Odiapua.com

୩ ସପ୍ତାହ ଅହୋରାତ୍ର ଧାରଣାର ଅବସାନ : ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ସଫଳ ତ୍ରିପାକ୍ଷିକ ବୈଠକ – ଆଜିଠାରୁ କାର୍ଯ୍ୟକ୍ଷମ ହେବ ବିର୍ଲା ଟାୟାର୍ସ

ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ବକେୟା ଦରମା ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ ବିରଳା ଟାୟାର୍ସ କାରଖାନା ସମ୍ମୁଖରେ ଦୀର୍ଘ ୩ ସପ୍ତାହ ଧରି ଚାଲିଥିବା ଶ୍ରମିକଙ୍କ ଅହୋରାତ୍ର ଧାରଣାର ଆଜି ଅବସାନ ଘଟିଛି। ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ଆୟୋଜିତ ତ୍ରିପାକ୍ଷିକ ବୈଠକ ସଫଳ ହେବା ସହ ଅନ୍ଦୋଳନକାରୀମାନେ ଧାରଣାରୁ ନିବୃତ ହୋଇଛନ୍ତି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଏହି ବୈଠକରେ ଶିଳ୍ପାନୁଷ୍ଠାର ୟୁନିଟ୍ ହେଡ୍ ଦେବାଶିଷ ରାୟ, ଏଚଆର ହେଡ୍ ହିମାଂଶୁ ପାତ୍ର, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ସଂଜୟ ପ୍ରଧାନଙ୍କ ସମେତ ୮ ଗୋଟି ଶ୍ରମିକ ସଂଗଠନର ପ୍ରତିନିଧି ସତ୍ୟନାରାୟଣ ଆଚାର୍ଯ୍ୟ, କ୍ଷୀରସିନ୍ଧୁ ବାରିକ, କ୍ଷୀରୋଦ ବାରିକ, ଭୋଳାନାଥ ବେହେରା, ଅରୁଣ କୁମାର ସ୍ୱାଇଁ, ଅଶୋକ ରାଉତ, ରତିକାନ୍ତ ବ୍ରହ୍ମଚାରୀ, ଉପେନ୍ଦ୍ର ବେହରା ଓ କାରଖାନା ସମ୍ମୁଖରେ ଧାରଣା ଦେଇଥିବା ସ୍ଥାନୀୟ ଅଞ୍ଚଳର ଶ୍ରମିକ ପରିବାରଙ୍କ ୪ ପ୍ରତିନିଧି ଛବୀନ୍ଦ୍ର ମହାନ୍ତି, ଦିବାକର ପଣଡା, ବିବେକାନନ୍ଦ ରାଉତ ଏବଂ ଦୀପକ ପରିଡ଼ା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ବକେୟା ୮ ମାସର ଦରମାରୁ ମାତ୍ର ୧ ମାସର ଦରମା ଦୁଇଗୋଟି କିସ୍ତିରେ ପ୍ରଦାନ ପାଇଁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଆସନ୍ତାକାଲି ଅର୍ଥାତ ୮ ତାରିଖ ଦିନ ଅଧା ମାସର ଦରମା ଓ ଆସନ୍ତା ୧୫ ତାରିଖ ଦିନ ଆଉ ଅଧା ମାସର ଦରମା ପ୍ରଦାନ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ସେହିକ୍ରମରେ ଆସନ୍ତାକାଲି ‘ଏ’ସିଫ୍ଟରୁ କାରଖାନାର ଉତ୍ପାଦନ ଆରମ୍ଭ କରିବା ନିମନ୍ତେ କର୍ତ୍ତୃପକ୍ଷ ଓ ଶ୍ରମିକ ପ୍ରତିନିଧିମାନେ ସମ୍ମତି ପ୍ରକାଶ କରିଥିଲେ। ପରିଚାଳନା କର୍ତ୍ତୃପକ୍ଷ ସମ୍ପ୍ରତି ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିବା ବେଳେ ଆଗାମୀ ଦିନରେ ବକେୟା ଅର୍ଥ ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଛି। କାରଖାନା ଯେପରି ସୁସ୍ଥ ବାତାବରଣ ମଧ୍ୟରେ କାର୍ଯ୍ୟକ୍ଷମ ରହିବ ସେନେଇ ଉଭୟ ପକ୍ଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। କାରଖାନା ଚାଲିବା ପରେ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବୈଠକ ପରେ କମ୍ପାନି କର୍ତ୍ତୃପକ୍ଷ ଓ ଶ୍ରମିକ ସଂଗଠନ ପ୍ରତିନିଧିମାନେ କାରଖାନା ଗେଟ୍ ନିକଟରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ଧାରାଣାରୁ ନିବୃତ ହୋଇଥିଲେ। ସକାଳଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ବୈଠକ ବେଳେ ହଜାରେରୁ ଅଧିକ ବିରଳା ଶ୍ରମିକ ସଦଭାବନା ସଭାଗୃହ ସମ୍ମୁଖରେ ଉପସ୍ଥିତ ରହି ନିର୍ଯ୍ୟାସକୁ ଉଦବିଘ୍ନର ସହ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ବିର୍ଲା ଟାୟାର୍ସର ଅଚଳାବସ୍ଥା ଦୂର କରିବା ପାଇଁ ପୂର୍ବରୁ ସ୍ଥାନୀୟ ଲୋକପ୍ରତିନିଧିମାନେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଶ୍ରମିକଙ୍କ ମୁହଁରେ ହସ ଫୁଟାଇଛି ବୋଲି ଶ୍ରମିକ ମହଲରେ ଆଲୋଚନା ହେଉଛି।