Odiapua.com

୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦ ଦିବସ ଅବସରରେ ସିପିଆଇ(ଏମ୍‌-ଏଲ୍‌) ରେଡ୍‌ଷ୍ଟାର ପକ୍ଷରୁ ପ୍ରତିବାଦ ଧାରଣା

ଭୁବନେଶ୍ୱର, ୦୩/୦୭ (ଓଡ଼ିଆ ପୁଅ) – କୋଭିଡ୍ ବାହାନାରେ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିଥିବା ସମସ୍ତ ଜନ ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର ଦାବିରେ ଏବଂ କରୋନା ମୁକାବିଲାର ବିଫଳତା ପ୍ରତିବାଦରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦ ଦିବସ ଅବସରରେ ସିପିଆଇ (ଏମ୍‌-ଏଲ୍‌) ରେଡ୍‌ଷ୍ଟାର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଧାରଣା ପ୍ରଦର୍ଶନ ଆୟୋଜିତ ହୋଇଯାଇଛି। ଅପରାହ୍ନ ୫ ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ଧାରଣାସ୍ଥଳୀରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପାର୍ଟି ରାଜ୍ୟ ସମ୍ପାଦକ କମ୍ରେଡ୍ ଶିବରାମ ତାଙ୍କ ବକ୍ତବ୍ୟରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀତା ଯୋଗୁଁ କୋରନା ସଂକ୍ରମଣ ଓ ମୃତ୍ୟୁ ହାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଏବଂ ବ୍ୟାପକ ଦେଶବାସୀ ରୋଜଗାର ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। କରୋନା ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ। ସରକାର ଏହାକୁ ଏକ ଜନସ୍ୱାସ୍ଥ୍ୟ ଜନିତ ସମସ୍ୟାଭାବେ ବିଚାର ନକରି ଯୁଦ୍ଧ ଆଖ୍ୟାଦେଇ ଆଇନ ଶୃଙ୍ଖଳାର ସମସ୍ୟାଭାବେ ବିବେଚନା କରି ଲକ୍ ଡ଼ାଉନ ସଟ୍ ଡ଼ାଉନ୍ ଆଦିକୁ ଆଳ କରି ସରକାରଙ୍କ ପ୍ରକୃତ କର୍ପୋାରେଟ୍ ସପକ୍ଷବାଦୀ ଫାସିବାଦୀ ଏଜେଣ୍ଡାକୁ ଲାଗୁ କରିଚାଲିଛନ୍ତିି। ସରକାର ତୁରନ୍ତ ତାଙ୍କ ଅଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ସେ ଦୃଢ଼ ଚେତାବନୀ ଦେଇଥିଲେ। ଏହି ଧାରଣାରେ ଶତାଧିକ ଶ୍ରମିକ କୃଷକ ଛାତ୍ର ଯୁବକ ମହିଳା ଦଳିତ ଆଦିବାସୀ ବସ୍ତିବାସୀ କ୍ଷୁଦ୍ର ବ୍ୟବସାୟୀ ଆଦି ଯୋଗଦେଇ ସରକାର ର‌୍ୟାପିଡ଼୍ କରୋନା ଟେଷ୍ଟ ଓ ସମସ୍ତଙ୍କୁ ସମ୍ପୂ୍‌ର୍ଣ୍ଣ ମାଗଣା ଚିକିତ୍ସା କରିବା, ଆୟକର ପରିସରଭୁକ୍ତ ହୋଇନଥିବା ସବୁ ପରିବାରକୁ ମାସିକ ୧୦ ହଜାର ଟଙ୍କା ନଗଦ ଓ ମୁଣ୍ଡପିଛା ୧୦ କିଲୋ ଚାଉଳ ଅବା ଗହମ ଯୋଗେଇଦେବା, ଘୋଷିତ ସମସ୍ତ କୋଭିଡ୍ ୧୯ ସହାୟତା ରାଶି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଦାନ କରିବା, ୧୨ ଘଣ୍ଟିଆ ଶ୍ରମ ଦିବସ ଓ କାରଖାନା ଆଇନରେ ଶ୍ରମିକ ବିରୋଧୀ ସଂଶୋଧନ ବାତିଲ କରିବା, ଲକ୍ ଡ଼ାଉନ୍ ଅବଧିର ପୁରା ଦରମା ପ୍ରଦାନ କରିବା, ଶ୍ରମିକ ଛଟେଇ ବନ୍ଦ, ଚୁକ୍ତି ଭିତ୍ତିକ ଚାଷ ବାତିଲ, ପେଟ୍ରୋଲ ଡ଼ିଜେଲ ଉପର ବର୍ଦ୍ଧିତ ସମସ୍ତ ପ୍ରକାର ଟିକସ ପ୍ରତ୍ୟାହାର, ରେଳବାଇକୁ ଘରୋଇ ମାଲିକାନା ହାତକୁ ଟେକିଦେବା ନୀତି ବାତିଲ, ସବୁ ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ନିଯୁକ୍ତି, ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ସମସ୍ତ ଶିଳ୍ପକୁ ତୁରନ୍ତ ଚାଲୁ କରିବା, ମନ୍‌ରେଗା ଶ୍ରମିକଙ୍କୁ ମାସିକ ୨୦୦ ଦିନର କାମ ଓ ସର୍ବନିମ୍ନ ଦୈନିକ ୫୦୦ ଟଙ୍କାର ମଜୁରୀ, ମନ୍‌ରେଗା କାମରେ ନିଯୁକ୍ତ ସମସ୍ତ ମେସିନ୍ ଜବତ କରିବା, କରୋନା ସମୟରେ ବସ୍ତି ଓ ଉଠାଦୋକାନୀ ଉଚ୍ଛେଦ ବନ୍ଦ, ଘରୋଇ ଓ ଅଣସଂଗଠିତ ଶ୍ରମିକଙ୍କ ପାଇଁ ସହାୟତା ଘୋଷଣା କରିବା ଆଦି ଦାବି ଉପସ୍ଥାପନ କରି ଶ୍ଳୋଗାନ ଓ ବକ୍ତବ୍ୟ ଦେଇଥିଲେ। ଉପରୋକ୍ତ ୨୦ ଦଫା ଦାବିରେ ପାର୍ଟି ରାଜ୍ୟ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରାଯାଇଛି। ସିପିଆଇ(ଏମ୍‌-ଏଲ୍‌) ରେଡ୍‌ଷ୍ଟାର ପାର୍ଟି ନେତା ରାଜେନ୍ଦ୍ର ପ୍ରସାଦ ବାରିକ, ପ୍ରମିଳା ବେହେରା, ରଞ୍ଜନ ମିଶ୍ର, ସୁବଳ ସାହୁ, ରାକେଶ, ହେନା ବାରିକ, ବିଜୟ ବାରିକ, ରାଧାରାଣୀ ମହାରଣା, ରାମଚନ୍ଦ୍ର ସାହୁ, ଶିଖର ଭୋଇ ଆଦି ଏହି ପ୍ରତିବାଦ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।