Odiapua.com

୨୦୨୨-୨୩ ଆର୍ଥିକ ବର୍ଷରେ ଜିଲାର ରାଜସ୍ୱ ଆଦାୟ ୮୫.୫୮ ପ୍ରତିଶତ

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୨-୨୩ ଆର୍ଥିକ ବର୍ଷରେ ଭଦ୍ରକ ଜିଲାର ରାଜସ୍ୱ ଆଦାୟ ୮୫.୫୮ ପ୍ରତିଶତ ହୋଇଛି । ରାଜସ୍ୱ ଆଦାୟ କ୍ଷେତ୍ରରେ ଖଜଣା ବାବଦରେ (ଭୂକର) ୮୮.୮୬ ପ୍ରତିଶତ ରାଜସ୍ୱ ଆଦାୟ ହୋଇଥିବାବେଳେ ଜଳକର ବାବଦରେ ୫୩.୫୮ ପ୍ରତିଶତ ଆଦାୟ ହୋଇଛି । କିନ୍ତୁ ସୈରାତ ଓ ଲାଇନ୍ ଡିପାର୍ଟମେଣ୍ଟ ରୟାଲଟି ବାବଦରେ ୧୨୮.୫୩ ପ୍ରତିଶତ ରାଜସ୍ୱ ଆଦାୟ ହୋଇଛି । ସରକାରଙ୍କ ତରଫରୁ ରାଜସ୍ୱ ଆଦାୟର ଲକ୍ଷ୍ୟଧାର୍ଯ୍ୟ ଥିଲା ୧୫୩.୪୯ ଲକ୍ଷ । ୭ଟି ତହସିଲରୁ ରାଜସ୍ୱ ଆଦାୟ ହୋଇଛି ୧୩୧.୩୬୨ ଲକ୍ଷ । ବନ୍ତ ତହସିଲରେ ସର୍ବାଧିକ ୧୮୫.୬୨ ପ୍ରତିଶତ ରାଜସ୍ୱ ଆଦାୟ ହୋଇଛି । ସଂପୃକ୍ତ ତହସିଲର ଲକ୍ଷ୍ୟଧାର୍ଯ୍ୟ ୨.୮୫ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୫.୨୮ ଲକ୍ଷ । ସେହିପରି ତିହିଡି ତହସିଲର ଲକ୍ଷ୍ୟଧାର୍ଯ୍ୟ ୬.୬୩ ଥିବାବେଳେ ଆଦାୟ ହୋଇଅଛି ୭.୧୮୨ ଲକ୍ଷ (୧୦୮.୩୩%) । ବାସୁଦେବପୁର ତହସିଲର ଲକ୍ଷ୍ୟଧାର୍ଯ୍ୟ ୧୫.୦୩ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୧୪.୦୧ ଲକ୍ଷ (୯୩.୨୧%) । ଚାନ୍ଦବାଲି ତହସିଲର ଲକ୍ଷ୍ୟଧାର୍ଯ୍ୟ ୬୫.୯୪ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୫୬.୪୩ ଲକ୍ଷ (୮୫.୫୮%), ଭଦ୍ରକ ତହସିଲର ଲକ୍ଷ୍ୟଧାର୍ଯ୍ୟ ୪୬.୧୬ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୩୮.୯୩ ଲକ୍ଷ (୮୪.୩୪%), ଭଣ୍ଡାରିପୋଖରୀ ତହସିଲର ଲକ୍ଷ୍ୟଧାର୍ଯ୍ୟ ୭.୮୯ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୫.୭୫ ଲକ୍ଷ (୭୨.୮୮%) । ସେହିପରି ଧାମନଗର ତହସିଲର ଲକ୍ଷ୍ୟଧାର୍ଯ୍ୟ ୮.୯୯ ଲକ୍ଷ ଥିବାବେଳେ ରାଜସ୍ୱ ଆଦାୟ ହୋଇଛି ୩.୭୯ ଲକ୍ଷ (୪୨.୧୬%) । ଚଳିତବର୍ଷର ରାଜସ୍ୱ ଆଦାୟକୁ ନେଇ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ର, ରେଜେଷ୍ଟ୍ରି ଅଫିସର କସ୍ତୁରୀବାଳା ଜେନା, ରେଭିନ୍ୟୁ ଅଫିସର ଲକ୍ଷ୍ମୀପ୍ରସାଦ ସାହୁଙ୍କ ସମେତ ଧାମରା ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ୭ଟି ତହସିଲ କାର୍ଯ୍ୟାଳୟର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଟିଓ, ଅବକାରୀ ଅଧିକାରୀଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ୱ ଆଦାୟର ସମୀକ୍ଷା ସହ ଡେ ବନ୍ଦୋବସ୍ତ ମାମଲା ଗୁଡିକର ଫଇସଲା ନହୋଇ ବହୁ ସଂଖ୍ୟାରେ ପଡିରହିଥିବା ନେଇ ଜିଲାପାଳ ଶ୍ରୀ ବୋନ୍ଦର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ଜିଲାର ବିଭିନ୍ନ ତହସିଲର ତହସିଲ ଅଧୀନରେ ଥିବା ପଡା ଗ୍ରାମଗୁଡିକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ସୀମା ପରିବର୍ତ୍ତନ (ବିସିପି) ବହୁ ପଛରେ ପଡିଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହିସବୁ ମାମଲା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ କଡା ତାଗିଦ କରିଥିଲେ । ଅପରପକ୍ଷରେ ଭଦ୍ରକ ଆଖଣ୍ଡଳମଣି ରାସ୍ତାର ସଂପ୍ରସାରଣ କ୍ଷେତ୍ରରେ ଆବଶ୍ୟକ ପଡୁଥିବା ଗଛକଟା ଉଚ୍ଛେଦ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଶୀଘ୍ର ସାରିବାକୁ ବୈଠକରେ ଜିଲାପାଳ ଶ୍ରୀ ବୋନ୍ଦର ଅଧିକ ଗୁରୁତ୍ୱ ଦେଇଥିଲେ । ସେହିପରି ବିଭିନ୍ନ ଅଫିସ୍ ଗୃହ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କିମ୍ବା ରାସ୍ତା ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ପଡୁଥିବା ସରକାରୀ କିମ୍ବା ବେସରକାରୀ ଜମିକୁ ଅଧିଗ୍ରହଣ କରି ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ।