Odiapua.com

୨୬ତମ ଭଦ୍ରକ ଜିଲ୍ଲା କ୍ରୀଡା ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତକାଲି ରାନ୍ଦିଆ ସ୍ଥିତ ରାମେଶ୍ୱର କ୍ରୀଡାଙ୍ଗନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୪୩୪ ଜଣ ପ୍ରତିଯୋଗୀ ୧୨ଟି ବାଳକ ଓ ବାଳିକା ବର୍ଗ ଅନ୍ତର୍ଗତ ୧୧୮ଟି ଇଭେଣ୍ଟ୍ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ଆରମ୍ଭରେ, ଆସୋସିଏସନ୍‌ର ଉପସଭାପତି ଆଇନଜୀବୀ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ପର୍ବରେ ବାଲେଶ୍ୱର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ, ଓଡିଶା ଅଲିମ୍ପିକ୍ ଆସୋସିଏସନ୍ କୋଷାଧ୍ୟକ୍ଷ ତଥା ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ଯୁଗ୍ମ ସମ୍ପାଦକ, ଅଧୀପ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ଓ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତାଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ଦତ୍ତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ, ରାନ୍ଦିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱପ୍ନାରାଣୀ ରାଉତରା ଓ ସମିତି ସଭ୍ୟ ଶ୍ରୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ପାରଦର୍ଶିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ : ମଧୁସ୍ମିତା ନାୟକ, ଲିଜାରାଣୀ ନାୟକ, ପୁଷ୍ପିତା ପାଣିଗ୍ରାହୀ, ସ୍ନେହାଶିଷ୍ ପଢିହାରୀ ଏବଂ ଆହୁତି ଅଗ୍ନିକର ପଲାଇ ।

ଏହା ସହିତ ଚଳିତ ମାସ କର୍ଣ୍ଣାଟକରେ ଆୟୋଜିତ ଜାତୀୟ ବାଳିକା ସବ୍‌-ଜୁନିୟର ଖୋଖୋ ଚମ୍ପିୟାନସିପ୍‌ରେ ରାଜ୍ୟର ପ୍ରତିନିଧିତ୍ୱ କରିଥିବାରୁ ଅର୍ଣ୍ଣପୂର୍ଣ୍ଣା ରଣ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଉଦ୍‌ଯାପନ ପର୍ବରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସଫଳ ପ୍ରତିଯୋଗୀମାନଙ୍କୁ ପୁଷ୍ପଗୁଛ ସହ ମୋଟ ୩୫୪ଟି ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା । ଏହି ପଦକ ପ୍ରଦାନ ଉତ୍ସବରେ ଅତିଥିମାନେ ଥିଲେ ଭଦ୍ରକ ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁ, ଯୁବନେତା ପିଣ୍ଟୁ ମହାପାତ୍ର, ବରିଷ୍ଠ ଆଇନ୍‌ଜୀବୀ ଯତିକାନ୍ତ ନାୟକ, ଆଇନ୍‌ଜୀବୀ ପବନ କୁମାର ଶର୍ମା, ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ଉପେନ୍ଦ୍ର କୁମାର ବାରିକ, କୋଷାଧ୍ୟକ୍ଷ ବ୍ୟୋମକେଶ (ନୀଲୁ) ସେନାପତି, ସଦସ୍ୟ ଲକ୍ଷ୍ମୀଧର ଜେନା, ପାର୍ଥସାରଥୀ ରାୟ, ସୁଶୀଲ ପଟ୍ଟନାୟକ, ଗୌରାଙ୍ଗ ମହାପାତ୍ର, ଯଦୁନାଥ ସ୍ୱାଇଁ, ଯଦୁବୀର ପ୍ରତାପ ରାୟ, ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ‘ଆଶିଆନା’ ର ସଂଯୋଜକ ରିୟାଜ୍ ଅହମ୍ମଦୀ ଓ ୟୁନାଇଟେଡ୍ କ୍ଲବ୍ ସାଧାରଣ ସମ୍ପାଦକ ନୁର୍ ମହମ୍ମଦ ଖାନ୍‌, ସଦସ୍ୟ ଅରୁଣ ମଜୁମ୍‌ଦାର୍‌, ନାରାୟଣ ବେହେରା ଓ ରଘୁନାଥ ଦାସ । ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଧୀରେନ୍ ପଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାର ପରିଚାଳନା ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ, ଓଡିଶା ଫୁଟବଲ୍ ଆସୋସିଏସନ୍ ସଦସ୍ୟ ସୌମ୍ୟକାନ୍ତ ଉପାଧ୍ୟାୟ, ଓଡିଶା ବକ୍ସିଂ ଆସୋସିଏସନ୍ ଉପସଭାପତି ସଂଗ୍ରାମୀ ଦେବୀଦତ୍ତ ନାୟକ, କ୍ରୀଡ଼ା ଅଧ୍ୟାପକ ତଥା ସଦସ୍ୟ ବାଇଧର ମହାକୁଡ଼, ଅଧ୍ୟାପକ ମନୋଜ କୁମାର ସାହୁ, ଅଧ୍ୟାପକ ରବିନାରାୟଣ ଓଝା, ଅଧ୍ୟାପିକା ସରିତା ନାୟକ ଓ ଓଡିଶା ମହିଳା ଭଲିବଲର୍ ପୁଷ୍ପ ମଞ୍ଜରୀ ବେହେରା । ପ୍ରତିଯୋଗିତା ପରିଚାଳନାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ଓ ଅଧ୍ୟାପିକାମାନେ ସହଯୋଗ କରିଥିଲେ ।