Odiapua.com

୩୦ତମ ରୋଟାରୀ ଅଧିଷ୍ଠାନ ଉତ୍ସବ

ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରୋଟାରୀ ଭବନଠାରେ ୩୦ତମ ରୋଟାରୀ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ, ଜିଲ୍ଳା କଂଗ୍ରେସ ସଭାପତି ତଥା ରୋଟାରୀଆନ ରଣଜିତ୍ ଦାଶଙ୍କ ପୌରହିତ୍ୟ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି, ଉଚ୍ଚଶିକ୍ଷା ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ରୋଟାରିଆନମାନଙ୍କ ବନ୍ଧୁତ୍ୱ, ଭାଇଚାରା ଓ ସେବା ମନୋଭାବ ସେମାନଙ୍କ ପରିଚୟ ସୃଷ୍ଟି କରୁବୋଲି କହିବା ସହିତ ଆଜିର ଯୁବପିଢୀ ଅନ୍ୟକ୍ଷେତ୍ରରେ ଆଗ୍ରହ ଦେଖାଉଥିବାବେଳେ ସେବା କରିବାର ମାନସିକତାଠାରୁ ବହୁ ଦୂରରେ ବୋଲି କହିଥିଲେ। ତେଣୁ ପ୍ରତ୍ୟେକ ସ୍ୱେଚ୍ଛାସେବୀ ଅନ୍ୟୁନ ଦଶଜଣ ସ୍ୱେଚ୍ଛାସେବୀଙ୍କୁ ସୃଷ୍ଟି କରିବା ସହିତ ସମାଜରେ ସେବା ମନୋଭାବ ରଖି ଏଥିପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ଜିଲାପାଳ ଡ.ଏନ ତିରୁମାଳା ନାୟକ ରୋଟାରିଆନମାନଙ୍କ କାର୍ଯ୍ୟାବଳୀକୁ ଉଚ୍ଚ ପ୍ରଶଂସା କରିବା ସହିତ ଜିଲା ପ୍ରଶାସନର ସହଯୋଗ ସଦାବେେଳେ ରହିବ ବୋଲି କହିଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ରୋଟାରିଆନ ପ୍ରମୋଦ କୁମାର ପଟ୍ଟନାୟକ ଉତ୍ସବର ଉଦ୍ଦେଶ୍ୟ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ଅନୁଷ୍ଠାନର ପ୍ରଗତୀ ଉପରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦାୟୀ ସଂପାଦକ ଲକ୍ଷ୍ମୀନାରାୟଣ ରଥ ବିବରଣୀ ପାଠ କରିଥିବାବେଳେ ପୂର୍ବତନ ନଗରପାଳିକା ନିରୂପମା ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।