Odiapua.com

୨୦୨୩ ଏସ୍‌ଇବିସି ତାଲିକାରେ ଡଗରା ଉପଜାତି ସ୍ଥାନିତ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥା ଘୋଷିତ ୨୦୨୩ ଏସ୍‌ଇବିସି ଜାତି ତାଲିକାରେ ଡଗରା (ପାଇକ ସର୍ଦ୍ଦାର) ଉପଜାତି ସ୍ଥାନିତ ହୋଇନଥିବା ନେଇ ତିହିଡି ବ୍ଲକ୍‌ର ଅଧିବାସୀମାନେ ଆଜି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତିହିଡି ବ୍ଲକ୍ ଅଧୀନସ୍ଥ ଗୋପାଳ ମାଧବ, ଦୋଳସାହି, ଅଚକ, ନନ୍ଦପୁର, ସୟା, ନୟାନନ୍ଦ, ଭଂଜନଗର ଆଦି ଗାଁର ବହୁ ଡଗରା ଉପଜାତିର ପ୍ରମୁଖମାନେ ଆଜି ଜିଲା ପ୍ରଶାସନକୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମାନଙ୍କ ଦାବି ହେଲା ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୫୧୬ ପୃଷ୍ଠାରେ ବର୍ଣ୍ଣିତ ଡଗରା ଶବ୍ଦର ପ୍ରକୃତ ଆକ୍ଷରିକ ଅର୍ଥ ହେଉଛି ‘ପାଇକ ସର୍ଦ୍ଦାର’ ବା ଖଣ୍ଡାୟତ । ତେବେ ଡଗରା ଉପଜାତିର ଓଡ଼ିଶାବାସୀ ହୋଇଥିଲେ ମଧ୍ୟ ଲଘୁସଂଖ୍ୟା ଯୋଗୁଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ଦ୍ୱାରା ରାଜ୍ୟରେ ଯେଉଁ ଏସ୍‌ଇବିସି ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କିତ ସର୍ଭେ ଚାଲିଛି, ସେହି ୨୧୦ ଜାତି ପ୍ରାୟ ୪୦ ଉପଜାତି ତାଲିକାରେ ଡଗରା (ପାଇକ ସର୍ଦ୍ଦାର) ଉପଜାତିର ନାମ ଜାତି ତାଲିକାରେ ନାହିଁ । ଯାହାକି ଏସ୍‌ଇବିସି ସର୍ଭେ ପୋର୍ଟାଲ ୨୦୨୩ ର କୋଡ୍ ନଂ ୧୩୮ ରେ ସ୍ଥାନିତ ହେବା କଥା ।

ଏହି ଗୋଷ୍ଠୀ ପ୍ରତି ଓଡ଼ିଶା ସରକାରଙ୍କର ବୈମାତୃକ ମନୋଭାବ ଏହି ଜାତିର ଲୋକଙ୍କ ମାନସିକ ଓ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଛି । ପ୍ରକାଶଯୋଗ୍ୟ ଗତ ୧୯୭୫ ରୁ ୮୫ ମଧ୍ୟରେ ଓଡ଼ିଶା ରାଜ୍ୟରେ ଚକବନ୍ଦୀ ନାମକ ଯେଉଁ ଭୂବନ୍ଦୋବସ୍ତ ହୋଇଥିଲା, ସେହି ଭୂବନ୍ଦୋବସ୍ତରେ ଜମିପଟ୍ଟା (ଖତିୟାନ) ବଣ୍ଟାଯାଇଥିବାବେଳେ ଡଗରା ଜାତିର କେତେକ ଲୋକଙ୍କର ଜାତି ସ୍ଥାନରେ ଖଣ୍ଡାୟତ ବସିଥିବାବେଳେ ଆଉ କେତେକଙ୍କର ଖତିୟାନରେ ଜାତି ଡଗରା ରହିଛି ବୋଲି ଦର୍ଶାଯାଇଛି । ଫଳରେ ୨୦୨୩ ଏସ୍‌ଇବିସି ସାମାଜିକ ଶିକ୍ଷାଗତ ସ୍ଥିତି ସଂପର୍କିତ ସର୍ଭେ ରିପୋର୍ଟରେ ଆମ ଜାତି (ଡଗରା) ଉପଜାତିର ନାମ ଦରଜ ହୋଇନାହିଁ । ଫଳରେ ଏହି ଗୋଷ୍ଠୀ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଣୁ ଡଗରା (ପାଇକ ସର୍ଦ୍ଦାର) ଉପଜାତିଙ୍କୁ ସର୍ଭେ ପୋର୍ଟାଲ ୨୦୨୩ ର କୋଡ୍ ନଂ ୧୩୮ ରେ ସ୍ଥାନିତ କରି ଏସ୍‌ଇବିସି ସର୍ଭେ ତାଲିକାରେ ଅନ୍ତର୍ଭୁକ୍ତ କରାଇଲେ ଏହି ଗୋଷ୍ଠୀ ବଂଶାନୁକ୍ରମିକ ଚିର ଉପକୃତ ହେବେ ବୋଲି ଓଡ଼ିଶା ରାଜ୍ୟ ସରକାର ତଥା ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଡଗରା ଗୋଷ୍ଠୀ ସଭାପତି ସୁରେଶ କୁମାର ମହାପାତ୍ରଙ୍କ ସମେତ ଗୋଷ୍ଠୀର ବହୁ ସଦସ୍ୟ ଆଜି ଜିଲା ପ୍ରଶାସନକୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।