Odiapua.com

୨୫ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ: ସାଜ ପ୍ରସ୍ତୁତି ଆରମ୍ଭ

ପୁରୀ-୨୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୨୫ବର୍ଷ ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ, କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ପରି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଏ ବର୍ଷ ପଞ୍ଚକ ପାଞ୍ଚ ଦିନ ବଦଳରେ ଛଅ ଦିନ ପଡ଼ୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ବେଶ ଅନୁକୂଳ ଥିବାରୁ ତା ପୂର୍ବରୁ ସଂଗ୍ରହ ସରିଛି ଏ ସବୁ ଭଳିକି ଭଳି ସାମଗ୍ରୀ। ସନ୍ତରାପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗାର୍ଜୁନ ବେଶ ଲାଗି ସାଜ, ସରଞ୍ଜାମ। ୨୫ବର୍ଷ ଅନ୍ତରରେ ଏ ବେଶ ପଡ଼ୁଥିବାରୁ ଏହାକୁ ନେଇ ବେଶ ଉତ୍ସାହ ଓ ଭାବ ବିହ୍ୱଳ ହୋଇପଡ଼ିଛନ୍ତି ବେଶ ଶିଳ୍ପୀ ଏ ପଟେ ଠାକୁରଙ୍କର ଏହି ବିରଳ ବେଶ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଅପେକ୍ଷାରେ ଥିବାରୁ ସରକାର ବ୍ୟବସ୍ଥା କରିବା ଆଶାରେ ଅଛନ୍ତି ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ। ଏହି ବେଶ ପ୍ରସ୍ତୁତି ପାଇଁ ଶ୍ରୀଜିଉଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ବେଶ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ବେଶ ପ୍ରସ୍ତୁତ କରୁଛନ୍ତି ବସନ୍ତ ରଣା। ଆଜିଠାରୁ ବେଶ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେସ ମଧ୍ୟ ନୀତି ଅନୁଯାୟୀ ହବିଶରେ ରହିବେ।