ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୩ ବର୍ଷ ପରେ ଜିଲାରେ ୩୨୬ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବଦଳି କରାଯାଇଛି । ଏହାପୂର୍ବରୁ ୨୦୨୨ ମସିହାରେ ପ୍ରଶାସନର ନିର୍ଦ୍ଦେଶରେ କିଛି ଶିକ୍ଷକଙ୍କୁ ବଦଳି କରାଯାଇଥିଲା । ଜିଲାର ବହୁ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ନେଇ ପାଠପଢା ଚାଲୁଥିବାର ଜିଲାପାଳଙ୍କ ନିକଟକୁ ଅଭିଯୋଗ ଫର୍ଦ୍ଦମାନ ଲମ୍ବିଚାଲିଥିଲା । ଫଳରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ଘଟିବା ସହ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶିକ୍ଷାଦାନ ପ୍ରକ୍ରିୟାରେ ଏଭଳି ଅବ୍ୟବସ୍ଥାର ସମାଧାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ଜିଲାସ୍ତରୀୟ କମିଟି ଗଠନ କରାଯାଇଥିଲା । ବିଦ୍ୟାଳୟ ଗୁଡିକର ଉପସ୍ଥାନ ସଂଖ୍ୟା ଅନୁଯାୟୀ ଶିକ୍ଷକ ନିଯୁକ୍ତି ସଂପର୍କରେ ଡାଟା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜିଲା ପ୍ରକଳ୍ପ ସଂଯୋଜକ, ବ୍ଲକ୍ ଶିକ୍ଷାଧିକାରୀ ରହିବା ସହ ଅତିରିକ୍ତ ଜିଲାପାଳ ସରୋଜ ଦତଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଥିଲା । ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ପ୍ରତି ବିଦ୍ୟାଳୟରେ ଅତି କମ୍ରେ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲାର ୭ଟି ବ୍ଲକ୍ରେ ସମୁଦାୟ ୧୦୧ ଟି ଏକକ ଶିକ୍ଷକ ଥିବା ବିଦ୍ୟାଳୟ ଗୁଡିକୁ ଆଉ ଜଣେ ଅତିରିକ୍ତ ଶିକ୍ଷକଙ୍କୁ ଏବେ ନିଯୁକ୍ତି ଦିଆଯାଇଛି । ସେହିପରି ୨୨୫ ଟି ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟାକୁ ଦୃଷ୍ଟିରେ ରଖି ଆନୁପାତିକ ହାରରେ ଅତିରକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାର ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି । ଏହାବ୍ୟତୀତ ଯେଉଁ ବିଦ୍ୟାଳୟ ଗୁଡିକରେ ଉପସ୍ଥାନ ସଂଖ୍ୟା ଅନୁସାରେ ଅଧିକ ଶିକ୍ଷକ ଅଛନ୍ତି, ସେହି ବିଦ୍ୟାଳୟ ଗୁଡିକରୁ ଗରିଷ୍ଠତା ଭିତିରେ ସିନିୟର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କମ୍ ସଂଖ୍ୟକ ଶିକ୍ଷକ ଥିବା ବିଦ୍ୟାଳୟମାନଙ୍କରେ ନିଯୁକ୍ତି ଦିଆଯାଇଛି । ବିଭାଗୀୟ ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ୍ରେ ୮ ଜଣ ଏକକ ଶିକ୍ଷକ ଓ ୫୫ ଜଣଙ୍କୁ ଉପସ୍ଥାନ ସଂଖ୍ୟାନୁଯାୟୀ କମ୍ ସଂଖ୍ୟକ ଥିବା ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ସେହିପରି ଭଦ୍ରକରେ ୨୧ ଜଣ ଏକକ ଶିକ୍ଷକ ଓ ୮୮ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଭଣ୍ଡାରିପୋଖରୀରେ ୧୧ ଜଣ ଏକକ ଶିକ୍ଷକ ଓ ୧୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ବନ୍ତରେ ୯ ଜଣ ଏକକ ଶିକ୍ଷକ ଓ ୨୮ ଜଣଙ୍କୁ, ଚାନ୍ଦବାଲିରେ ୨୮ ଜଣ ଏକକ ଶିକ୍ଷକ ଓ ୨୭ ଜଣ, ତିହିଡିରେ ୧୫ ଜଣ ଏକକ ଓ ୧୨ ଜଣ ଓ ଧାମନଗର ବ୍ଲକ୍ରେ କେବଳ ୯ ଜଣ ଏକକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏହିସବୁ ନିଯୁକ୍ତି ଆନୁପାତିକ ହାରରେ ଦିଆଯାଇଛି ବୋଲି ଜିଲା ଶିକ୍ଷାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।