Odiapua.com

୪୪ବର୍ଷର ଭଦ୍ରକ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନାହିଁ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୮୦ମସିହାରୁ ପ୍ରତିଷ୍ଠିତ ଭଦ୍ରକ ମହିଳା ମହାବିଦ୍ୟାଳୟର ନିଜସ୍ୱ ଜମି ନାହିଁ । ଭଦ୍ରକ ର ତତ୍‌କାଳୀନ ବିଧାୟକ ତଥା ମନ୍ତ୍ରୀ ଯୁଗଳକିଶୋର ପଟ୍ଟନାୟକ ସଂଖ୍ୟାଲଘୁ ବହୁଳ ଭଦ୍ରକ ସହର ର ମୁସଲିମ ମହିଳାଙ୍କୁ ଉଚ୍ଚଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହି କଲେଜଟିକୁ ନିଜ ଉଦ୍ୟମରେ ସ୍ଥାପନ କରିଥିଲେ । ପୂର୍ବ ଓ ଏବେକାର ସରକାର ସମସ୍ତ ସ୍କୁଲ ଓ କଲେଜ ର ନିଜସ୍ୱ ଜମି ପ୍ରଦାନ ପାଇଁ ଗୁରୁତ୍ୱ ଦେଇଛନ୍ତି । ତେବେ ଏହି ମହାବିଦ୍ୟାଳୟ କର୍ତୃପକ୍ଷ ଓ ପରିଚାଳନା କମିଟିର ଚରମ ଅବହେଳା ଯୋଗୁଁ ଏହା ମଧ୍ୟରେ ୪୪ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କଲେଜର ନିଜସ୍ୱ ଜମି ନାହିଁ । ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ୱବିଦ୍ୟାଳୟର ନିୟମାନୁଯାୟୀ ଯୁକ୍ତ ୨ ଓ ଯୁକ୍ତ ୩ ଉଭୟ ଶ୍ରେଣୀ ପାଇଁ ସର୍ବନିମ୍ନ୍ ଯଥାକ୍ରମେ ୩ଏକର ଓ ୫ଏକର ଭୂମି ମିଶି ୮ଏକର ଜମି କଲେଜ ନାମରେ ନାମିତ ହେବା ପାଇଁ ନିର୍ଦ୍ଦେଶ ରହିଛି । ଏହି ମହାବିଦ୍ୟାଳୟଟି ଭଦ୍ରକ ର ପ୍ରସିଦ୍ଧ ସଦାବର୍ତ ମଠର ସମ୍ପତି ଓ ଅଳ୍ପକିଛି ସରକାରୀ ଜାଗାରେ ପ୍ରତିଷ୍ଠିତ ହୋଇଛି । କଲେଜର ସମ୍ମୁଖ ଭାଗ(ଦକ୍ଷିଣ ପାଶ୍ୱର୍) ଓ ପୂର୍ବ ଭାଗରେ ଅବଶିଷ୍ଟ ଯେଉଁ ସରକାରୀ ଜମି ରହିଛି ତାହାକୁ ମାପଚୁପ୍ କରାଯାଇ କଲେଜକୁ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ମହାବିଦ୍ୟାଳୟ କର୍ତୃପକ୍ଷ ଦର୍ଶାଇଛନ୍ତି । ଏବେକାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜମି ନଥିବା କଲେଜ ଗୁଡିକୁ ସରକାରୀ ଜମି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ମହାବିଦ୍ୟାଳୟ ର ଅଧ୍ୟକ୍ଷ ନୀଳଗିରି ରବି ସାହୁଙ୍କ ସୂଚନାନୁଯାୟୀ ଗତ ୩୧.୮.୨୪ତାରିଖରେ ନୂଆଦିଲ୍ଲୀ କୃଷି ଭବନ କନଫରରେନ୍ସ ହଲ୍‌ରେ ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷା ଅଭିଯାନ(ପିଏମ୍‌-ୟୁଏସଏଚ୍‌ଏ) ନୂଆ ଶିକ୍ଷା ଯୋଜନା-୨୦୨୦ରେ ବୁଝାମଣା ପତ୍ର(ଏମଓୟୁ)ହୋଇଥିଲା । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଶିକ୍ଷା ସଚିବ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ ପ୍ରମୁଖ ଯୋଗଦେଇଥିଲେ । ଓଡିଶାର ୨୭ଟି କଲେଜକୁ ଆର୍ଥିକ ଅନୁଦାନ ବ୍ୟବସ୍ଥାରେ ସାମିଲ କରାଯାଇଥିଲା । ସେହି ୨୭ଟି କଲେଜ ମଧ୍ୟରୁ ଭଦ୍ରକ ମହିଳା ମହାବିଦ୍ୟାଳୟଟି ୧ନମ୍ବର ସିରିଏଲ୍‌ରେ ରହିଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଆର୍ଥିକ ଅନୁଦାନ ଖୁବ୍ ଶିଘ୍ର ମିଳିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ନିଜସ୍ୱ ଜମି ନଥିବାରୁ ସରକାରୀ ମଞ୍ଜୁର ଅନୁଦାନ ବିନିଯୋଗ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ଜମି ପ୍ରଦାନ ନିମନ୍ତେ ଗତକାଲି ଅଧ୍ୟକ୍ଷ ନୀଳଗିରି ରବି ସାହୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ପତ୍ର ଦେଇଛନ୍ତି ।