Odiapua.com

୩ରେ ଓଡ଼ିଶା ଆସିବେ ତୋଗାଡ଼ିଆ

ଭୁବନେଶ୍ୱର;୨୫,ସେପ୍ଟେମ୍ବର:ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚପି)ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ:ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଆସୁଛନ୍ତି।ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚିୟୁଟ ଅଫ ଇଞ୍ଜିନିୟରସଠାରେ ତୋଗାଡ଼ିଆ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେବେ ବୋଲି ଓଡ଼ିଶା ଶାଖା ସଭାପତି ସଂଗ୍ରାମ ଆଚାର୍ଯ୍ୟ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଡଃ: ପ୍ରବୀଣ ତୋଗାଡ଼ିଆ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ରେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ।ବଜରଙ୍ଗ ଦଳ ସଙ୍ଗଠନ ବିସ୍ତାରରେ ତୋଗାଡ଼ିଆଙ୍କର ପ୍ରମୁଖ ଭୂମିକା ରହିଛି।ତେବେ ତୋଗାଡ଼ିଆଙ୍କ ଗାଡ଼ି ଦୁର୍ଘଟଣା,ହଠାତ ନିଖୋଜ ହୋଇ ଅଚେତ ଅବସ୍ଥାରେ ଉଦ୍ଧାର ହେବା, ପୁଲିସ ତାଙ୍କୁ ଏନକାଉଣ୍ଟର କରିବା ସନ୍ଦେହ ଅଭିଯୋଗ ଆଦି ଘଟଣା ପରେ ଭିଏଚପି ସଭାପତି ନିର୍ବାଚନରେ ତୋଗାଡ଼ିଆଙ୍କ ସମର୍ଥକ ନିର୍ବାଚନ ହାରି ଯାଇଥିଲେ।ଏହା ପରେ ତୋଗାଡ଼ିଆ ଭିଏଚପି ଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ।ମୋଦୀ ଏବଂ ଅମିତ ଶାହାଙ୍କ ସହ ତାଙ୍କର ମନାନ୍ତର ଏହାର କାରଣ ବୋଲି କୁହାଗଲା।ଏବଂ ତୋଗାଡ଼ିଆଙ୍କ କଥାକୁ ଆଉ ସେତେଟା ଗୁରୁତ୍ୱ ଦିଆଗଲାନି।ମୂଳ ସଙ୍ଗଠନଠାରୁ ଦୂରେଇ ସେ ଅବା ଆଉ କଣ କରି ପାରିବେ ବୋଲି ତୋଗାଡ଼ିଆଙ୍କୁ ହେୟଜ୍ଞାନ ମନେ କରାଗଲା।

କିନ୍ତୁ ଭିତରେ ଭିତରେ “ହିନ୍ଦୁ ହି ଆଗେ” ନ୍ୟାରାରେ “ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ” ନାମରେ ଏକ ସଙ୍ଗଠନ ଆରମ୍ଭ କରି ବିଭିର୍ଣ୍ଣ ରାଜ୍ୟରେ ସଙ୍ଗଠନ ଆରମ୍ଭ କରିଦେଇଛନ୍ତି ତୋଗାଡ଼ିଆ।କଟରପନ୍ଥୀ ହିନ୍ଦୁ ମାନେ ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି।ତୋଗାଡ଼ିଆଙ୍କୁ ଭଲ ଫଳ ପ୍ରାପ୍ତି ହେଉଛି।ଏବେ ଆସାମରେ ଏଏଚପିର ଖୁବ୍ ଭଲ ସଙ୍ଗଠନିକ କାମ ହୋଇଛି।ଏବଂ ନିଜ ସଙ୍ଗଠନର କାୟା ବିସ୍ତାର କରିବା ପାଇଁ ଏବେ ଓଡ଼ିଶା ଆସୁଛନ୍ତି ତୋଗାଡ଼ିଆ।/ଦେବଦତ୍ତ