Odiapua.com

୪୪ ତମ ବାର୍ଷିକ ଉର୍ସ ଉତ୍ସବ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ, ଟ୍ରାଫିକ୍‌, ଅଗ୍ନି ନିରାପତ୍ତା, ଅସ୍ଥାୟୀ ଶୌଚାଳୟ ଉପରେ ଗୁରୁତ୍ୱାରୋପ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ନଭେମ୍ବର ମାସ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଧାମନଗର ସ୍ଥିତ ପୀର ବାବାଙ୍କ ସମାଧି ପୀଠରେ ପାଳିତ ହେବାକୁ ଥିବା ହୋଜୁର ମୁଜାହିଦ୍ -ଇ-ମିଲାତ୍‌, ପୀରବାବାଙ୍କ ବାର୍ଷିକ ଉର୍ସ ଉତ୍ସବ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଏ.ଏସ୍‌.ପି. ବିଜୟ ରଞ୍ଜନ କେରକେଟା, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବ ବର୍ଷପରି ଏବର୍ଷ ମଧ୍ୟ ବହୁ ଜନସମାଗମ ନେଇ ମହାସମାରୋହରେ ଏହି ଉର୍ସ ଉତ୍ସବ ପାଳନ କରାଯିବା ପାଇଁ ଉର୍ସ କମିଟିର ସମ୍ପାଦକ ମହମ୍ମଦ ଇସରାଇଲ ହବିବି ସୂଚନା ଦେବା ସହିତ ଏଥିପାଇଁ ଆବଶ୍ୟକ ପ୍ରଶାସନିକ ସହଯୋଗ ସମ୍ବନ୍ଧରେ ପ୍ରକାଶ କରିଥିଲେ । ଟୋପିୱାଲା ଟ୍ରଷ୍ଟ ଟ୍ରାଫିକ ଛକ ଓ ସାନବଜାର ଟ୍ରାଫିକ୍ ଛକରୁ ଚାଦର ଶୋଭାଯାତ୍ରାରେ ମାଇକ୍ ବନ୍ଦ ରଖିବା, ଧାମନଗର ପ୍ରଥମ ପେଟ୍ରୋଲପମ୍ପ ଛକଠାରୁ ବଡ଼ ବଜାର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଅସ୍ଥାୟୀ ଦୋକାନ ବସିବାକୁ ନଦେବା, ପାନୀୟ ଜଳ ପାଇଁ ଅଧିକ ସଂଖ୍ୟାରେ ଟ୍ୟାଙ୍କର ଯୋଗାଣ, ବସ ରହଣୀ ସ୍ଥାନ ଓ ଯାତ୍ରୀ ରହଣି ସ୍ଥାନ ଇଦ୍‌ଗା ମଇଦାନରେ ଅଧିକ ସଂଖ୍ୟାରେ ଅସ୍ଥାୟୀ କିମ୍ବା ଭ୍ରାମ୍ୟମାଣ ଶୌଚାଳୟ, ଖାନକା ପରିସର ଭିତରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍‌ସ ବ୍ୟବସ୍ଥା, ଖାନକା ପରିସର ଭିତରେ ଓ ବାହାରର ସଫେଇ, ଇଦ୍‌ଗା ରାସ୍ତା ନିର୍ମାଣ ଏବଂ ଜଗୁ ସାଗର ଘାଟର ପୂନଃ ଉଦ୍ଧାର, ଉକ୍ତ ରାସ୍ତାର ଆଲୋକି କରଣ, ଧାମନଗର ଛକରୁ ଧାମନଗର ପର୍ଯ୍ୟନ୍ତ ରାସ୍ତା ମରାମତି, ଖାନକା ପରିସରରେ ବିଦ୍ୟୁତ ଯୋଗାଣ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନସ୍‌ଫରମର, ଅବିଚ୍ଛିନ୍ନ ନେଟୱାର୍କ ବ୍ୟବସ୍ଥା, ଛୋଟ ଏବଂ ଅଳ୍ପ ମାତ୍ରାରେ ଶବ୍ଦ ବ୍ୟବସ୍ଥା, ଅସ୍ଥାୟୀ ବାଇପାସ୍ ରାସ୍ତା, ପୋଲିସ୍ ଓ ଯାତ୍ରୀ ରହଣି ପାଇଁ ଆଞ୍ଚଳିକ ସ୍କୁଲ ୨ ଦିନ ଛୁଟି କରାଯିବା ଏବଂ ରେଳଷ୍ଟେସନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅସ୍ଥାୟୀ ବିଶ୍ରାମାଗାର, ଶୌଚାଳୟ ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଓ ୨ ମିନିଟ୍ ରହଣି ସମୟକୁ ୫ ମିନିଟ୍‌କୁ ବୃଦ୍ଧି କରାଯିବା ଆଦି ସମ୍ବନ୍ଧରେ ଉପସ୍ଥାପନ କରିଥିଲେ ।

ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା, ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ କରାଯାଇଥିବା, ଖାନ୍‌କା ପୀଠର ଉନ୍ନତିକରଣ ପାଇଁ ସରକାରଙ୍କ ଅର୍ଥ ମଞ୍ଜୁରୀ ଆଦି ବିଷୟରେ ଜିଲ୍ଲାପାଳ ସୂଚନା ପ୍ରଦାନ କରି ଉର୍ସ ଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମସ୍ତ ବିଭାଗୀୟ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ । ବିଶେଷ କରି ଅସ୍ଥାୟୀ ଦୋକାନ ବସିବା ବେଳେ ଅଗ୍ନି ନିରାପତ୍ତା ଦିଗ ପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ସେ ପରାମର୍ଶ ପ୍ରଦାନ କରିଥିଲେ । ଆବଶ୍ୟକ ସୁବିଧା ସୁଯୋଗ ପାଇଁ ରେଳ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବ ବୋଲି ମଧ୍ୟ ସେ କହିଥିଲେ । ବହୁଳ ଜନ ସମାଗମ, ଯାନବାହନ ପାର୍କିଂ ନିୟନ୍ତ୍ରଣ ନେଇ ରେଳ ଷ୍ଟେସନ, ଖାନକା ପରିସର, ଧାମନଗର ଛକରୁ ଧାମନଗର ପର୍ଯ୍ୟନ୍ତ ଓ ଅନ୍ୟ ସଂଲଗ୍ନ ରାସ୍ତା ସବୁରେ ପୋଲିସ୍ ମୂତୟନ, କମିଟି ତରଫରୁ ନିୟୋଜିତ ହେବାକୁ ଥିବା ଭଲ୍ୟୁଣ୍ଟିଅର ମାନଙ୍କ ପରିଚୟ ପତ୍ର ପ୍ରଦାନ ଆଦି ସମ୍ବନ୍ଧରେ ଏସ୍‌.ପି. ସୂଚନା ଦେଇଥିଲେ । ଡି.ଏସ୍‌.ପି., ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ ପୂର୍ବ ବର୍ଷର ସମସ୍ୟା ଓ ଚଳିତ ବର୍ଷ ରେ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ, ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ଯୋଜନା ସମ୍ବନ୍ଧରେ ପ୍ରକାଶ କରିଥିଲେ । କମିଟିର ଉପସଭାପତି ସୟଦ ମୁସ୍ଥାଫା ରାଜ ହବିବ୍ ୨ ଦିନିଆ ଉତ୍ସବରେ କାର୍ଯ୍ୟସୂଚୀ ସମ୍ବନ୍ଧରେ ସୂଚନା ଦେଇଥିଲେ । ଚଦର ଶୋଭାଯାତ୍ରା, ପୀରବାବାଙ୍କ ସାମଧି ପୀଠକୁ ଶ୍ରଦ୍ଧାଳୁଙ୍କ ଦର୍ଶନ, ସମୂହ ପ୍ରାର୍ଥନା, କବି ସମ୍ମିଳନୀ, ମୌଲାନା ମାନଙ୍କ ଦ୍ୱାରା ଧର୍ମବାଣୀ ଓ ବକ୍ତବ୍ୟ ପ୍ରଦାନ ଆଦି କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରକାଶ କରିଥିଲେ । କମିଟିର ସହ ସମ୍ପାଦକ ସେକ୍ ଅବଦୁର ରହେମାନ୍ ହବିବ୍‌, ସଦସ୍ୟ ମହମ୍ମଦ ଫଜଲ ବାରି, ସେକ୍ ମନଭର ଅହମ୍ମଦ୍‌, ସେକ୍ ଗୁଲାମ ମୋହିଉଦ୍ଦିନ୍‌, ସୟଦ ହାସରାଏଁ ରାଜା, ମହମ୍ମଦ ତାହେର ଖାଁ, ସେକ୍ ଗୁଲାମ ଅଲାମ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ମତାମତ ରଖିଥିଲେ । ସି.ଟି. ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଧାମନଗର ବି.ଡ଼ି.ଓ. ବନବିହାରୀ ଦିଣ୍ଡା, ତହସିଲଦାର ଦୀପକ କୁମାର ଦାସ, ଆଇ.ଆଇ.ସି. ଫନିନ୍ଦ୍ର ଭୂଷଣ ନାୟକ ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।