ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୪-ସରକାର କୋଭିଡ୍-୧୯ ର ଆଡଭାଇଜରି ରେ ସ୍ୱତନ୍ତ୍ର ନିର୍ଦ୍ଧେଶନାମା କରିଥିଲେ ଯେ ସମସ୍ତ ସହରାଂଚଳ ଓ ଗ୍ରାମାଚଂଳ ର ବିଦ୍ୟୁତ୍ ଆଲୋକ ନୀରବଛିନ୍ନ ରହିବ । ତେଣୁ ଲକ୍ଡାଉନ୍ ସମୟରେ ସମସ୍ତ ବିଦ୍ୟୁତ୍ କର୍ମଚାରୀଙ୍କୁ ପାସ୍ ପ୍ରଦାନ କରାଯାଇଥିଲା । କିନ୍ତୁ ଚାନ୍ଦପୁର ସେସୁ ଲାଇନ୍ସ ମ୍ୟାନ୍ ଗାଡି ତେଲ ଖର୍ଚ୍ଚ ପାଇଁ ଅର୍ଥ ଦାବି କରି ଅନେକ ଗାଁ ଅନ୍ଧାରରେ ରଖୁଥିବା ଜଣା ପଡିଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ବାଲୁଗାଁ ସେସୁ ଡିଭିଜନ୍ ଅଧିନରେ ଥିବା ଚାନ୍ଦପୁର ସେସୁ ଅଂଚଳର ବନ୍ଧମୁଣ୍ଡା ପଂଚାୟତ ରେ । ନେଳିପଡା ଗ୍ରାମରେ ଦୀର୍ଘ ୨ ମାସ ହେଲା ଗ୍ରାମର ୧୮ଗୋଟି ଉପଭୋକ୍ତା ପରିବାର ଅନ୍ଧାରରେ । ସ୍ୱାଧିନତାର ୭୦ ବର୍ଷ ପର୍ଯ୍ୟନ୍ତ ଏହି ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ବିଦ୍ୟୁତ୍ ଆଲୋକ ଦେଖି ନଥିଲା । ୨ ବର୍ଷ ତଳେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଂଚଳକୁ ବିଦ୍ୟୁତ୍ ଯୋଗାଇବା ପାଇଁ ପଦକ୍ଷେପ ନେଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ପଂଚାୟତର ଅନେକ ଗାଁ ମାସର ୧୦ଦିନ ବିଦ୍ୟୁତ୍ ଆଲୋକ ପାଉଥିବା ବେଳେ ୨୦ଦିନ ଅନ୍ଧାରରେ ରହୁଥାନ୍ତି ।
ସେଠାରେ ସେସୁର କାର୍ଯ୍ୟରତ ଲାଇନସ ମ୍ୟାନ୍ ପ୍ରମୋଦ କୁମାର ସେଠୀ ସେହି ପଂଚାୟତ ରେ ନ ରହି ଜଙ୍କିଆ ଗ୍ରାମ ପଂଚାୟତରେ ରହି ଆସୁଛନ୍ତି । ତେଣୁ ଗ୍ରାମ ମାନଙ୍କରେ ବିଦ୍ୟୁତ୍ ବ୍ରେକ ଡାଉନ୍ ହେଲେ ବିଦ୍ୟୁତ୍ ସଜାଡିବା ପାଇଁ ସେହି ଅଂଚଳକୁ ଗଲେ ଗ୍ରାମବାସୀ ମାନଙ୍କୁ ଗାଡିର ତେଲ ଖର୍ଚ୍ଚ ପାଇଁ ଅର୍ଥ ଦାବି କରିଥାନ୍ତି । ଗ୍ରାମର ବିଦ୍ୟୁତ୍ ଉପଭୋକ୍ତାମାନେ ଚାନ୍ଦା କରି ତେଲ ଖର୍ଚ୍ଚ ପାଇଁ ଅର୍ଥ ଦେବା ପରେ ବିଦ୍ୟୁତ୍ ସଂଯୋଗ କରିଥାନ୍ତି । କିନ୍ତୁ ନେଳିପଡା ଗ୍ରାମ ୨ମାସ ଅନ୍ଧାରରେ ରହିବା ପରେ ଗତ ୨୮ ତାରିଖ ଦିନ ଲାଇନ୍ସ ମ୍ୟାନ୍ ସେହି ଗ୍ରାମକୁ ଯାଇଥିଲେ । ଗ୍ରାମର ଉପଭୋକ୍ତା ମାନେ ଚାନ୍ଦା କରି ୫୦୦ଟଙ୍କା ତେଲ ଖର୍ଚ୍ଚ ଦେବା ପରେ ଏବେବି ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ନେଳିପଡାର ବିମଳା ପ୍ରଧାନଙ୍କର ଅଭିଯୋଗ ଅନୁଯାୟୀ ଅନେକ ସମୟରେ ଲାଇନ୍ସ ମ୍ୟାନ୍ ତେଲ ଖର୍ଚ୍ଚ ନ ଦେଲେ କାର୍ଯ୍ୟ କରନ୍ତି ନାହିଁ । ସେହି ନେଳିପଡା ଗ୍ରାମର ଭୀମ ପ୍ରଧାନ ଅଭିଯୋଗ କରନ୍ତି ଯେ ଲାଇନ୍ସ ମ୍ୟାନ୍ ପ୍ରମୋଦ କୁମାର ସେଠୀ ୫୦୦ଟଙ୍କା ତେଲ ଖର୍ଚ୍ଚ ପାଇଁ ନେଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ଦେଉ ନାହାନ୍ତି । ଏ ସମ୍ପର୍କେ ଅଭିଯୁକ୍ତ ଲାଇନ୍ସ ମ୍ୟାନ୍ ପ୍ରମୋଦ କୁମାର ସେଠୀଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସେହି ଗ୍ରାମବାସୀ ମାନେ ମନଇଛା ଫ୍ୟୁଜ୍ ପକାଇ ଲାଇନ୍ କୁ ସଟ୍ଡାଉନ୍ କରୁଛନ୍ତି । ତେଣୁ ଅନେକ ସମୟରେ ସେହି ଗ୍ରାମ ମାନଙ୍କରେ ବିଦ୍ୟୁତ୍ ସଂଯୋଗ ଠିକ୍ ଭାବରେ ରହୁନାହିଁ । ତେଲ ଖର୍ଚ୍ଚ ପାଇଁ ନେଇଥିବା ୫୦୦ ଟଙ୍କା କୁ ଅସ୍ୱୀକାର କରନ୍ତି । ଅପରପକ୍ଷେ ଗ୍ରାମର ଉପଭୋକ୍ତା ମାନଙ୍କ କହିବା ଅନୁଯାୟୀ ଏହି ଅଂଚଳ ରିଜର୍ଭ ଜଙ୍ଗଲ ରେ ଅବସ୍ଥିତ ।
ତେଣୁ ସେଠାରେ କାର୍ଯ୍ୟରତ ଲାଇନ୍ସ ମ୍ୟାନ୍ ସେହି ଅଂଚଳରେ ନ ରହି ବହୁଦୁର ଜଙ୍କିଆ ପଂଚାୟତରେ ରହିବା ଯୋଗୁଁ ତାଙ୍କ ସହ ଯୋଗା ଯୋଗ ହୋଇ ପାରୁନାହିଁ । ସହ ଯେ ସେହି ଅଂଚଳରେ ମୋବାଇଲ୍ ଟାୱାର ନାହିଁ । ତେଣୁ ବିଦ୍ୟୁତ୍ ଉପଭୋକ୍ତା ମାନେ ଲାଇନ୍ସ ମ୍ୟାନ୍ ଙ୍କ ସହ ଯୋଗା ଯୋଗ କରିବା ସମ୍ଭବପର ହୋଇ ପାରୁନାହିଁ । ତେଣୁ ସେସୁ ଉଚ୍ଚ କର୍ତ୍ତୁପକ୍ଷ ବନ୍ଧମୁଣ୍ଡା ଅଂଚଳରେ କାର୍ଯ୍ୟରତ ଲାଇନ୍ସ ମ୍ୟାନ୍ କୁ ସେହି ଅଂଚଳରେ ରହିବାର ବ୍ୟବସ୍ଥା କରାଇଲେ କାର୍ଯ୍ୟ କରୁଥିବା ଲାଇନ୍ସ ମ୍ୟାନ୍ ସହ ଯୋଗା ଯୋଗ ସମ୍ଭବ ହେବା ସହ ଲାଇନ୍ସ ମ୍ୟାନ୍ ଆଉ ତେଲ ଖର୍ଚ୍ଚ ଦାବି କରିପାରିବେ ନାହିଁ । ତେଣୁ ନେଳିପଡାରେ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାମର ଉପଭୋକ୍ତା ମାନେ ସେସୁ କର୍ତ୍ତୁପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି ।