Odiapua.com

୨୦୨୪ ସରିଛି, କସରତ କେବଳ ୨୦୨୯ ପାଇଁ !

୨୦୨୪ ସାଧାରଣ ନିର୍ବାଚନ ଜିତି ସରକାର ଗଢିବା ନିଶ୍ଚିତ। ଏବେ ଯାହା ଦଳୀୟ କସରତ ଚାଲିଛି ତାହା ୨୦୨୯ ନିର୍ବାଚନ ପାଇଁ। ବିଜୁ ଜନତା ଦଳର କିଛି ଛାମୁଆ ନେତାଙ୍କ ଏହା ହେଉଛି ଖୋଲାଖୋଲି ବକ୍ତବ୍ୟ। ଏହି ନେତୃବୃନ୍ଦ କାହା ଇସାରା ବା କେଉଁ ଆଧାରରେ ଏହା ପରିପ୍ରକାଶ କରୁଛନ୍ତି ତାହା ସେମାନଙ୍କୁ ହିଁ ଜଣା। ଆଗକୁ ହେବାକୁ ଯାଉଛି ପଂଚାୟତ ଓ ପୌର ନିର୍ବାଚନ। ଏହି ନେତାମାନଙ୍କ ମତରେ ପଂଚାୟତ ଓ ପୌର ନିର୍ବାଚନ କାମ ସରି ଯାଇଛି। ବିଜେଡି ବିପୁଳ ବହୁ ମତରେ ଜିତି କରି ଆସିବ ଏଥିରେ ସନ୍ଦେହ ନାହିଁ।

୨୦୧୭ ପଂଚାୟତ ନିର୍ବାଚନ ସମୟରେ ସମାନ ଅବସ୍ଥା ଘଟିଥିଲା। ଅତ୍ୟଧିକ ଆତ୍ୱବିଶ୍ୱାସ ନେଇ ପଂଚାୟତ ନିର୍ବାଚନ ଲଢିଥିଲା ବିଜେଡି। ଫଳ ହେଲ ଓଲଟା। ଭାରତୀୟ ଜନତା ପାର୍ଟୀ ଅପ୍ରତ୍ୟାଶିକ ଭାବରେ କଡା ଟକ୍କର ଦେଇ ବିଜେଡିର ସ୍ତମ୍ଭ ଦୋହଲାଇ ଦେଇଥିଲା। ସେଇ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଚାଟୁକାର ଅଫିସର ବୁଝେଇ ଦେଇଥିଲେ ଯେ ପଂଚାୟତ ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯିବ କିଛି ଚିନ୍ତା କରିବାର ନାହିଁ। ବେଶୀ ପରିଶ୍ରମର ଆବଶ୍ୟକତା ନାହିଁ। ମାତ୍ର ନିର୍ବାଚନ ଫଳାଫଳ ପରେ ଦଳ ଚେତିଲା ଓ ମୁଖିଆ ବି ଚେତିଲେ। ଏବେ ଦଳ ଭିତରେ ପୁଣି ସେହି ସମାନ ସ୍ଥିତି ଉପୁଜିଛି। ଅତ୍ୟଧିକ ଆତ୍ମବିଶ୍ୱାସ। ଦଳରେ ପରିସ୍ଥିତି ଏପରି ହୋଇଛି ଯେ ବରିଷ୍ଠ ନେତାମାନେ ଏବେ ନିଜ ନିର୍ବାଚନମଣ୍ଡଳୀ ଛଡା ଆଉ କୌଣସି ଦଳୀୟ କାର୍ଯ୍ୟରେ ସାମିଲ ହୋଇ ପାରୁ ନାହାଁନ୍ତି। ରାଜ୍ୟରେ ଏବେ ମୁଖ୍ୟ ବିରୋଧି ଦଳ ଭାବରେ ଭାରତୀୟ ଜନତା ପାର୍ଟୀ ସରକାରକୁ ମମିତା ମେହେର ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଶାଣିତ ଆକ୍ରମଣ କରି ଚାଲିଛି। ସମାନ ଅବସ୍ଥା କଂଗ୍ରେସ ମଧ୍ୟ କରୁଛି। ସାରା ରାଜ୍ୟ ପଡୁଛି ଉଠୁଛି। ଏପରି ସ୍ଥଳେ ଦଳ ଯେଉଁ ରଣନୀତି ଆପଣାଉଛି ତାହା ଚିନ୍ତାର ବିଷୟ ବୋଲି ଅନେକ ପୁରୁଖା ନେତା ମତପ୍ରକାଶ କରିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅନଭିଜ୍ଞ ନେତାଙ୍କୁ ହାତରେ ଛାଡି ଦେଇ ଦଳ ଆତ୍ମଘାତୀ କାମ କରୁଛି ବୋଲି ବରିଷ୍ଠ ନେତାମାନେ ମତ ପ୍ରକାଶ କରୁଛନ୍ତି। ଦଳରେ ଗଣ୍ଡା ଗଣ୍ଡା ଅଭିଜ୍ଞ ମୁଖପାତ୍ର ଅଛନ୍ତି। ସେମାନେ ଜାଣିଶୁଣି ମିଡିଆ ସମ୍ମୁଖକୁ ଆସୁ ନାହାଁନ୍ତି ନା ସେମାନଙ୍କୁ ଦୁରେଇ ରଖାଯାଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଦଳୀୟ ମହଲରେ। ଦଳୀୟ ରାଜନୀତି ଏକପ୍ରକାର ଯୁବ ଗୋଷ୍ଠୀ ହାତକୁ ଚାଲି ଯାଇଛି କହିଲେ ଚଳେ। ଦଳର ପରିଭାଷା ଏକପ୍ରକାର ବଦଳି ଯାଇଛି। ମନ୍ତ୍ରୀମାନେ ନିଜ ନିଜ ବିଭାଗ ଓ ନିଜ ନିର୍ବାଚନମଣ୍ଡଳୀ ଛଡା ଆଉ କେଉଁଥିରେ ମୁଣ୍ଡ ପୁରାଉ ନାହାଁନ୍ତି। ଉପରୁ ନିର୍ଦ୍ଦେଶ ଆସିଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଂଟିବା ପାଇଁ ଯାଉଛନ୍ତି। ମନ୍ତ୍ରୀ, ବିଧାୟକ, ସାଂସଦମାନେ ରୋବର୍ଟ ଭଳି କାମ କରୁଛନ୍ତି। ନିଜସ୍ୱ ମତବ୍ୟକ୍ତ କରିବାର ସ୍ୱାଧିନତା ଆଉ ନାହିଁ। ସରକାରୀ ନିର୍ଦ୍ଦେଶନାମା ମାନି କର୍ମଚାରୀମାନେ ଯେପରି କାର୍ଯ୍ୟ କରନ୍ତି ବର୍ତମାନ ଶାସକ ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ଅବସ୍ଥା ସେଇଆ। କରୋନା ସକାଶେ ଦଳୀୟ ନେତା ମାନେ ତାଙ୍କ ପ୍ରିୟ ନେତାଙ୍କୁ ନବୀନ ନିବାସରେ ଯାଇ ସାକ୍ଷାତ କରିବାର ଅବକାଶ ଆଉ ନାହିଁ।

ତେଣୁ ଏଭଳି ଏକ ଅସୁସ୍ଥ ପରମ୍ପରା ଓ ଅବାଂଛିତ ଆତ୍ମବିଶ୍ୱାସକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘାତକାରକ ହୋଇପାରେ ବୋଲି ଏହି ଦଳୀୟ ନେତାମାନେ ମତପୋଷଣ କରୁଛନ୍ତି। ୧୯୯୫ ମସିହାରେ ଦୃଢ ଆତ୍ମବିଶ୍ୱାସ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପାଇଁ ମଧ୍ୟ ଘାତକ ସାବ୍ୟସ୍ତ ହୋଇ ଥିଲା। ଯଦିଓ ବିଜୁ ଜନତା ଦଳ ଓଡିଶାରେ ଗୋଟିଏ ବିରାଟ ରାଜନୈତିକ ଧୃମ ପାଲଟି ସାରିଛି ତଥାପି ଟିକକ ଅବହେଳା ୨୦୧୭ ପଂଚାୟତ ନିର୍ବାଚ ପରି ଅବସ୍ଥାକୁ ନେଇ ଯିବ ଏଥିରେ ସନ୍ଦେହ ନାହିଁ।

ପ୍ରିୟରଂଜନ ସାହୁ