Odiapua.com

୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି – ଏ ନେଇ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ ୧୮-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ମାସ ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବୁଧବାର ଦିନ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ଭକ୍ତନିବାସ ପରିସରରେ ଛତିଶାନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କ ସକାଳଧୂପ ସମ୍ପର୍ଣ୍ଣ କରାଯାଇ ମହାପ୍ରଭୂ ମଇଲମ ହୋଇ ରତ୍ନସିଂହାସନରେ ବିରାଜିତ ଥିବେ। ରାଷ୍ଟ୍ରପତି ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସୂଚନା ଦେଇଥିଲେ। ସେହିପରି ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବେ। ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ, ଅଧିକାରୀ ଓ ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। କୋଭିଡ୍ ନେଗେଟିଭ୍ ରହିଥିବା ସେବାୟତ ଓ ଅଧିକାରୀ ରାଷ୍ଟ୍ରପତିଙ୍କ ସହ ଯାଇ ଦର୍ଶନ କରିବେ। ଛତିଶାନିଯୋଗ ବୈଠକରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଆଲୋଚନାରେ ଭାଗ ନେଇଥିବା ବେଳେ ରାଷ୍ଟ୍ରପତି ଭବନର ସୁପାରିଶ ଆଧାରରେ ତାଙ୍କୁ ରାଷ୍ଟ୍ରପତିଙ୍କ ସହ ଯିବାର ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଥିବା ତାଙ୍କର କୌଳିକ ପଣ୍ଡା ନାରାୟଣ ଗୋଛିକାର କହିଛନ୍ତି।