Odiapua.com

୪୦୦ ଲିଟର ଦେଶୀ ରନ୍ଧା ମଦ ସହ କାର୍ ଜବତ, ଜଣେ ଗିରଫ

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରୁ ଏକ ଦେଶୀ ରନ୍ଧା ମଦ ବୋଝେଇ କାର୍‌କୁ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କୌଣସି ସୂତ୍ରରୁ ଖବର ପାଇ ଏହି ଟିମ୍ ରାଣୀତାଲ ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଓଆର-୧୯ଏନ୍‌-୩୩୩୫ ନମ୍ବରର ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର୍‌କୁ ସନ୍ଦେହରେ ଅଟକାଇଥିଲେ । ଏହି କାର୍ ମଧ୍ୟରୁ ୪ ଶହ ଲିଟର ଦେଶୀ ରନ୍ଧା ମଦ ରହିଥିଲା । ଫଳରେ ଅବକାରୀ ବିଭାଗ ତିହିଡି ଥାନା ଅଧୀନସ୍ଥ ମିର୍ଜାପୁର ଗ୍ରାମନିବାସୀ ସେକ୍ ରାଜୋକୁ ଗିରଫ କରିବା ସହ ମଦ ବୋଝେଇ କାର୍‌କୁ ଜବତ କରିଥିଲେ । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଦା ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ କେଶ୍ ନଂ ୨୭/୨୧-୨୨ ମୂଳେ ଏକ ମାମଲା ରୁଜୁ କରିଛି ।