Odiapua.com

୪ଶହ ଟପିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ସଂକ୍ରମିତ ନୀଳଗିରି ବିଧାୟକଙ୍କୁ ନେଇ ଆଲୋଡ଼ନ

ବାଲେଶ୍ୱର, ୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଦେଶରେ କ୍ଷୀପ୍ର ଗତିରେ ବଢ଼ି ଚାଲିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହେବା ଘଟଣା ଏବେ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ଏବେ ଚର୍ଚ୍ଚାର ବିଷୟ ହୋଇଛି। ୭ ଦିନ ପୂର୍ବରୁ ବିଧାୟକ ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ବ୍ୟତିକ୍ରମ ହେବା ଦେଖି ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ତେବେ ତାଙ୍କଠାରେ କରୋନା ଲକ୍ଷଣ ଅନୁମାନ କରି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ ସହ ପରୀକ୍ଷା ପାଇଁ ପଠାଯାଇଥିଲା। ବିଧାୟକ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ଥିବା ନେଇ ରିପୋର୍ଟରୁ ଜଣାପଡ଼ିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଜି ଜଣାଇବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଧାୟକଙ୍କୁ ଏବେ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ସ୍ୱାବ ପରୀକ୍ଷା ଓ ରିପୋର୍ଟ ଆସିବା ପୂର୍ବରୁ ବିଧାୟକ ଶ୍ରୀ ନାୟକ ବିଭିନ୍ନ ସଭା ସମିତିରେ ଯୋଗଦେବା ସହ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସହ ମଧ୍ୟ ମିଶିଛନ୍ତି। ଜିଲ୍ଲା ପ୍ରଶାସନ ପାଇଁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଏବେ ଦୂରୁହ ବ୍ୟାପାର ହୋଇଛି। ଅନ୍ୟପକ୍ଷରେ ବାଲେଶ୍ୱରରେ ଆଜି ୧୪ ଜଣ ନୂଆ ପଜିଟଭ୍ ଚିହ୍ନଟ ପରେ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୨ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୩ ଜଣଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଳାରେ ଅଦ୍ୟାବଧି ମୋଟ ୩୨୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୮୩ ଜଣ ଏକ୍ଟିଭ୍‌ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଛି। ଚଳିତ ଜୁଲାଇ ଓ ଆସନ୍ତା ଅଗଷ୍ଟ ମାସରେ ବାଲେଶ୍ୱର ସମେତ ରାଜ୍ୟର କରୋନା ସଂକ୍ରମଣ ଆଶାତୀତ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବା ନେଇ ଆଶଙ୍କା ଦେଖାଯାଇଛି।