Odiapua.com

୩୫ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ୩୫ତମ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ସନତ କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଏସ୍‌.ପି. ଚରଣ ସିଂ ମୀନା, ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇଥିବାବେଳେ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ବୈଠକରେ ପ୍ରଦତ୍ତ ସୂଚନା ଅନୁଯାୟୀ ୨୦୨୨ ମାର୍ଚ୍ଚ ସୁଦ୍ଧା ୩ ମାସ ମଧ୍ୟରେ ସମୁଦାୟ ୭୭ଟି ଦୁର୍ଘଟଣା ହୋଇଥିଲା ବେଳେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଆର.ଟି.ଓ.ଙ୍କ ଦ୍ୱାରା ଧରପଗଡ଼ରେ ନିଶାଗ୍ରସ୍ତ ଗାଡ଼ିଚାଳନା ପାଇଁ ୨୭୦ ଧାର୍ଯ୍ୟ ଲକ୍ଷ୍ୟ ଥିଲାବେଳେ ୨ଟି କେଶ୍ ଚିହ୍ନଟ ହୋଇଛି। ପୋଲିସ୍ ପାଇଁ ୪୬୦ ଲକ୍ଷ୍ୟ ଧାର୍ଯ୍ୟ ଥିଲାବେଳେ କୌଣସି କେଶ୍ ଚିହ୍ନଟ ହୋଇନାହିଁ। ହେଲମେଟ୍ ଆଇନ୍ ଅମାନ୍ୟରେ ଆର.ଟି.ଓ.ଙ୍କ ପାଇଁ ୧୮୦୦ ଧାର୍ଯ୍ୟ ଲକ୍ଷ୍ୟ ଥିଲାବେଳେ ୨, ୪୩୮ ଚିହ୍ନଟ କରାଯାଇ ୧୭୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍‌ସ ରଦ୍ଦ କରାଯାଇଛି। ପୋଲିସ ଦ୍ୱାରା ଏଥିରେ ୬୨୫୦ ଧାର୍ଯ୍ୟ ଲକ୍ଷ୍ୟରୁ ୪, ୩୮୭ ଚିହ୍ନଟ କରାଯାଇ ୪୦ ଜଣଙ୍କ ଲାଇସେନ୍‌ସ ରଦ୍ଦ କରାଯାଇଛି। ଅଧିକ ବେଗରେ ଗାଡ଼ିଚାଳନାରେ ଆର.ଟି.ଓ.ଙ୍କ ପାଇଁ ୯୦୦ ଧାର୍ଯ୍ୟ ଲକ୍ଷ୍ୟ ଥିଲାବେଳେ ୧୧୦୬ ଜଣଙ୍କୁ ଚିହ୍ନଟ କରାଯାଇ ୨୬୭ ଜଣଙ୍କର ଲାଇସେନ୍‌ସ ରଦ୍ଦ କରାଯାଇଛି। ପୋଲିସ୍‌ଙ୍କ ଦ୍ୱାରା କୌଣସି କେଶ୍ ଚିହ୍ନଟ କରାଯାଇନାହିଁ। ସମୀକ୍ଷା ଅନୁଯାୟୀ ସନ୍ଧ୍ୟା ସମୟରେ, ଦୁଇଚକିଆ ଯାନ ଦ୍ୱାରା ଏବଂ ଜାତୀୟ ରାଜପଥ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା ଘଟିଥିବା ଶ୍ରୀଯୁକ୍ତ ଜେନା ପ୍ରକାଶ କରିଥିଲେ।

ଏହି ଦିଗରେ ନିଶା ଜନିତ ଓ ହେଲମେଟ୍ ବିହୀନ ଗାଡ଼ିଚାଳନାରେ ଅଧିକ ଧରପଗଡ଼ ଓ ସଚେତନତା ବୃଦ୍ଧି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବ୍ଲାକ୍ ସ୍ପଟ୍ ଭାବେ ପୂର୍ବରୁ ଚିହ୍ନଟ କରାଯାଇଥିବା ଡାହାଣିଗଡ଼ିଆ ଛକ, ତ୍ରିଶଳପୁର ଛକ ଓ ରାଣୀତାଲ ଛକ ମଧ୍ୟରୁ ରାଣୀତାଲ ବ୍ୟତୀତ ଅନ୍ୟ ଦୁଇଟି ଗତ ୩ ମାସ ଧରି କୌଣସି ଦୁର୍ଘଟଣା ଘଟି ନଥିବାରୁ ସେଠାକାର ସ୍ଥିତି ସୁଧାରି ଯାଇଥିବା ଜଣାପଡ଼ିଛି ଏବଂ ସେ ଦୁଇଟିକୁ ବ୍ଲାକ୍ ସ୍ପଟ୍ ତାଲିକାରୁ ବାଦ ଦିଆଯାଇ ୩/୪ ରୁ ଅଧିକ ଦୁର୍ଘଟଣା ଘଟୁଥିବା ଜାଗାକୁ ନୂଆ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଉ ବୋଲି ଏସ୍‌.ପି. ନିର୍ଦ୍ଦେଶ ଦେଇଥିଲେ। ଆରଡ଼ି ଛକ, ନୂଆ ବସ୍ ଷ୍ଟାଣ୍ଡ ଆଦି ଜାଗାରେ ସର୍ଭିସ୍ ରୋଡ଼ର ମରାମତି, ଧାମନଗର, ବିଷ୍ଣୁପୁର, ବାରିକପୁର ଛକ ମାନଙ୍କରେ ସାଇନ୍‌ବୋର୍ଡ, ରାଣୀତାଲ ଛକରେ ଥିବା ୩ଟି ହମ୍ପ୍‌ସ ପୂର୍ବରୁ ସାଇନେଜ୍ ଲଗାଯିବା, ଚରମ୍ପା ଟ୍ରକ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ହମ୍ପ୍‌ସ ନିର୍ମାଣ ପାଇଁ ଉପସ୍ଥିତ ଡି.ବି.ଏଲ୍‌. କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜାମୁଝାଡ଼ି-ଧାମରା ରାସ୍ତା ନିର୍ମାଣରେ ଅଗ୍ରଗତି ଓ ସମସ୍ୟା ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଭଦ୍ରକ ସହର ରାସ୍ତାରେ ପାର୍କିଂ ଓ ରାସ୍ତା ଅବରୋଧ ସମସ୍ୟା ସମାଧାନ ପାଇଁ ରୋଟାରିଆନ୍‌, ମିତଟାଉନ୍ ଅତିଶ ବେହେରା ଅନୁରୋଧ କରିବା ସହିତ ଏହି ସଡ଼କ ସୁରକ୍ଷା ବୈଠକ ଅନ୍ତତଃ ତିନିମାସରେ ଥରେ ଡକାଯିବା ପାଇଁ ପ୍ରସ୍ତାବ ଦେଇଥିଲେ। କମିଟିର ଅନ୍ୟତମ ସଦସ୍ୟ ଭାବେ ସାମ୍ବାଦିକ ରବିନାରାୟଣ ଖିଲାର, ବସ୍ ମାଲିକ ସଂଘର କର୍ମକର୍ତ୍ତା ଶ୍ରୀନିବାସ ପତି, ପାର୍ଥସାରଥି ମହାପାତ୍ର, ଅକ୍ଷୟ କୁମାର ପାଢ଼ୀ, ଗଗନ ବିହାରୀ ରାଉତ, ରତିକାନ୍ତ ପରିଡ଼ା, ପ୍ରଦୀପ କୁମାର ଦାସ ପ୍ରମୁଖ ମଧ୍ୟ ବୈଠକରେ ଆଲୋଚନା ଅନୁଯାୟୀ ପଦକ୍ଷେପ ନିଆଯାଉ ବୋଲି ମତାମତ ରଖିଥିଲେ।