Odiapua.com

୪୦୪ ଜଣ ନିଖୋଜ ଶିଶୁ ଉଦ୍ଧାର – ପୋଲିସ ମହାନିର୍ଦ୍ଦେଶକ ଅଭୟ

ଭୁବନେଶ୍ୱର ୧୦-୩ (ଓଡ଼ିଆ ପୁଅ) ଓଡିଶା ପୋଲିସ ପକ୍ଷରୁ ନିଖୋଜ ଶିଶୁ ମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଅରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ୪୦୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ ପ୍ରେସମିଟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି ଯେ, ଓଡିଶା ପୋଲିସ ପକ୍ଷରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ତା୨୮.୦୨.୨୦୨୧ରିଖରୁ ତା୦୮.୦୩.୨୦୨୧ରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନରେ ଓଡିଶା ପୋଲିସ ପକ୍ଷରୁ ୪୦୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେଥିମଧ୍ୟରୁ ୩୨୨ ଜଣ ବାଳିକା ଓ ୮୨ ଜଣ ବାଳକ ଉଦ୍ଧାର ହୋଇଛନ୍ତି। ଉପରୋକ୍ତ ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେ ବିଭିନ୍ନ ଥାନାରେ ମାମଲା ପଞ୍ଜିକୃତ ହୋଇଥିଲା୤ ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩୮ ଜଣ ଶିଶୁଙ୍କୁ ତାଙ୍କ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ସ୍ୱତନ୍ତ୍ର ଅଭିଯାନକୁ କିଛି ଆରକ୍ଷୀ ଅଧୀକ୍ଷକ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୪୪ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭଦ୍ରକ, ବାଲେଶ୍ୱର ଓ କଟକ ୟୁପିଡି ଜିଲ୍ଲାରୁ ଯଥାକ୍ରମେ ୪୧, ୩୮ ଓ ୩୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।