Odiapua.com

୨୩ କୋଟି ଖର୍ଚ୍ଚ ସରିଲାଣି, ଏବେ ବି ନଗଡାରେ ଶିଶୁ ଭୋକିଲା! ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ଏନଏଚଆରସି

୪ ସପ୍ତାହ ମଧ୍ୟରେ ରିପୋର୍ଟ ନଦେଲେ ବ୍ୟକ୍ତିଗତ ହାଜିରା

ଭୁବନେଶ୍ୱର ୪-୧୦ (ଓଡ଼ିଆ ପୁଅ) ନଗଡାକୁ ନେଇ କେତେ ଆଲୋଚନା ଓ ଚର୍ଚ୍ଚା। ଗଣମାଧ୍ୟମରେ ନଗଡାର ପୁଷ୍ଟିହୀନତା ଖବର ପାଇବାର ତିନି ବର୍ଷରୁ ଅଧିକ ହୋଇଗଲାଣି। ସରକାରୀବାବୁଙ୍କ ଘନ ଘନ ଗସ୍ତ ସହ ସେଠାରେ ଉନ୍ନତିମୂଳକ କାର୍ଯ୍ୟ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଗଲା। କିନ୍ତୁ ଭୋକର ଇଲାକାର ଚିତ୍ର ବଦଳିନି। ନଗଡା ପୂର୍ବରୁ ଯେମିତି ଥିଲା ସେମିତି ରହିଛି। ଶିଶୁମାନଙ୍କୁ ଏବେ ବି ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ମାମଲାରେ ପୁଣି ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ। ଏସବୁ ସତ୍ୱେ କାହିଁକି ନଗଡାର ଦୟନୀୟ ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ, ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ କମିଶନ ରିପୋର୍ଟ ମାଗିଛନ୍ତି।

ନଗଡାର ଏଭଳି ସ୍ଥିତି ଉପରେ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଗତ ଅଗଷ୍ଟ ମାସରେ ଏକ ପିଟିସନ୍ ଦାୟର କରିଥିଲେ। ସେ ଦର୍ଶାଇଥିଲେ ୨୦୧୬ ଜୁଲାଇ ମାସରେ ଗଣମାଧ୍ୟମରେ ନଗଡାରେ ଶିଶୁମାନଙ୍କ ପୁଷ୍ଠିହୀନତାରେ ମୃତ୍ୟୁ କଥା ପଦାକୁ ଆସିଥିଲା। ଏହାପରେ ସରକାର ସଜାଗ ହୋଇଥିଲେ। ସେଠାରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ତିନି ବର୍ଷରୁ ଅଧିକ ସମୟ ପରେ ଅବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ ସେଠାକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ଜୁଲାଇ ମାସ ୮ ତାରିଖରେ ଯାଇଥିଲେ। ସେମାନେ ଦେଖିବାକୁ ପାଇଥିଲେ ଯେ ଏବେ ବି ଶିଶୁମାନେ ପୁଷ୍ଟିହୀନତାର ଶିକାର ଅଛନ୍ତି। ଭାତ, ଡାଲି ଓ ଲୁଣ ଖାଉଛନ୍ତି। ତିନି ଓଳି ଏହି ଜୁଆଙ୍ଗ ଶିଶୁଙ୍କୁ ଏହା ହିଁ ଖାଇବାକୁ ଦିଆଯାଉଛି। ସେମାନଙ୍କ ସ୍ଥିତି ବଦଳି ନାହିଁ। ଗାଁ ଲୋକଙ୍କ ପାଇଁ ଏନଆରଜିଏ ଅଧିନରେ ୮୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲେ ମଧ୍ୟ ୪ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି। ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ପ୍ରକଳ୍ପ ଅଚଳ ହୋଇପଡିଛି। ତେଣୁ ଗାଁ ଲୋକମାନେ ବିଶୁଦ୍ଧ ଜଳରୁ ବଂଚିତ ହେଉଛନ୍ତି। ସୂଚନା ଅଧିକାର ତଥ୍ୟ ଅନୁସାରେ ନଗଡା ପାଇଁ ବିଭିନ୍ନ ପ୍ରକଳ୍ପରେ ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇ ସାରିଛି। କିନ୍ତୁ ସେମାନଙ୍କୁ ମୁଖ୍ୟ ଧାରାରେ ସାମିଲ କରାଯାଇପାରିନାହିଁ। ଅଖଣ୍ଡଙ୍କ ଏହି ଅଭିଯୋଗକୁ ଅତି ଗୁରୁତର ଭାବେ ଗ୍ରହଣ କରିଛନ୍ତି ଜାତୀୟ ମାନବିକ ଅଧିକାର କମିଶନ। ଏହା ଉପରେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ରିପୋର୍ଟ ନ ଦେଲେ ମାନବିକ ଅଧିକାର ସୁରକ୍ଷା ଆଇନ, ୧୯୯୩ ଧାରା ୧୩ ଅନୁଯାୟୀ ବ୍ୟକ୍ତିଗତ ହାଜାର ଦେବାକୁ ପଡିବ ବୋଲି କମିଶନ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।