଷାଠିବାଙ୍କୁଡା ନିକଟରେ କଂକ୍ରିଟ ରାସ୍ତାର ଅନେକ ସ୍ଥାନ ପୁଣି ଧୋଇଯିବାରୁ ପୁଣି ଘାଇ ସୃଷ୍ଟି ହୋଇ ବନ୍ୟାପାଣି ଜନବସତି ଆଡ଼କୁ ମାଡ଼ି ଚାଲିଛି। ବନ୍ୟାପାଣିର ଏପରି ପ୍ରଖର ସ୍ରୋତ ରହିଛି ଯାହାକି ଗତ ୩ଦିନ ତଳେ ମରାମତି ହୋଇଥିବା ରାସ୍ତାରୁ ବାଲି ଗୋଡି ହୋଇଯିବା ସହ ନଦୀବନ୍ଧରେ ପଠାଯାଇଥିବା ଅନେକ ବାଲିବସ୍ତା ଭାସିଯାଇଛି। ଏପରିକି ଦୀର୍ଘ ଦେଢମାସ ହେବ ଆଖଣ୍ଡଳମଣି – କୁଆଖିଆ – ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅନେକ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିସରରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ଶହଶହ ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ହୋଇଯାଇଛି। ସେହିପରି ନଦୀକୂଳିଆ ଓ ତଳିଆ ଅଂଚଳରେ ଥିବା ସାହି ଓ ଘରେ ବାରମ୍ବାର ବନ୍ୟାପାଣି ପଶୁଥିବାରୁ ବହୁ ପରିବାରଙ୍କର ଦେଢ଼ମାସ ହେବ ରାଜରାସ୍ତା କଡ ଓ ନଦୀବନ୍ଧ ଆଶ୍ରୟସ୍ଥଳ ପାଲଟିଛି। ନଦୀବନ୍ଧରେ ହିଂସ୍ର କୁମ୍ଭୀର ଭୟକୁ ଗାଁ ଓ ସାହି ରାସ୍ତାରେ ବିଷଧର ସାପଙ୍କ ଭୟ ଘାରିଛି ବନ୍ୟା ବିପନ୍ନଙ୍କୁ। ଚଳିତବର୍ଷ ବନ୍ୟା ପରିସ୍ଥିତି ଏପରି ହୋଇଛି ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଖଟିଖିଆ ଦିନ ମଜୁରୀଆଙ୍କର ଆର୍ଥୀକ ସ୍ଥିତିକୁ ଦୋହଲାଇ ଦେଇଛି। ଆରଡି ନିକଟସ୍ଥ ମୁଁଆ ଓ ଡିହସାହି ଘୋଷରାରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ୨୦ରୁ ଉର୍ଦ୍ଧ ଗାଁ ସହ ତିହିଡି ବ୍ଲକର ଅନେକ ଗାଁ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ସେହିପରି ଆରଡି ବସଷ୍ଟାଣ୍ଡ, ବ୍ୟାଙ୍କ ଓ ମେଡିକାଲ ପରିସର ସହ ମୁଖ୍ୟ ପ୍ରବେଶପଥ ଓ ବାଇପାସ ରାସ୍ତାରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।