ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ମତ୍ସ୍ୟଜୀବୀ ସତର୍କବାଣୀ ଅନୁଯାୟୀ, ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଂଚଳରେ ୧୮ ରୁ ୨୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗର ପବନ ବହିବା ସହ ବେଳେବେଳେ ଏହାର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଂଚିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ତରଙ୍ଗ ଉଚ୍ଚ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ମତ୍ସ୍ୟଜୀବୀଙ୍କୁ ୧୮ ରୁ ୨୨ ଜୁନ୍ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ତମାନ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ଉପକୂଳକୁ ଫେରି ଆସିବା ପାଇଁ କୁହାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସତର୍କ ସୂଚନାକୁ ଉପକୂଳବର୍ତୀ ଅଂଚଳର ସମସ୍ତ ମତ୍ସ୍ୟଜୀବୀଙ୍କ ନିକଟରେ ପହଂଚାଇବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।