ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ପୋଲିସକୁ ଗୋ-ଚାଲାଣ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଥାନା ଅଧୀନ ନଙ୍ଘାମହଲା ଅଂଚଳରେ ଚାଲୁଥିବା ବେଆଇନ ଗୋ-ଚାଲାଣ ସମ୍ପର୍କରେ ଖବର ପାଇ ପୋଲିସ ପୂର୍ବ ଯୋଜନା ଅନୁଯାୟୀ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଗୋ-ଚାଲାଣରେ ବ୍ୟବହୃତ ଏକ ପିକଅପ୍ ଭ୍ୟାନ, ଏକ ବୋଲେରୋ ଓ ବାଇକକୁ ଜବତ କରାଯାଇଥିବା ବେଳେ ୯ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଗୋରୁଗୁଡ଼ିକୁ ବେଆଇନ ଭାବେ ଅନ୍ୟତ୍ର ଚାଲାଣ କରାଯାଉଥିବା ସନ୍ଦେହରେ ପୋଲିସ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଇସ୍ମାଇଲ୍ ଖାନ୍ ଓ ଓହ୍ଲାଦ କାଦ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁରୁଣାବଜାର ପୋଲିସ ପକ୍ଷରୁ ଆଜି ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ ସିଟି ଡ଼ିଏସପି ଅନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲାରେ ବେଆଇନ ଗୋ-ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ କଡ଼ା ନଜରଦାରି ଓ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି। ସ୍ଥାନୀୟ ଅଂଚଳରେ ଏହି ଚଢ଼ାଉ ଓ ଗିରଫ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ବେଆଇନ କାରବାର ବିରୋଧରେ ପୋଲିସର ଏହି ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି।