Odiapua.com

୨୯ ବର୍ଷ ଧରି ଚାକିରୀ କରି ଦରମା ନପାଇ ମାନସିକ ନିର୍ଯ୍ୟାତନାରେ ବାଇଧରଙ୍କ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଧବା ପତ୍ନୀ ଓ କନ୍ୟାଙ୍କ ଧାରଣା

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ କାହ୍ନୁଚରଣ ବିଦ୍ୟାମନ୍ଦିର ସରକାରୀ ହାଇସ୍କୁଲରେ ଦୀର୍ଘ ୨୯ ବର୍ଷ ଧରି ଚାକିରୀ କରି କାଗଜପତ୍ର ଜନିତ ହେରଫେର ଯୋଗୁଁ ଦରମା ନପାଇ ସେହି ଚିନ୍ତାରେ ମୃତ୍ୟୁବରଣ କରିଥିବା ସ୍ଥାନୀୟ ସିଲନ୍ଦି ଗ୍ରାମନିବାସୀ ସ୍ୱର୍ଗତଃ ବାଇଧର ସେଠୀଙ୍କ ବିଧବା ପତ୍ନୀ ରମ୍ଭାମଣୀ ଓ ତାଙ୍କ କନ୍ୟା ସୁଶ୍ରୀ ଗୀତାଞ୍ଜଳି ବାଇଧରଙ୍କ ଚାକିରୀର ବୈଧ୍ୟତା କରାଯାଇ ସମସ୍ତ ବକେୟା ପାଉଣା ଦିଆଯିବା ଓ ପରିବାରର ଜଣକୁ ଚାକିରୀ ଦେବା ଦାବିରେ ଆଜି ଉଭୟ ମା’ ଓ ଝିଅ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ରମ୍ଭାମଣୀ ପୂର୍ବରୁ ଜିଲା ଶିକ୍ଷା ମଣ୍ଡଳାଧୀଶ, ଜିଲାପାଳ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ, କମିଶନର ପ୍ରମୁଖ ଶାସନ ସଚିବ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ କୌଣସି ସୁଫଳ ନପାଇବାରୁ ଆଜି ପୂର୍ବ ଘୋଷଣା ମତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି। ରମ୍ଭାମଣୀଙ୍କ ଅଭିଯୋଗ ମୂଳେ ତାଙ୍କ ସ୍ୱାମୀ ଗତ ୧୯୮୬ ମସିହାରେ ଫାଷ୍ଟ ପିଅନ ଦପ୍ତରୀ ପୋଷ୍ଟରେ ଉକ୍ତ ବିଦ୍ୟାଳୟରେ ଚାକିରୀ କରୁଥିଲେ। ଏହି ହାଇସ୍କୁଲଟି ଗତ ୧୯୯୪ ମସିହାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇଥିଲା। ତାଙ୍କ ସ୍ୱାମୀ ବାଇଧର ନିଯୁକ୍ତି ପାଇବାର ୮ ବର୍ଷ ପରେ ବିଦ୍ୟାଳୟଟି ସରକାରୀ ଅନୁଦାନ ପାଇଥିଲା।

ମାତ୍ର ବିଦ୍ୟାଳୟଟିର ସମସ୍ତ କର୍ମଚାରୀ ଦରମା ପାଇଥିବାବେଳେ ବାଇଧର ସେଥିରୁ ବଂଚିତ ରହିଥିଲେ। ଏ ସଂପର୍କରେ ଯାଞ୍ଚ କରାଯିବାରୁ ତାଙ୍କୁ ପ୍ରଥମ ଦପ୍ତରୀ ପଦବୀରୁ ବହିଷ୍କୃତ କରି ଗଂଗାଧର ପାତ୍ର ନାମକ ଅନ୍ୟ ଜଣଙ୍କୁ ବେଆଇନ୍ ଭାବେ ନିଯୁକ୍ତି ଦିଆଯାଇ ପୂର୍ବ ୮ ବର୍ଷର ଦରମା ପୂର୍ବତନ ପ୍ରଧାନ ଶିକ୍ଷକ ଓ ଜିଲା ଶିକ୍ଷା ମଣ୍ଡଳାଧୀଶ ତାଙ୍କୁ ପ୍ରଦାନ କରିଥିଲେ। ଏ ସଂପର୍କରେ ବାଇଧର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସଂପୃକ୍ତ ଶିକ୍ଷକ ହରିହର ସାହୁ ତାଙ୍କର ସାଳକ ତଥା ବିଦ୍ୟାଳୟର ନୂତନ ସଭାପତି ଅଶୋକ ସାହୁ, ସଂପାଦକ ନରହରି କର ଆକ୍ରୋଶ ମୂଳକ ଭାବେ ବାଇଧରଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷା କହି ତୁମ୍ଭର ଚାକିରୀ ନାହିଁ ବୋଲି ସଫେଇ ଦେଇଥିଲେ। ଏ ସଂପର୍କରେ ବାଇଧର ପୂର୍ବତନ ସଭାପତି ଓ ସଂପାଦକଙ୍କୁ ସମସ୍ତ ବିଷୟ ଜଣାଇବା ପରେ କୌଣସି ଫଳ ହୋଇନଥିଲା। ପରେ ବିଭାଗୀୟ କାର୍ଯ୍ୟାଳୟରେ ଯାଞ୍ଚ କରିବା ପରେ ସମସ୍ତ ବିଷୟ ଜଣାପଡିବାରୁ ସେ ଥାନାରେ କେଶ୍ କରିବେ ବୋଲି ଚେତାବନୀ ଦେଇଥିଲେ। ଫଳରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ନୂତନ ସଭାପତି ଓ ସଂପାଦକ ଶିକ୍ଷା ମଣ୍ଡଳୀର କେତେକ ସଂଘୀୟ କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରାୟୋଜିତ ହୋଇ ହାଇକୋର୍ଟରେ କେଶ୍ କରିବା ପାଇଁ ସେମାନେ ଆଣିଥିବା ଓକିଲାତି ନାମା ଓ ୧୦ଟି ସାଧା କାଗଜରେ ଦସ୍ତଖତ କରିଥିଲେ। ଏଥିସହ କନ୍ୟାର ବିଭାଘର ନିମନ୍ତେ ରଖିଥିବା ୩୦ ହଜାର ଟଙ୍କା ପ୍ରଧାନ ଶିକ୍ଷକ କେଶ୍ ଖର୍ଚ୍ଚ ପାଇଁ ନେଇଥିଲେ। ମାତ୍ର ମାନ୍ୟବର ହାଇକୋର୍ଟରେ ଓଜେସି ନଂ ୨୩୬୩/୧୯୯୭ କେଶ୍ ଆଗତ ହୋଇଥିବାବେଳେ ଶିକ୍ଷା ମଣ୍ଡଳାଧୀଶର ସଂଘୀୟ କର୍ମକର୍ତ୍ତା ଓ ପ୍ରଧାନ ଶିକ୍ଷକଙ୍କ ଚକ୍ରାନ୍ତରେ ବାଇଧର ନିଜ ପଦବୀରେ ଥାଇ ମଧ୍ୟ ଅନ୍ୟ କେତେକ ସ୍କୁଲରେ ଚତୁର୍ଥ ପିଅନ ଥିବା ବିଷୟ କାଗଜପତ୍ରରେ ଜାଲିଆତି ଭାବେ ଦରଜ ହୋଇଥିବା ବିଷୟ କୋର୍ଟ ନିର୍ଦ୍ଦେଶନାମାରୁ ଜାଣିବାକୁ ପାଇଥିଲେ।

ଏହିଭଳି ଚଂଚକତାର ସମ୍ମୁଖୀନ ହୋଇ ବାଇଧର ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଡାକଯୋଗେ ଜଣାଇ ନିରାଶ ହେବାମଧ୍ୟରେ ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଯୋଗୁଁ ୨୦୧୪ ମସିହାରେ ମୃତ୍ୟୁବରଣ କରିଥିଲେ। ଏବେ ବାଇଧରଙ୍କର ୪ ଟି ଝିଅ ଓ ୨ଟି ପୁଅଙ୍କୁ ଧରି ତାଙ୍କ ବିଧବା ପତ୍ନୀ ବହୁ ଅଭାବ ଅନାଟନ ଭିତରେ ଚଳିଆସୁଛନ୍ତି। ଏ ସଂପର୍କରେ ସେ ସବୁଆଡୁ ନିରାଶ ହେବା ପରେ ପୁଲିସ୍ ଦ୍ୱାରା କେଶ୍‌ରୁ ଓହରିଯିବାର ଧମକ ପାଇ ଭୟଭୀତ ହୋଇଥିଲେ। ଏବଂ ଏ ସଂପର୍କରେ ତତ୍‌କାଳୀନ ବନ୍ତ ଥାନାଧିକାରୀଙ୍କ ବିରୁଦ୍ଧରେ ଏସ୍‌ପିଙ୍କୁ ଜଣାଇଥିଲେ। ଯେଉଁଥିରେ ସ୍ୱାମୀଙ୍କର ଚାକିରୀ ସମ୍ବନ୍ଧୀୟ ପ୍ରମାଣପତ୍ର ହଜିବା ନେଇ ସଂପୃକ୍ତ ଥାନାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଥିଲେ। ତେବେ ଏପର୍ଯ୍ୟନ୍ତ ସେ ନ୍ୟାୟ ନପାଇବାରୁ ବାଧ୍ୟହୋଇ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବାବେଳେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜିଲା ଶିକ୍ଷାଧିକାରୀଙ୍କୁ ଡକାଇଥିଲେ ମଧ୍ୟ ସେ ଅସୁସ୍ଥ ଥିବାର ଦର୍ଶାଇ ଧାରଣାସ୍ଥଳକୁ ନଆସିବା ଫଳରେ ମା’ ଓ ଝିଅଙ୍କ ଧାରଣା ଜାରି ରହିଥିବାର ଜଣାପଡିଛି।