Odiapua.com

୨୪ ଘଂଟା ପରେ ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ,ରୋଡ଼ ସର୍ଭେ ବେଳେ ନଦୀରେ ଭାସିଯାଇଥିବା ବିଜୟ ବେହେରାଙ୍କ ଶବ ଉଦ୍ଧାର, ଘଟଣାସ୍ଥଳରେ ଘେଂଟଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲିଆପାଳ ନଦୀ ଉପରେ ପ୍ରସ୍ତାବିତ ବ୍ରିଜ ନିର୍ମାଣ ପାଇଁ ଚାଲିଥିବା ରୋଡ଼ ଓ ସର୍ଭେ କାର୍ଯ୍ୟ ବେଳେ ଘଟିଥିବା ଦୁଃଖଦ ଅଘଟଣରେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ୨୪ ଘଂଟା ପରେ ନଦୀରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଘେଂଟଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ସର୍ଭେ କାମରେ ନିୟୋଜିତ ତିନି ଜଣ ଯୁବକ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଅସ୍ଥାୟୀ ଟଣା ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇଥିଲା। ଫଳରେ ତିନି ଜଣ ଯୁବକ ପାଣିରେ ପଡ଼ିଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ଉଦ୍ୟମରେ ଦୁଇ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲେ। ନିଖୋଜ ଯୁବକ ଜଣକ ବାଂଶଡା ଥାନା ଅଧୀନ ଯଶିପୁର ଗ୍ରାମର ଚକ୍ରଧର ବେହେରାଙ୍କ ଏକମାତ୍ର ପୁଅ ବିଜୟ ବେହେରା ବୋଲି ଜଣାପଡ଼ିଛି । ଖବର ପାଇ,ଘେଂଟଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଥିଲେ। ପରେ ପରିବାର ସଦସ୍ୟମାନେ ମୃତଦେହକୁ ବିଜୟ ବେହେରାଙ୍କ ବୋଲି ଚିହ୍ନଟ କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।ଏହି ଘଟଣା ପରେ ବ୍ରିଜ ନିର୍ମାଣ ଓ ସର୍ଭେ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଶ୍ରମିକ ଏବଂ ସର୍ଭେ କର୍ମଚାରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ସହ ଆବଶ୍ୟକ ସୁରକ୍ଷା ସାମଗ୍ରୀ ବ୍ୟବସ୍ଥା ଥିଲା କି ନାହିଁ, ତାହାର ତଦନ୍ତ ଦାବି କରାଯାଇଛି। ଏହି ଅଘଟଣ ଅଂଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।