ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୮ ଶନିବାରରେ ଚନ୍ଦ୍ରଗ୍ରହଣ । ଏଥିପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ତାହା ସହ ପବିତ୍ର କୁମାର ପୂର୍ଣ୍ଣିମା ଥିବାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଧର୍ମ ମାସରେ ମଣିବାବାଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିବ । ଅଗଣିତ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି, ଜଳାଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲା ଭୋଗ ଲାଗି କରାଯିବ । ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟାରୁ ପାକତ୍ୟାଗ ଆରମ୍ଭ ହେଉଥିବାରୁ ଗ୍ରହଣ ମୋକ୍ଷ ପର୍ଯ୍ୟନ୍ତ ମଣିବାବାଙ୍କ ଦର୍ଶନ ବନ୍ଦ ରହିବା ସହ ସମସ୍ତ ଦ୍ୱାର ବନ୍ଦ ରଖାଯିବ । ସେଥିପାଇଁ ସମସ୍ତ ନୀତିକାନ୍ତି ସାରିବାକୁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ବିଶେଷକରି ସମସ୍ତ ସକାଳ ନୀତିକାନ୍ତି ମଧ୍ୟାହ୍ନ ୧୧ ଟାରୁ ୧୨ଟା ମଧ୍ୟରେ ସଂପନ୍ନ ହେବା ପରେ ୨ଟାରେ ବଡସିଂହାର ବେଶ, ୩ଟାରେ ସନ୍ଧ୍ୟାପୂଜା ଓ ଅପରାହ୍ନ ୪ଟାରେ ବାଟୁଳାନୀତି ସଂପନ୍ନ କରାଯାଇ ପହୁଡ କରାଯିବ ବୋଲି ପାଳିଆ ସେବାୟତଙ୍କ ଦ୍ୱାରା ଆଲୋଚନା କରାଯାଇଛି । ଆଗନ୍ତୁକ ଭକ୍ତମାନଙ୍କର ଦର୍ଶନ ପାଇଁ ସକାଳ ୫ ଟାରୁ ଅପରାହ୍ନ ୪ଟା ଯାଏ ମନ୍ଦିର ସାହଣ ମେଲା ରହିବ । ପରେ ମନ୍ଦିରର ପରମ୍ପରା ଅନୁଯାୟୀ ଅପରାହ୍ନ ୪ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।