Odiapua.com

୪ର୍ଥ ଦିବସରେ ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ସଜ୍ଜିତ ହୋଇଥିଲେ । ମା’ଙ୍କୁ ଆଜି ଏହି ପୀଠରେ ଦୁର୍ଗତୀ ନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି । ସିଂହ ମା’ଙ୍କର ବାହନ ଥିବା ବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଭୂଷିତା ହୋଇଛନ୍ତି ମା’ ଭଦ୍ରକାଳୀ । ଚାରି ହସ୍ତରେ ଖଡ଼ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ରକ୍ତବର୍ଣ୍ଣା ହୋଇ ପ୍ରକଟ ହୋଇଛନ୍ତି ମା’ଭଦ୍ରକାଳୀ । ମହିଷାସୁରକୁ ବଦ୍ଧ କରି ଧରାରୁ ପାପକୁ ବିଦାୟ ଦେଇଛନ୍ତି । ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଏହି ପୀଠକୁ ମଧ୍ୟ ଦୁର୍ଗା ମାଧବ ପୀଠ ବୋଲି କୁହାଯାଇଥାଏ । ତଥ୍ୟ ଅନୁଯାୟୀ ଉତ୍କଳର ଶେଷ ରାଜା ମୁକୁନ୍ଦ ଦେବ ଯେତେବେଳେ ଗୋହିରାଟିକିରୀ ଯୁଦ୍ଧ ଯାତ୍ରାରେ ଆସିଥିଲେ, ସେ ତାଙ୍କର ଅଙ୍ଗ ଦେବତା ଭାବେ ସାଙ୍ଗରେ ଆଣିଥିବା ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏହି ପୀଠରେ ରଖି ପୂଜା କରିଥିଲେ ଏବଂ ଅଦ୍ୟାବଧି ସେହି ଚତୁର୍ଦ୍ଧା ମୂର୍ତ୍ତି ମା’ ଭଦ୍ରକାଳୀଙ୍କ ପାଶ୍ୱର୍ ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଗୋଟିଏ ପାଶ୍ୱର୍ରେ ମା’ ଭଦ୍ରକାଳୀ ଏବଂ ଅପର ପାଶ୍ୱର୍ରେ ମାଧବ ରୂପୀ ଜଗନ୍ନାଥ ପୂଜା ପାଉଥିବାରୁ ଏହି ପୀଠକୁ ଦୁର୍ଗା ମାଧବ ପୀଠ କୁହାଯାଇଥାଏ । ଆଜି ମା’ଙ୍କ ସିଂହ ବାହିନୀ ବେଶ ସହିତ ପୀଠରେ ନାମ ସଂକୀର୍ତ୍ତନ, ସପ୍ତଶତୀ ଚଣ୍ଡିପାଠ, ନାମଯଜ୍ଞ, ବେଦପାଠ ଆଦି ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ମା’ ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହେବ ।