Odiapua.com

୪ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ କେଶ୍ ଶହେରୁ ତଳକୁ ଆସିଲା : ବଜାରରେ ଆଣ୍ଟିଜେନ ଟେଷ୍ଟ ଜାରି : କଚେରୀ ବଜାର ଓ ଏକତା ମାର୍କେଟ ୭୨ ଘଣ୍ଟା ଶଟଡାଉନ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଆଉ ନୂଆ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୩ରେ ପହଞ୍ଚିଛି । ତେବେ ସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁ ଏବେ ଜିଲ୍ଲାର ଆକ୍ଟିଭ କେଶ୍ ୧ଶହରୁ ତଳକୁ ଆସିଛି । ନୂଆ ୨୭ଜଣ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ୪୫୯ରେ ପହଞ୍ଚିଛି । ଏବେ ଆକ୍ଟିଭ କେଶ ୯୨ ରହିଛି । ନୂତନ ଚିହ୍ନଟ ଆକ୍ରାନ୍ତ ୪ଜଣ ସମସ୍ତେ ଲୋକାଲ କଣ୍ଟାକ୍ଟ କେଶ । ୨ଜଣ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ମଠସାହି ଗ୍ରାମର, ଜଣେ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାହାରଗଡିଆ ଗ୍ରାମର ଏବଂ ଆଉ ଜଣେ ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତ ଆଦିବାସୀ ସାହିର । ଦୃତ ସଂକ୍ରମଣକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ଅଞ୍ଚଳରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଗତକାଲି ଏକତା ମାର୍କେଟରେ କରାଯାଇଥିବା ବେଳେ ଆଜି ବନ୍ତ ଛକଠାରେ କରାଯାଇଛି । ତେବେ ଗତକାଲି ଏକତା ମାର୍କେଟରେ ମୋଟ ୩୯ଜଣଙ୍କ ସ୍ୱାବ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ପଜିଟିଭ କେଶ ବାହାରିଛି । ଯାହା ଫଳରେ ଏକତା ମାର୍କେଟ ଓ କଚେରୀବଜାରକୁ ୭୨ ଘଣ୍ଟା ପାଇଁ ଶଟଡାଉନ କରାଯାଇଛି । ଏହି କଟକଣା ଆଜି ସକାଳ ୫ଟାରୁ ଲାଗୁ ହୋଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଜି ଏହି ସବୁ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।