Odiapua.com

୨୬ରେ ଓଡ଼ିଶା ଆସିବେ ମୋଦୀ! ସ୍ଥଗିତ ରହିପାରେ “ମହିଳା ସୁରକ୍ଷା ଯାତ୍ରା”

ଭୁବନେଶ୍ୱର;୧୯,୦୩(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଅଛି।ମହାନଦୀ ପ୍ରସଙ୍ଗରେ ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତିହତ କରିବା ପାଇଁ ତଥା ରାଜ୍ୟ ସଙ୍ଗଠନରେ ଶକ୍ତି ସଞ୍ଚାର ପାଇଁ ମୋଦୀ ଓଡ଼ିଶା ଆସିବା କଥା କୁହାଯାଉଛି।ତେବେ ଏ ସବୁ ମଧ୍ୟ କର୍ଣ୍ଣାଟକ ପରିସ୍ଥିତ ଉପରେ ନିର୍ଭର କରୁଛି।କର୍ଣ୍ଣାଟକରେ ବିଜେପି ପାଇଁ ଯଦି ସବୁ ଠିକଠାକ୍ ରୁହେ ତେବେ ମୋଦୀ ଓଡ଼ିଶା ଆସି ପାରନ୍ତି ବୋଲି କୁହାଯାଉଛି।କଟକର ମହାନଦୀ କୂଳ ବାଲିଯାତ୍ରା ପଡ଼ିଆକୁ ସମାବେଶ ପାଇଁ ସ୍ଥାନ ଚିନ୍ହଟ କରି ରାଜ୍ୟ ବିଜେପିର ଏକ ଟିମ ଯାଇ ସେହି ସ୍ଥାନର ଅନୁଧ୍ୟାନ କରିଥିବା ଜଣାପଡ଼ିଛି।
ତେବେ ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ଚାଲିଥିବା ମହିଳା ସୁରକ୍ଷା ଯାତ୍ରାକୁ ସ୍ଥଗିତ ରଖା ଯାଇପାରେ ବୋଲି ସୂଚନା ମିଳୁଛି।୧୭ ରୁ ଆରମ୍ଭ ହୋଇଥିବା “ମହିଳା ସୁରକ୍ଷା ଯାତ୍ରା” ୧୯,୨୦ ବନ୍ଦ ରହି ପୁଣି ୨୧ରୁ ଆରମ୍ଭ ହୋଇ ୨୯ରେ ସରିବାର ଥିଲା।୧୯,୨୦ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଥିବାରୁ ଏହି ଦୁଇ ଦିନ “ମହିଳା ସୁରକ୍ଷା ଯାତ୍ରା” ବନ୍ଦ ରହିବାର ପୂର୍ବ ଯୋଜନା ଥିଲା।ଏବେ କିନ୍ତୁ ୨୬ରେ ହଠାତ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ହେବାକୁ ଥିବାରୁ ୨୧ରୁ ଆରମ୍ଭ ହୋଇ ୨୩ରେ “ଯାତ୍ରା” ବନ୍ଦ କରି ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରେ ପୁଣି ୨୭ରୁ “ମହିଳା ସୁରକ୍ଷା ଯାତ୍ରା” ଆରମ୍ଭ କରିବାକୁ ଯୋଜନା କରା ଯାଉଥିବା ଜଣାପଡ଼ିଛି।