Odiapua.com

୪୨୦ ଅଙ୍ଗନୱାଡି ଦିଦିଙ୍କ ଦବଙ୍ଗଗିରି, ଖବର ପ୍ରସାରଣ କଲେ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଦିନକୁ ଦିନ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବଜରାପୁର ପଂଚାୟତ ୪ନଂ ଅଙ୍ଗନୱାଡି ସେଂଟର ଦିଦିଙ୍କ ଦବଙ୍ଗଗିରି ଯୋଗୁଁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି । ଏହି ଦିଦିଙ୍କର ଚାକିରୀ ଅସଲି, କିନ୍ତୁ କାମ ସବୁ ନକଲି । ଅଙ୍ଗନୱାଡି ସେଂଟରରେ ତାଲା ପକାଇ ସରକାରୀ ପିଡିଏସ୍ ଚାଉଳ ବଂଟନ କରୁଛନ୍ତି ଏହି ଦିଦି ଜଣକ । ଏଠାରେ ସୂଚନା ଥାଉକି ପିଡିଏସ୍ ଚାଉଳ ବଂଟନ ପାଇଁ ରାଜଘରପୁର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନିର୍ଦ୍ଦେଶ ଥିବାବେଳେ ଏହି ଅଙ୍ଗନୱାଡି ଦିଦି ଜଣକ ନିଜ ପ୍ରଭାବରେ କିଛି ମହିଳାଙ୍କୁ ଏକତ୍ରିତ କରି ଅନ୍ୟ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ନିଜ କଲେଜ ପଢୁଆ ଝିଅକୁ ସଂପାଦକ ପଦବୀରେ ରଖାଇ ପିଡିଏସ୍ ଚାଉଳ ଉଠାଉଛନ୍ତି । କିନ୍ତୁ ଏହାର ପ୍ରକୃତ ଫାଇଦା ଉଠାଉଛନ୍ତି ଅଙ୍ଗନୱାଡି ଦିଦି ଜଣକ । ନିଜେ ଚାଉଳ ବଂଟନ କରିବା ସହିତ ଗାଁ ଗାଁରେ ବୁଲି ହିତାଧିକାରୀଙ୍କ ପାଖରୁ ଟିପ ଚିହ୍ନ ନେବାଭଳି କାର୍ଯ୍ୟ ମଧ୍ୟ କରୁଛନ୍ତି । ସଂପାଦକ ଅନୁପସ୍ଥିତିରେ ଥିବାବେଳେ କାହା ସ୍ୱାର୍ଥରେ ଏହି ଝୁନୁଲତା ଦିଦି ଅଙ୍ଗନୱାଡି କର୍ମୀ ସେଂଟର ବନ୍ଦ କରି ପିଡିଏସ୍ ଚାଉଳ ବଂଟନ କରୁଛନ୍ତି, ତାହା ତଦନ୍ତ ସାପେକ୍ଷ । ବ୍ଲକ୍ ପ୍ରଶାସନ ସବୁ ଜାଣି ନଜାଣିବା ଭଳି ଅଭିନୟ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ପଂଚାୟତ ସମିତି ସଭାଗୃହରେ ବଜରାପୁର ସମିତି ସଭ୍ୟ ବିବେକାନନ୍ଦ ଧର ଅଭିଯୋଗ କରିଛନ୍ତି । ଏ ବିଷୟରେ ଅଙ୍ଗନୱାଡି ଦିଦିଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ ପୁଲିସ୍ କେଶ୍‌ର ଭୟ ଦେଖାଇବା ସହ ଗୁଣ୍ଡା ଲଗାଇ ସେମାନଙ୍କୁ ଜୀବନରୁ ମାରିଦେବାର ଚେତାବନୀ ଦେଉଛନ୍ତି । ଏପରିକି ବ୍ଲକ୍‌ରେ ହିତାଧିକାରୀମାନଙ୍କ ନାମ ରାସନ୍ କାର୍ଡରେ ଯୋଡିଦେବା ପାଇଁ କହି ଟଙ୍କା ଆଦାୟ କରୁଥିବାବେଳେ କେହି ପ୍ରତିବାଦ କଲେ ରାସନ୍ କାର୍ଡରୁ ନାମ କାଟିଦେବାକୁ ଧମକ ଦେଉଛନ୍ତି । ଏ ବିଷୟରେ ପୂର୍ବରୁ ବହୁଥର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଦିଦି ଜଣକ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳକୁ ହାତବାରିସ କରି ଖସିଯାଉଛନ୍ତି ବୋଲି ସ୍ଥାନୀୟ ହିତାଧିକାରୀମାନେ କହିଛନ୍ତି । ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ସ୍ଥାନୀୟ ଅଂଚଳବାସୀ ଭଦ୍ରକ ଜିଲାପାଳ, ଜିଲା ଯୋଗାଣ ବିଭାଗ ଅଧିକାରୀ ଓ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଗତ ଜିଲା ପରିଷଦ ବୈଠକରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।