Odiapua.com

୨୯ ବର୍ଷ ବିତିଲା ଭଡ଼ାଘରେ ଚାଲିଛି ପୋଲିସ ଫାଣ୍ଡି

ନୟାଗଡ଼ ୧୫/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ଦୃତ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ନୂତନ ଥାନା ଓ ପୋଲିସ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଠା ଜାରି ରଖିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରରେ ୩ ଟି ପୋଲିସ ଫାଣ୍ଡି ମୟୁରଝାଲିଆ, ମଝିଆଁଖଣ୍ଡ଼ ଓ ଗଡ଼ବାଣିକିଲୋ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ବର୍ଷ ବର୍ଷ ଧରି ପୋଲିସ ଫାଣ୍ଡି ଭଡ଼ାଘରେ ଚାଲିଛି। ନୂତନ ଫାଣ୍ଡି ଗୃହ ପାଇଁ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ପୋଲିସ ଫାଣ୍ଡି ଗୃହ ନିର୍ମାଣରେ ବିଳମ୍ବ ଘଟୁଛି। ଯାହାଫଳରେ ଭଡ଼ାଘରେ ପୋଲିସ ଫାଣ୍ଡି କାର୍ଯ୍ୟ କରୁଥିବାରୁ ଅଫିସ ଏପରିକି ହାଜତ ଗୃହ ପାଇଁ ଜାଗା ହେଉନାହିଁ। ଏଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ପୋଲିସ ଫାଣ୍ଡିରେ। ତା ୨୩/୦୮/୧୯୯୩ ମସିହାରେ ଦର୍ପନାରାୟଣପୁର ଫାଣ୍ଡି ଠାରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା।

ଡ଼ମସାହି, ଖତିଆ, ରଙ୍କଦେଉଳି ଓ ଦର୍ପନାରାୟଣପୁର ୪ ଗୋଟି ପଞ୍ଚାୟତବାସୀ ଏହି ପୋଲିସ ଫାଣ୍ଡି ଉପରେ ନିର୍ଭର କରନ୍ତି। ଭଡ଼ାଘରେ ଚାଲିଥିବା ଫାଣ୍ଡିରେ ହାଜତ ଗୃହ ତ ଦୂରର କଥା ଅଫିସ କର୍ମଚାରୀ ମାନେ ବସିବା ପାଇଁ ଜାଗା ର ଅଭାବ। କୈାଣସି ଉଚ୍ଚ ଅଧିକାରୀ ମାମଲାର ସୁପରଭିଜନ ପାଇଁ ଗଲାବେଳେ ମଧ୍ୟ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଯାହାଫଳରେ ଅଭିଯୁକ୍ତ ଆସାମୀ ମାନଙ୍କୁ ୧୩ କିଲୋମିଟର ଦୂର ରଣପୁର ଥାନାକୁ ଆଣି ପଚରା ଉଚରା କରାଯାଇଥାଏ। ପୋଲିସ ଫାଣ୍ଡିରେ ପୋଲିସ ଗାଡ଼ି ନଥିବାରୁ ଥାନା କୁ ଆସାମୀ ନେବା ଆଣିବା ପାଇଁ ଅସୁବିଧା କଥା ନକହିବା ଭଲ। ଅନେକ ଥର ନୂତନ ଗୃହ ପ୍ରତିଷ୍ଠା ଲାଗି ସରକାର ଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଅନୁଦାନ ଆସୁନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର ରେ କହିଛନ୍ତି ଶରଣକୂଳ ଉପଖଣ୍ଡ଼ୀୟ ପୋଲିସ ଅଧିକାରୀ କିରଣ ହେମରମ୍।