Odiapua.com

୩ ରେ ବିଶ୍ୱ ଭିନ୍ନକ୍ଷମ ଦିବସ, କାଗଜ କଲମରେ ସୀମିତ ଭିନ୍ନକ୍ଷମ ଦିବସ, ବଞ୍ôଚବାର ରାହା ଖୋଜୁଛନ୍ତି ଭିନ୍ନକ୍ଷମ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୨ ମସିହା ଠାରୁ ସାରା ବିଶ୍ୱରେ ଡିସେସ୍ୱର ମାସ ୩ତାରିଖକୁ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଉଛି । ସରକାରୀ ତଥା ବେସରକାରୀ ଭାବେ ଏହି ଦିବସ ପାଳନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ କରିବା ପାଇଁ ପ୍ରୟାସ ଜାରୀ ରହିଛି । ଏହିପରି ସ୍ଥଳେ ବିଭିନ୍ନ ଆକଳନକୁ ନଜୀରକୁ ନେଲେ ଭିନ୍ନକ୍ଷମଙ୍କ ବିକାଶ କେବଳ କାଗଜ କଲମରେ ରହିଯାଇଛି । ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଅନେକ ଭିନ୍ନକ୍ଷମ ରହିଛନ୍ତି କିଏ ବାପା ଉପରେ ତ ପୁଣି କିଏ ମାଆ ଓ ଭାଇ ଉପରେ ନିର୍ଭର କରି ଚଳୁଛନ୍ତି । ମାତ୍ର ଭିନ୍ନକ୍ଷମଙ୍କ ପାଇଁ ଆଜି ବି ସରକାରୀ ସହାୟତା ଅପହଞ୍ଚ ପାଲିଟିଛି । ଭତ୍ତା ହେଉବା ଟ୍ରାଇସାଇକେଲ୍ ଅବା ପକ୍କାଘର କାହାକୁ ମିଳୁଛି ତ ପୁଣି କାହାକୁ ନାହିଁ । ରାମଚନ୍ଦ୍ରପୁର ପଞ୍ଚାୟତ ଅର୍ନ୍ତଗତ ରାମଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣିମା ନାୟକ ଉଠି ବସି ନପାରି ଗତ ୧୬ ବର୍ଷ ଧରି କେବଳ ଶୋଇ ରହୁଛନ୍ତି । କିନ୍ତୁ ଏପରି ସ୍ଥଳେ ସରକାରୀ ସ୍ତରରେ ସେ କେବଳ ମାସିକ ୫୦୦ଟଙ୍କା ଉତ୍ତା ପାଉଛନ୍ତି ।

ସ୍ୱାମୀ ସ୍ତ୍ରୀଙ୍କ ସଂପର୍କ ଠିକ୍ ନରହିବାରୁ ସେ ବିବାହର ବର୍ଷେ ପରେ ଆସି ନିଜ ବାପଘରେ ରହୁଛନ୍ତି । ତାଙ୍କ ବାପା,ମା ଓ ଭାଇଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟଏକ ଭାଇ ଜଜମାନ କାମ କରି ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିଲେ ସୁଦ୍ଧା ପୂର୍ଣ୍ଣିମାକୁ ନିଜ ଘରେ ଆଶ୍ରୟ ଦେଇ ତାଙ୍କ ସେବା ଶୂଶୃଷା କରୁଛନ୍ତି । ନିଜ ରୋଜଗାରରେ ନିଜ ପରିବାରକୁ ଠିକ୍ ଭାବେ ଚଳାଇ ପାରୁ ନଥିବା ବେଳେ ପୂର୍ଣ୍ଣିମା ବୋଝ ଉପରେ ଲଳୀତା ବିଡ଼ା ସଦୃଶ ପାଲଟିଛନ୍ତି ତାଙ୍କ ଭାଇଙ୍କ ପାଇଁ । ୨୦୦୩ ମସିହାରେ ପୂର୍ଣ୍ଣିମାଙ୍କ ଆଣ୍ଠୁ ଗଣ୍ଠି ଧରିଲା । ଆସ୍ତେ ଆସ୍ତେ ସେ ଆଉ ଚଲାବୁଲା କରି ପାରିଲେ ନାହିଁ । ଆର୍ଥିକ ଅନାଟନ ଚିକିତ୍ସାରେ ଅନ୍ତରାୟ ସୃଷ୍ଟି କଲା । ପ୍ରାଥମିକ ଚିକିତ୍ସା ପରେ ସେ ଆଜିକୁ ୧୬ ବର୍ଷ ଧରି ଶଯ୍ୟାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଦୀର୍ଘ ବର୍ଷ ଧରି କେବଳ ଶୋଇ କରି ରହିବା ବଡ଼ କଷ୍ଟ ଓ ଯନ୍ତ୍ରଣା ଦାୟକ ଅଟେ । ଦିନକୁ ଦିନ ତାଙ୍କ ହାତ ଗୋଡ଼ ସବୁ ବଙ୍କା ହୋଇଯାଉଛି ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଟ୍ରାଇସାଇକେଲଟିଏ ମଧ୍ୟ ଯୋଗାଇ ଦିଆଯାଇପାରିନାହିଁ । ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବାପରେ ପ୍ରଶାସନିକ ସ୍ତରରେ ଦୀର୍ଘ ୧୫ବର୍ଷ ପରେ ତତ୍ପରତା ପ୍ରକାଶ ପାଇଥିଲା ଓ ଗତ ବର୍ଷ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତତ୍କାଳିନ ବିଡ଼ିଓ,ସାମାଜିକ କଲ୍ୟାଣ ଭାରପ୍ରାପ୍ତ ଅଧିକାରୀ ପ୍ରମୁଖ ଘଟଣା ସ୍ଥଳକୁ ଆସି ମୁଖ୍ୟମଂତ୍ରୀ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିିଥିଲେ । ଯାହାକି ସମୁଦ୍ରକୁ ଶଂଖେ । ବିଡ଼ମ୍ବନାର ବିଷୟ ୧୦ହଜାର ଟଙ୍କା ପ୍ରଦାନ ପ୍ରତିବଦଳରେ ଅନ୍ନପୂର୍ଣ୍ଣା ଯୋଜନାରେ ପୂର୍ଣ୍ଣିମାଙ୍କୁ ବାଦ ଦିଆଯାଇଥିଲା । ବର୍ତ୍ତମାନ ସରକାରଙ୍କ ନୂତନ ନିୟମାନୁସାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଅନଊାଇନରେ ନାମପଂଜିକରଣ ବାଧ୍ୟତାମୂଳକ ହୋଇଥିବାରୁ ପୂର୍ଣ୍ଣିମା କିପରି ଆବେଦନ କରିବେ? ତାଙ୍କର ଅଙ୍ଗୁଳିଗୁଡ଼ିକ ସଂପୂର୍ଣ୍ଣ ବଙ୍କା ଓ କାର୍ଯ୍ୟହୀନ ହୋଇପଡ଼ିଛି ।

ଯଦି ସେ ଆବେଦନ କରିବାରେ ଅକ୍ଷମ ହୁଅନ୍ତି ତେବେ ଭତ୍ତାରୁ ମଧ୍ୟ ବଂଚିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅର୍ନ୍ତଗତ ଚାରିଗାଁର ଗଙ୍ଗାଧର କଟୁଆଳଙ୍କ ପୁଅ ଲକ୍ଷ୍ମୀଧର ୭୭ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ପାରି ନାହିଁ । ଭତ୍ତା ପାଇବା ପାଇଁ ପ୍ରଶାସନିକ ସ୍ତରରେ ବାରମ୍ବାର ଆବେଦନ କରିଥିଲେ ସୁଦ୍ଧା କୌଣସି ସୁଫଳ ତାଙ୍କୁ ମିଳିପାରିନାହିଁ । ଗଙ୍ଗାଧର ଜଣେ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୨ଝିଅ ବାହାଘର ପାଇଁ ଯାହା ଜମିବାଡ଼ି ଥିଲା ତାକୁ ବିକ୍ରୀ କରି ସାରିଛନ୍ତି । ସେ ବର୍ତ୍ତମାନ ନିଜେ ଅସୁସ୍ଥ ଥିବା ସ୍ଥଳେ ଭିନ୍ନକ୍ଷମ ପୁଅ ଓ ରୋଗାଗ୍ରସ୍ତ ସ୍ତ୍ରୀ କୁ ନେଇ ପରିବାର ଚଳାଇବାକୁ ସମର୍ଥ ହୋଇ ପାରୁନାହାନ୍ତି । ଏପରିକି ନିଜ ଚାଳଘରକୁ ପ୍ରତିବର୍ଷ ଛାଉଣୀ ମଧ୍ୟ କରି ପାରୁ ନାହାନ୍ତି । ତାଙ୍କ ସ୍ତ୍ରୀଙ୍କ ବୟସ ଭତ୍ତା ପାଇବା ପାଇଁ ହୋଇଯାଇଥିଲେ ସୁଦ୍ଧା ସେ ଏହା ପାଇ ପାରି ନାହାନ୍ତି । ଯଦି ଲକ୍ଷ୍ମୀଧର ଓ ତାଙ୍କ ମାଙ୍କୁ ଭତ୍ତା ମିଳି ପାରନ୍ତା ତାହା ହେଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଏହି ପରିବାର ସମର୍ଥ ହୋଇପାରନ୍ତେ । ଆବାସ ଯୋଜନାରେ ଏହି ପରିବାର ସାମିଲ ହୋଇପାରିନଥିବାରୁ ୩ ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଚାଳଘରେ ରହିବାକୁ ବାଧ୍ୟ ହେଉଛନ୍ତି । ବାରିଗାଁର ବିବେକ ଓ ମାତୃପ୍ରସାଦ ୨ ଭାଇଦିବ୍ୟାଙ୍ଗ ଓ ମେଧାବୀ ଛାତ୍ର । ପାଠପଢା କୁ ଛାଡ଼ି ଦେଲେ ଅନ୍ୟାନ୍ୟ କାର୍ଯ୍ୟ ନିଜେ କିଛି କରିପାରନ୍ତି ନାହିଁ । ତାଙ୍କ ବାପା ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ପୁଅ ୨ ଜଣ ଙ୍କ ପାଇଁ ଦୁଃଖ କେବେ ବି ପ୍ରକାଶ କରନ୍ତି ନାହିଁ ବରଂ ଏହା ଭଗବାନଙ୍କ ଦାନ ବୋଲି କହିଥାନ୍ତି । ଏହିପରି ଅନେକ ଭିନ୍ନକ୍ଷମଙ୍କ ଜୀବନ ଦୁର୍ବିସହ ପ୍ରାୟ । ସମସ୍ତେ ଗରୀବ ଶ୍ରେଣୀୟ ପରିବାର ସଦସ୍ୟ । ଆର୍ଥିକ ଅନାଟନ ସାଙ୍ଗକୁ ଭିନ୍ନକ୍ଷମ ମାନେ ପରିବାରର ବୋଝ ହୋଇପଡ଼ିଛନ୍ତି । ସରକାରୀ ସାହାଯ୍ୟ,ସହଯୋଗ ଆଜିଯାଏ ଅନେକଙ୍କୁ ମିଳି ପାରି ନାହିଁ । କିଏ ଭତ୍ତା ପାଇଁ ତ ପୁଣି କିଏ ଟ୍ରାଇସାଇକେଲ ପାଇବା ପାଇଁ ବ୍ଲକ୍ ତଥା ରାଜନେତା ଙ୍କ ଦୁଆର କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ପ୍ରତିବର୍ଷ ସାରାବିଶ୍ୱରେ ଭିନ୍ନକ୍ଷମ ଦିବସ ପାଳନ ହେବା ମୂଲ୍ୟହୀନ ହୋଇପଡ଼ିଛି ଏଠାକାର ଅଞ୍ଚଳ ଭିନ୍ନକ୍ଷମ ପାଇଁ ବୋଲି ଆଲୋଚନା ଶୁଣିବାକୁ ମିଳୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।