Odiapua.com

୩୭ ତମ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ, ଦୁର୍ଘଟଣା ହ୍ରାସ ପାଇଁ ସଂପୃକ୍ତ ସମସ୍ତ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଭାସି ଜରିଆରେ ୩୭ ତମ ଭଦ୍ରକ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଉପଜିଲ୍ଲାପାଳ ମନୋଜ ପାତ୍ର, ରାଜପଥ କର୍ତ୍ତୃପକ୍ଷ ଜେ.ପି. ବର୍ମା ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ କମିଟି ସଦସ୍ୟବୃନ୍ଦ ଏହି ବୈଠକ ସହିତ ଯୋଡ଼ିହୋଇ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବୈଠକର ଆବାହକ ତଥା ସଂଯୋଜକ ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁଙ୍କ ଦ୍ୱାରା ସଡ଼କ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ନେଇ ବିବରଣୀ ଉପସ୍ଥାପନ ଆଧାରରେ ବୈଠକରେ ସମୀକ୍ଷା କରାଯାଇଥିଲା । ସୁପ୍ରିମ୍ କୋର୍ଟ କମିଟିର ନିର୍ଦ୍ଦେଶାନୁଯାୟୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ଜିଲ୍ଲା ସ୍ତରରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଓ ଆବଶ୍ୟକ ଉପକରଣ ଯନ୍ତ୍ରପାତି ନିମନ୍ତେ ବାଣିଜ୍ୟ ପରିବହନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ କମିଟିକୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବା ନେଇ ଆସିଥିବା ସୂଚନା ସମ୍ବନ୍ଧରେ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଥିନିମନ୍ତେ ଜିଲ୍ଲା ସ୍ତରରେ କେଉଁ ଯନ୍ତ୍ରପାତି ଅଛି କ’ଣ ଆବଶ୍ୟକ ତାର ତାଲିକା ପ୍ରସ୍ତୁତି ସହ ସଡ଼କ ସୁରକ୍ଷା ଜନିତ ବିଭିନ୍ନ ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥର ଅଟକଳ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ଆର.ଟି.ଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସଡ଼କ ଦୁର୍ଘଟଣାର କାରଣ ଓ ନିରାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ୪ ଇ-ଏନ୍‌ଫୋର୍ସମେଣ୍ଟ ଏଜୁକେସନ୍‌, ଇଞ୍ଜିନିୟରିଂ ଓ ଏମରଜେନ୍‌ସି କେୟାର ସୋପାନ ଆଧାରରେ ଜିଲ୍ଲାପାଳ ଆଲୋଚନା ଆରମ୍ଭ କରିଥିଲେ ।

ପୂର୍ବ ବୈଠକର ନିଷ୍ପତ୍ତି କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ସମୀକ୍ଷା କରି ବାକିଥିବା କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସର୍ଭିସ୍ ରୋଡ଼୍‌କୁ ଲାଗି ବିଭିନ୍ନ ଛକ ମାନଙ୍କରେ ଥିବା ଦୋକାନ ଯୋଗୁଁ ଜାତୀୟ ରାଜପଥରେ ଅନିୟମିତ ପାର୍କିଂ ଅନେକ ଦୁର୍ଘଟଣାର କାରଣ ହେଉଛି ବୋଲି କମିଟି ସଦସ୍ୟ ଅତିସ ବେହେରାଙ୍କ ଅଭିଯୋଗ ଆଧାରରେ ଚିହ୍ନଟ ଜାଗା ମାନଙ୍କରେ ଦୋକାନ ସବୁ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ବିଭିନ୍ନ ରାସ୍ତାରେ ଥିବା ହମ୍ପସ୍ ଉଚ୍ଛେଦ ପାଇଁ ମଧ୍ୟ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଗଲା । ସେହିପରି ବସ ସିଣ୍ଡିକେଟର ଶ୍ରୀନିବାସ ପତିଙ୍କ ପ୍ରଦତ୍ତ ମତାମତ ଅନୁଯାୟୀ ଜାତୀୟ ରାଜପଥରୁ ଜିଲ୍ଲୀର ବିଭିନ୍ନ ମୁଖ୍ୟ ରାଜ୍ୟ ରାଜପଥ, ଭଦ୍ରକ ସହରକୁ ପ୍ରବେଶ ପାଇଁ ଓ ସୀମିତ ଗତି ବିଷୟରେ ସୂଚନା ପ୍ରଦାନ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇ ସାଇନେଜ୍ ଲଗାଯିବାକୁ ଆର.ଟି.ଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟ ଶତପ୍ରତିଶତ କରାଯିବା ନେଇ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ନିଷ୍ପତ୍ତି ଆଧାରରେ ଗ୍ରାମାଞ୍ଚଳ ରାସ୍ତା ମାନଙ୍କରେ ମଧ୍ୟ ସାଇନେଜ୍ ପାଇଁ ପଦକ୍ଷେପ ନେବାକୁ ଆର ଡ଼ି-୧ ଏବଂ ଆ ଡ଼ି-୨ ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଗେଲପୁର ଓ ରାଣୀତାଲ ଠାରେ ସର୍ଭିସ ରୋଡ଼ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଠିକ୍ ଭାବେ ଜଳୁ ନଥିବା ଷ୍ଟ୍ରିଟ୍ ଲାଇଟ୍ ସବୁ ସଜାଡ଼ିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା । ଆର.ଟି.ଓ.ଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ମତେ ୨୦୨୨ ରେ ମଇ ମାସ ସୁଦ୍ଧା ୧୩୩ ଟି ଦୁର୍ଘଟଣା ଘଟିଥିଲା ଓ ସେଥିରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ ରେ ସେହି ସମୟ ମଧ୍ୟରେ ୧୨୪ ଟି ଦୁର୍ଘଟଣା ଘଟିଛି ଏବଂ ୫୫ ଜଣଙ୍କର ମୃତ୍ୟୁ ଘଟିଛି । ଗତ ମଇ ମାସ ମଧ୍ୟରେ ୨୩ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଇଥିଲେ । ଦୁର୍ଘଟଣା ହାର ହ୍ରାସ ନିମନ୍ତେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ବିଭିନ୍ନ ଭାଗରେ ବିଭକ୍ତ କରି ଦୁର୍ଘଟଣା ପ୍ରବଣ ଅଞ୍ଚଳ, ବ୍ଲାକ୍‌ସ୍ପଟ ଆଦି ଚିହ୍ନଟ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସମ୍ବନ୍ଧରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ ।