Odiapua.com

୨୮ଡେସିମିଲ ପୁରୁଣା ପୋଖରୀର ପଙ୍କ ଉଦ୍ଧାର ପାଇଁ ଅଟକଳ ୯ଲକ୍ଷ ଟଙ୍କା, ମନରେଗା ଅର୍ଥ ଲୁଟପାଟ ଅଭିଯୋଗ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଦେଓପଦା ଗ୍ରାମର ‘ମୋରଡା ମଝିସାହି ପୋଖରୀ’ ମାତ୍ର ୪୪ଡେସିମିଲ ପରିମିତ ଜମି ଉପରେ ଅବସ୍ଥିତ । ବହୁ ପୁରୁଣା ଏହି ପୋଖରୀ ନିଜସ୍ୱ ଜମିରୁ ପ୍ରାୟ ଆଠ ଡେସିମିଲ ଜବରଦଖଲରେ ରହିଛି । ଆଡିକୁ ବାଦ ଦେଲେ ପୋଖରୀର ଜଳ ମାତ୍ର ୨୮ ଡେସିମିଲ ଜମିରେ ରହିଛି । ଏହି ପଞ୍ଚାୟତ ପୋଖରୀର ପଙ୍କ ଉଦ୍ଧାର ପାଇଁ ୨୦୨୦-୨୧ ଆର୍ଥୀକ ବର୍ଷରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନଅଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି । ପ୍ରକଳ୍ପର ମାଟି କାମ ପାଇଁ ବ୍ୟୟବରାଦ ହୋଇଛି ୮,୬୨,୯୫୨.୪୮ଟଙ୍କା । ଇତିମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆଗ୍ରଗତି ହୋଇ ଶ୍ରମିକଙ୍କୁ ମଷ୍ଟର ରୋଲ ମାଧ୍ୟମରେ ପୈଠ ହୋଇଛି ୫,୫୬,୭୭୧.୨୪ଟଙ୍କା । ପୁନଶ୍ଚ ସତୁରୀ ଜଣ ଶ୍ରମିକଙ୍କ ପାଇଁ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇ ଅବଶିଷ୍ଟ ଅର୍ଥ ଉଠାଣ ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଇଛି । ଏଭଳି ବ୍ୟବବହୁଳ କାର୍ଯ୍ୟର ବାସ୍ତବତାକୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ବିଡିଓ, ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରାଯାଇଛି । ମାତ୍ର ଦଶ, ବାର ଜଣ ଶ୍ରମିକ କୋଡିଏ ଦିନ କାର୍ଯ୍ୟ କରିଛନ୍ତି । କନିଷ୍ଠ ଯନ୍ତ୍ରୀ କାର୍ଯ୍ୟକ୍ଷେତ୍ରକୁ ନଆସି ବିଲ ଉଠାଣ କରିଛନ୍ତି ବୋଲି ତରଣୀସେନ ପଣ୍ଡା, ଭାସ୍କର ଖଣ୍ଡାଇ, ନାରାୟଣ ଚନ୍ଦ୍ର ପଣ୍ଡା, ଦୁର୍ଯ୍ୟୋଧନ ବାରିକ, ବିଦ୍ୟାଧର ଖଣ୍ଡାଇ, ଶାନ୍ତିଲତା ଖଣ୍ଡାଇ ପ୍ରମୁଖ ଶତାଧିକ ଗ୍ରାମବାସୀ ଅଭିଯୋଗରେ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ପୋଖରୀ ମଧ୍ୟରେ ଜନୈକ ବ୍ୟକ୍ତିର ନିଜସ୍ୱ ଗମି ରହିଥିବା ନେଇ ଅଭିଯୋଗ ହେବା ପରେ ମାପଚୁପ କରାଯାଇ କେବଳ ପୋଖରୀ ପାଇଁ ନୂତନ ଭାବେ ଆଡି ନିର୍ମାଣ କରାଯାଇଛି । ପୋଖରୀର ଜଳ ୧୪୫ ମିଟର ଲମ୍ବ ଓ ପ୍ରସ୍ଥ ୮୫ ମିଟର ରହିଛି । କାର୍ଯ୍ୟ ଅନୁଯାୟୀ ବିଲ ପୈଠ ହୋଇଛି । ଅତିରିକ୍ତ ବିଲ୍ ପୈଠ ହେବ ।ହିଁ ବୋଳି ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ସଫେଇ ଦେଇଛନ୍ତି । ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଛନ୍ତି ।