Odiapua.com

୩୦ଏକର ଚାଷ ଜମି ଜଳମଗ୍ନ

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ୩ନଂ ୱାର୍ଡ଼ ଅନ୍ତର୍ଗତ ଭଗାରାମ ଗ୍ରାମରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ଲଘୁଚାପ ବର୍ଷା ଗ୍ରାମବାସୀଙ୍କ ଚିନ୍ତା ବଢାଇଦେଇଛି। ଏହି ଗ୍ରାମବାସୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ କେବଳ ଧାନ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବ୍ୟାଙ୍କ ଓ ଗାଁ ମହାଜନୀଙ୍କ ଠାରୁ ଲୋନ କରି ଏହି ଚାଷ କରିଥାନ୍ତି। ବାରମ୍ବାର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରାୟ ୩୦ଏକର ଜମିରେ ପାଣି ଜମି ରହିବା ଫଳରେ ଏହା ଚାଷ ଉପରେ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ଚାଷୀ ମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଜଳନିଷ୍କାସନ ପାଇଁ କୈାଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏହି ଗ୍ରାମ ଦେଇ ମୁଣ୍ଡଳୀ, ରଇଁତରା ଓ ନୂଆପୋଖରୀ ଗ୍ରାମର ଜଳ ପ୍ରଭାବିତ ହେଉଥିଲେ ସୁଦ୍ଧା ଏହା ନିଷ୍କାସନ ନ ହୋଇ ପାରି ବାରମ୍ବାର ଦୀର୍ଘଦିନ ଧରି ଜମି ରହୁଛି ଏବଂ ପୂର୍ବରୁ ନିର୍ମିତ କେନାଲ ମୁଣ୍ଡଳୀ ମାଇନରରୁ ବାଙ୍କତିରା ମାଇନରକୁ ସଂଯୋଗ କରୁଥିଲେ ସୁଦ୍ଧା ଜଗନ୍ନାଥପୁର ଗ୍ରାମ ଠାରେ ଥିବା କାଡ଼ା ନାଳକୁ ବନ୍ଦ କରି ଦିଆଯାଇଥିବାରୁ ବର୍ତ୍ତମାନ ବର୍ଷା ଜଳ ନିଷ୍କାସନ ହୋଇ ନପାରି ପାଖାପାଖି ୩୦ ଏକର ଚାଷ ଉପଯୋଗି ଜମି ରେ ପାଣି ଜମି ରହିଛି। ପ୍ରତିବର୍ଷ ଗ୍ରାମବାସୀଙ୍କ ଦ୍ୱାରା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଅଦ୍ୟାବଧି କିଛି ସୁଫଳ ମିଳିପାରୁନଥିବା ଜଣାପଡ଼ିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।