Odiapua.com

୩ ଶହ ବୋତଲ ବିଦେଶୀ ଓ ୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ପାଇ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ନାୟକାଣୀଡିହି ଥାନା ଅଂଚଳରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି । ଏବଂ ଏହି ଘଟଣାରେ ଜଣକୁ ଗିରଫ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ନାୟକାଣୀଡିହି ଥାନା ଅଂଚଳରେ ବ୍ୟାପକ ମଦ କାରବାର ହେଉଥିବାର ଖବର ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା । ଏ ସଂପର୍କରେ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁର ତହସିଲଦାର ଶ୍ରୀ ପାଣିଗ୍ରାହୀ ସଦଳବଳେ ଉକ୍ତ ଅଂଚଳରେ ଚଢାଉ କରି ପ୍ରାୟ ୩ ଶହ ବୋତଲ ବିଭିନ୍ନ ନାଦୀଦାମୀ କଂପାନୀର ବିଦେଶୀ ମଦ ଜବତ କରି ଦୁଃଖିରାମ ସେଠୀଙ୍କୁ ଗିରଫ କରିଥିଲେ । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ସେହିଭଳି ଆଜି ସନ୍ଧ୍ୟାରେ ଜିଲା ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଚଢାଉ କରି ତିହିଡି ବଜାର ଛକରୁ ୫୦ ଲିଟର ଦେଶୀ ରନ୍ଧାମଦ ଜବତ ସହ ଗୋଟିଏ ଟିଭିଏସ୍ ମୋଟର ସାଇକେଲ୍ ଜବତ କରି ପୀରହାଟ ଅଂଚଳ ମଙ୍ଗଳପୁରରୁ ସୁବାଷ ମଲ୍ଲିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବିଷୟ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ସୂଚନା ଦେଇଛନ୍ତି ।