Odiapua.com

୨୦୨୦-୨୧ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ

– କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ ଶୁକ୍ରବାରଦିନ ସଂସଦରେ ୨୦୨୦-୨୧ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟକୁ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା।

– ଶତାବ୍ଦୀରେ ଥରେ ଦେଖାଦେଇଥିବା ମହାମାରୀ ଭଳି ସଂକଟ ମଧ୍ୟରେ ଜୀବନ ଓ ଜୀବିକାର ସୁରକ୍ଷା

– ଭାରତ କୋଭିଡ ମହାମାରୀ ଆରମ୍ଭରେ ଜୀବନ ଓ ଜୀବିକା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ଏଥିପାଇଁ ଦୀର୍ଘମିଆଦୀ ଲାଭ ନିମନ୍ତେ ସ୍ୱଳ୍ପକାଳୀନ ଯନ୍ତ୍ରଣାକୁ ଆଦରି ନେବାକୁ ଆଗ୍ରହ ପ୍ରକାଶ କରିଥିଲା।

– ମାନବିକ ନୀତିରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଉଦ୍ରେକ ହୋଇଥିଲା।

– ମଣିଷ ଜୀବନ ଚାଲିଗଲେ ତାହାକୁ ଫେରାଇ ଅଣାଯାଇପାରିବ ନାହିଁ। ସେଥିପାଇଁ ସରକାର ଏହି ନୀତି ଅବଲମ୍ବନ କରିଥିଲେ।

– ଜିଡିପି ଅଭିବୃଦ୍ଧି ମହାମାରୀର ସାମୟିକ ଆଘାତ ପରେ ପୁଣି ସ୍ୱାଭାବିକ ହେବ।

– ଆଗୁଆ କଠୋର ଲକ୍ଡାଉନ ଲାଗୁ କରାଯିବା ଫଳରେ ଏହା ଏକ ଜିତାପଟ ରଣନୀତି ସାବ୍ୟସ୍ତ ହୋଇଥିଲା। ଏହା ଫଳରେ ଜୀବନରକ୍ଷା ହେବା ସହିତ ମଧ୍ୟମରୁ ଦୀର୍ଘମିଆଦି ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ମାଧ୍ୟମରେ ଜୀବିକା ସୁରକ୍ଷିତ ହୋଇପାରିଲା।

– ଏହି ରଣନୀତି ପଛରେ ନୋବେଲ ପୁରସ୍କାର ଗବେଷଣା ଯାହା ହାନ୍ସେନ ଓ ସର୍ଜେଣ୍ଟ (୨୦୦୧)ଙ୍କ ଦ୍ୱାରା କରାଯାଇଥିଲା ତାହାର ପ୍ରେରଣା ଥିଲା। ଏହି ନୀତି ଅନୁସାରେ ସବୁଠୁ ଖରାପ ପରିସ୍ଥିତିରେ ଯଥାସମ୍ଭବ କ୍ଷତିକୁ ସର୍ବନିମ୍ନରେ ସୀମିତ ରଖିବା ଏବଂ ଅନିଶ୍ଚିତତାର ମୁକାବିଲା କରିବାକୁ ଗୁରୁତ୍ୱ ଦିଆଯାଏ।

– ଏହି ରଣନୀତି କରୋନା ସଂକ୍ରମଣର ଧାରାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା ଏବଂ ଏହି ସଂକ୍ରମଣ ସେପ୍ଟେମ୍ବର ୨୦୨୦ରେ ଶୀର୍ଷରେ ପହଞ୍ଚିବା ପରେ ନିମ୍ନଗାମୀ ହେଲା।

– ସେପ୍ଟେମ୍ବରରେ ଶିଖର ପରେ ଭାରତରେ ସଂକ୍ରମଣର ଧାରା ହ୍ରାସ ପାଇବା ଲକ୍ଷ୍ୟ କରାଗଲା ଏବଂ ଗତାଗତ କ୍ରମଶଃ ବଢିବା ସତ୍ତ୍ୱେ ଦେଶ କରୋନା ନିମ୍ନଗାମୀ ହେବାର ଅଦ୍ୱିତୀୟ ଅନୁଭବ ପାଇଲା।

– ଉପରୁ ତଳକୁ ଖସି ପୁଣି ଊର୍ଦ୍ଧ୍ବମୁଖୀ ଅର୍ଥନୀତି, ଯାହା ଦ୍ୱିତୀୟ ତ୍ରୟମାସିକରେ ଜିଡିପିର ୭.୫ ପ୍ରତିଶତ ହ୍ରାସରେ ଦେଖାଦେଇଥିଲା ସେଥିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଲା ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଉନ୍ନତିର ଲକ୍ଷଣ ଦେଖାଗଲା। ତ୍ରୟମାସିକ-୧ରେ ଜିଡିପିର ସଂକୋଚନ ୧.୯ ଶତାଂଶରେ ପହଞ୍ଚିଥିଲା।

– କେଭିଡ୍ ମହାମାରୀ ଉଭୟ ଚାହିଦା ଓ ଯୋଗାଣକୁ ପ୍ରଭାବିତ କରିଥିଲା।

– ଭାରତ ବିଶ୍ୱର ଏକମାତ୍ର ଦେଶ ଯିଏ କି ପ୍ରଥମେ ଢାଞ୍ଚାଗତ ସଂସ୍କାର ଘୋଷଣା କରି ଯୋଗାଣ ବଢାଇବାକୁ ମଧ୍ୟମ ଓ ଦୀର୍ଘମିଆଦି ପଦକ୍ଷେପ ନେଇଥିଲା। ଏଥିସହିତ ଉତ୍ପାଦନ ଦକ୍ଷତା ଯେପରି ଦୀର୍ଘକାଳ ପାଇଁ କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ମଧ୍ୟ ଯତ୍ନବାନ ହୋଇଥିଲା।

– ଶୃଙ୍ଖଳିତ ଯୋଗାଣ ନୀତି ଦ୍ୱାରା ଏହା ନିଶ୍ଚିତ କରାଯାଇଥିଲା ଯେ ଆର୍ଥିକ କାର୍ଯ୍ୟକଳାପ ଉପରୁ କଟକଣା ଉଠିବା ମାତ୍ରେ ଦେଶରେ ଚାହିଦା ବଢିବ।

– ଜାତୀୟ ଭିତ୍ତିଭୂମି ପାଇପ ଲାଇନ ଉପରେ ସରକାରୀ ନିବେଶ କାର୍ଯ୍ୟକ୍ରମ କେନ୍ଦ୍ରୀକୃତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଚାହିଦାକୁ ଅଧିକ ବଢାଇ ଆର୍ଥିକ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା।

– ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇ ଅର୍ଥନୀତିକୁ ସୁଧାରିବା ପ୍ରକ୍ରିୟା ରଣକୌଶଳାତ୍ମକ ନୀତିନିର୍ଦ୍ଧାରଣରେ ଏକ ଅନୁପମ ଘଟଣା। ଶତାବ୍ଦୀରେ ଥରେ ଘଟିଥିବା ଏକ ମହାମାରୀ କାଳରେ ଏହା ଏକ ଅଦ୍ୱିତୀୟ କଥା।

– ୨୦୨୦-୨୧ରେ ଅର୍ଥନୀତିର ସ୍ଥିତି ଏକ; ସିଂହାବଲୋକନ

– କରୋନା ମହାମାରୀ ବିଶ୍ୱ ଆର୍ଥିକ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରିଥିଲା। ବିଶ୍ୱ ଆର୍ଥିକ ସଂକଟ ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଆର୍ଥିକ ଅବସ୍ଥାର ଦୁର୍ଦ୍ଦଶା ଏଭଳି କେବେ ହୋଇ ନ ଥିଲା।

– ଲକ୍ଡାଉନ ଓ ସାମାଜିକ ଦୂରତ୍ୱ ନିୟମ ମନ୍ଥର ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେଇଥିଲା।

– ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଜାନୁୟାରୀ ୨୦୨୧ ଆକଳନ ଅନୁସାରେ ବିଶ୍ୱ ଆର୍ଥିକ ଉତ୍ପାଦନ ୨୦୨୦ରେ ୩.୫ ଶତାଂଶ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି।

– ବିଶ୍ୱର ବିଭିନ୍ନ ଦେଶର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଜ ନିଜର ଅର୍ଥନୀତିକୁ ସୁରକ୍ଷିତ କରିବା ପାଇଁ ନାନା ନୀତି ଓ ପଦକ୍ଷେପ ମାନ ଗ୍ରହଣ କରିଥିଲେ। ସେଥିମଧ୍ୟରେ ପଲିସି ରେଟ ହ୍ରାସ ଏବଂ ବିଭିନ୍ନ କୋହଳ ନୀତି ଅନ୍ୟତମ।

– ଭାରତ ଏଥିପାଇଁ ଚଉମୁଖୀ ରଣନୀତି ଗ୍ରହଣ କରିଥିଲା। ସେଥିମଧ୍ୟରେ ବିତ୍ତୀୟ ଆର୍ଥିକ ପଦକ୍ଷେପ ଦୀର୍ଘମିଆଦୀ ନୀତି, ଢାଞ୍ଚାଗତ ସଂସ୍କାର ଓ ମହାମାରୀ ନିୟନ୍ତ୍ରଣ ସ୍ଥାନ ପାଇଥିଲା।

– ସୁସଂହତ ବିତ୍ତୀୟ ଓ ମୁଦ୍ରାନୀତି ଗ୍ରହଣ କରାଯାଇଥିଲା। ଏହା ଫଳରେ ଲକ୍ଡାଉନ କାଳରେ ଦୁର୍ବଳବର୍ଗଙ୍କୁ ସୁରକ୍ଷିତ କରିବାର ବ୍ୟବସ୍ଥା କରାଯାଇ ଉଭୟ ଉପଯୋଗ ଏବଂ ନିବେଶକୁ ପ୍ରୋତ୍ସାହିତ କରାଯାଇଥିଲା। ଅନ୍ଲକିଂ ପରେ ଏହି ପ୍ରକ୍ରିୟା ମଧ୍ୟ ଜାରି ରହିଥିଲା।

– ରିଜର୍ଭ ବ୍ୟାଙ୍କର ଏକ ଅନୁକୂଳ ମୁଦ୍ରାନୀତି ଦ୍ୱାରା ବଜାରକୁ ପର୍ଯ୍ୟାପ୍ତ ନଗଦ ଯୋଗାଣ ନିଶ୍ଚିତ ହୋଇଥିଲା। ଏହା ଫଳରେ ଋଣ କରିଥିବା ଲୋକ ତୁରନ୍ତ ଉପକୃତ ହେଲେ।

– ଏନ୍ଏସଓ ଦ୍ୱାରା ହୋଇଥିବା ଆଗୁଆ ଆକଳନ ଅନୁସାରେ ଭାରତର ଜିଡିପି ଆର୍ଥିକ ବର୍ଷ ୨୧ରେ (-) ୭.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ। ଅନୁକ୍ରମିକ ୨୩ ପ୍ରତିଶତର ବିରାଟ ଅଭିବୃଦ୍ଧି ଏହା ଫଳରେ ୨୧ ଆର୍ଥିକ ବର୍ଷରେ ହ୍ରାସ ହୋଇପାରିବ।

– ଭାରତର ବାସ୍ତବ ଜିଡିପି ୨୦୨୧-୨୨ ଆର୍ଥିକ ବର୍ଷରେ ରେକର୍ଡ ୧୧ ଶତାଂଶ ଅଭିବୃଦ୍ଧି ହାସଲ କରିବ ଏବଂ ନାମକୁ ମାତ୍ର ଜିଡିପିର ଅଭିବୃଦ୍ଧି ୧୫.୪ ଶତାଂଶ ହେବ। ସ୍ୱାଧୀନତା ପରେ ଏହି ଅଭିବୃଦ୍ଧି ସର୍ବାଧିକ।

– ଅର୍ଥନୀତିର ପ୍ରତ୍ୟାବର୍ତ୍ତନରେ ମୌଳିକ ଭିତ୍ତି ସ୍ୱଳ୍ପ ରହିବ ଏବଂ କ୍ରମଶଃ ଏହା ବଢି ବଢି ସ୍ୱାଭାବିକ ହେବ। କୋଭିଡ୍ ଟିକାଦାନ ପରେ ଅର୍ଥନୈତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହା ଆହୁରି ଗତିଶୀଳ ହେବ।

– ସରକାରୀ ଉପଭୋଗ ଏବଂ ନିଟ୍ ରପ୍ତାନୀ ଅଭିବୃଦ୍ଧିକୁ ସୁହାଇବ। ଏହା ଫଳରେ ପୁଞ୍ଜି ନିବେଶ ବଢିବ ଏବଂ ଘରୋଇ ଉପଭୋଗ ମଧ୍ୟ ବୃଦ୍ଧି ପାଇବ।

– ୨୦୨୦-୨୧ଆର୍ଥିକ ବର୍ଷର ଆର୍ଥିକ ପୁନରୁଦ୍ଧାର ନିମନ୍ତେ ସରକାରୀ ଉପଭୋଗ ବା କଞ୍ଜପ୍ସନ ଗୁରୁତ୍ୱପୂର୍ଣ୍ଣ ହେବ। ଏହାର ଅଭିବୃଦ୍ଧି ବାର୍ଷିକ ହାର ଭିତ୍ତିରେ ୧୭ ଶତାଂଶ ହୋଇପାରେ।

– ରପ୍ତାନୀ ୫.୮ ଶତାଂଶ ହ୍ରାସ ପାଇବ ବୋଲି ଆଶା କରାଯାଉଥିବାବେଳେ ଆର୍ଥିକ ବର୍ଷ ୨୧ର ଦ୍ୱିତୀୟାର୍ଦ୍ଧରେ ୧୧.୩୦ ଶତାଂଶ କମିବ।

– ଆର୍ଥିକ ବର୍ଷ ୨୧ରେ ଭାରତର ଚାଲୁଖାତା ବା କରେଣ୍ଟ ଆକାଉଣ୍ଟରେ ବଳକା ପରିମାଣ ଜିଡିପିର ୨ ଶତାଂଶ ହେବ ବୋଲି ଆଶା କରାଯାଏ। ୧୭ ବର୍ଷ ପରେ ଏହା ଏକ ଐତିହାସିକ ବୃଦ୍ଧି ହେବ।

– ଯୋଗାଣ କ୍ଷେତ୍ରରେ ଗ୍ରସଭ୍ୟାଲୁ ଏଡେଡ ଅଭିବୃଦ୍ଧି – ୭.୨ ଶତାଂଶ ଆର୍ଥିକ ବର୍ଷ ୨୧ରେ ହେବ ବୋଲି ଆକଳନ କରାଯାଇଛି। ଆର୍ଥିକ ବର୍ଷ ୨୦ରେ ଏହା ଥିଲା ୩.୯ ଶତାଂଶ।

– ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିକୁ ଯେଉଁ ଆଘାତ ପହଞ୍ଚିଛି କୃଷିକ୍ଷେତ୍ର ତାହାକୁ ଲାଘବ କରିବ। ୨୧ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୩.୪ ଶତାଂଶ ହେବ।

– ଉଦ୍ୟୋଗ ଓ ସେବା କ୍ଷେତ୍ର ୨୧ ଆର୍ଥିକ ବର୍ଷରେ ଯଥାକ୍ରମେ ୯.୬ ଓ ୮.୭ ଶତାଂଶ ସଂକୁଚିତ ହେବ ବୋଲି ଆକଳନ କରାଯାଇଛି।

– ଚୁକ୍ତିଭିତ୍ତିକ ସେବା, ମ୍ୟାନୁଫାକ୍ଚରିଂ, ନିର୍ମାଣ କ୍ଷେତ୍ର କରୋନା ଦ୍ୱାରା ବିଶେଷ ପ୍ରଭାବିତ ହେବା ପରେ ଏବେ କ୍ରମଶଃ ସୁଧୁରିଛି। ତେବେ କୃଷିକ୍ଷେତ୍ରରୁ ସୁସମ୍ବାଦ ମିଳିଲାଣି।

– ୨୦୨୦-୨୧ଆର୍ଥିକ ବର୍ଷରେ ଭାରତ ନିବେଶର ସବୁଠୁ ଅଗ୍ରାଧିକାର ଲକ୍ଷ୍ୟସ୍ଥଳୀ ହେବ। ଏହି ବର୍ଷ ସମଗ୍ର ବିଶ୍ୱରୁ ବିପୁଳ ପୁଞ୍ଜି ଭାରତରେ ନିବେଶ ହୋଇଥିଲା।

– ନେଟ୍ ଏଫ୍ପିଆଇ ପ୍ରବାହ ୨୦୨୦ ନଭେମ୍ବରରେ ସର୍ବକାଳୀନ ମାସିକ ରେକର୍ଡ ହାସଲ କରିଥିଲା। ସେହି ମାସରେ ୯.୮ ବିଲିୟନ ଆମେରିକୀୟ ଡଲାର ଭାରତରେ ନିବେଶ ହୋଇଥିଲା।

– ୨୦୨୦ରେ ଭାରତ ଏକମାତ୍ର ଉତ୍ଥାନମୁଖୀ ବଜାର ଥିଲା; ଯେଉଁଠି ଏଫ୍ଆଇଆଇ ପୁଞ୍ଜି ଇକ୍ୟୁଟିରେ ନିବେଶ ହୋଇଥିଲା।

– ସେନ୍ସେକ୍ସ ଓ ନିଫ୍ଟି ଊର୍ଦ୍ଧ୍ୱମୁଖୀ ହୋଇଥିଲା ଏବଂ ଜିଡିପି ଅନୁପାତରେ ମାର୍କେଟ କ୍ୟାପ୍ ଶତପ୍ରତିଶତ ପ୍ରଥମଥର ପାଇଁ ୨୦୧୦ ଅକ୍ଟୋବର ପରେ ହାସଲ କରାଯାଇଥିଲା।

– ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି ନରମ ରହିବାରୁ ଏହାର ପ୍ରଭାବ ଯୋଗାଣ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ଏହା ଫଳରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଉଛି।

– ରାଜ୍ୟ ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ସାମଗ୍ରୀ ପରିବହନ କଟକଣା ଉଚ୍ଛେଦ ଫଳରେ ମାସିକ ଜିଏସ୍ଟି ସଂଗ୍ରହ ବଢିଛି। ଅନ୍ଲକିଂ ପ୍ରକ୍ରିୟା ପରେ ଶିଳ୍ପ ଓ ବ୍ୟାବସାୟିକ କାର୍ଯ୍ୟକ୍ରମ ବୃଦ୍ଧି ପାଇଛି।

– ବାହ୍ୟ କ୍ଷେତ୍ର ଭାରତୀୟ ଅଭିବୃଦ୍ଧିକୁ ସହାୟତା ଯୋଗାଇଛି। ଏହା ଫଳରେ ୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତର କରେଣ୍ଟ ଆକାଉଣ୍ଟ ବଳକା ଜିଡିପିର ୩.୧ ଶତାଂଶ ହେବ।

– ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଡିସେମ୍ବର ୨୦ ସୁଦ୍ଧା ଯଥେଷ୍ଟ ବୃଦ୍ଧି ପାଇଛି। ଏବେ ଦେଶ ପାଖରେ ଯେତେ ବୈଦେଶିକ ମୁଦ୍ରା ମହଜୁଦ ଅଛି ତାହା ୧୮ ମାସର ଆମଦାନୀକୁ ସମ୍ଭାଳିବାକୁ ସକ୍ଷମ।

– ଭାରତର ବୈଦେଶିକ ଋଣ ଅନୁପାତ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଜିଡିପିର ୨୧.୬ ଶତାଂଶକୁ ବଢିଛି। ୨୦୨୦ ମାର୍ଚ୍ଚ ଶେଷସୁଦ୍ଧା ଏହା ଥିଲା ୨୦.୬ ଶତାଂଶ।

– ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ଅନୁପାତ ମୋଟ ଏବଂ ସ୍ୱଳ୍ପମିଆଦୀ ଋଣ ତୁଳନାରେ ବଢିଛି।

– ନିମ୍ନମୁଖୀ ଅର୍ଥନୀତି ପୁଣି ଉପରମୁହାଁ ହୋଇ ଆର୍ଥିକ ପୁନରୁଦ୍ଧାର ପଥରେ ଏବେ ଚାଲିଛି। ଉର୍ଜ୍ଜା, ଚାହିଦା, ଇ-ୱେବିଲ୍, ଜିଏସ୍ଟି ସଂଗ୍ରହ ଓ ବର୍ଦ୍ଧିତ ଷ୍ଟିଲ ବ୍ୟବହାରରୁ ଏହାର ସୂଚନା ମିଳୁଛି।

– ଭାରତ ବିଶ୍ୱର ପ୍ରଥମ ଦେଶଭାବେ ମାତ୍ର ୬ ଦିନ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦେବାର ସଫଳତା ହାସଲ କରିଛି ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ର ଓ ବ୍ରାଜିଲକୁ ପ୍ରମୁଖ ଟିକା ଯୋଗାଣକାରୀ ରାଷ୍ଟ୍ରରେ ପରିଣତ ହୋଇଛି।

– ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ଯାଉଥିବାବେଳେ ବୃହତ୍ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

– ସେବା କ୍ଷେତ୍ର, ଉପଭୋଗ ଏବଂ ନିବେଶ କ୍ଷେତ୍ରରେ ବଡ଼ ଧରଣର ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି।

– ମହାମାରୀର ପ୍ରଭାବକୁ ଦୂର କରିବା ତଥା ନିଜର ଦକ୍ଷତା ଅନୁସାରେ ବିକାଶ ପଥରେ ଅଗ୍ରସର ହେବା ପାଇଁ ଭାରତକୁ ସଂସ୍କାର ପ୍ରକ୍ରିୟା ଜାରି ରଖିବାକୁ ପଡିବ।

– ଶତାବ୍ଦୀରେ ଥରେ ଦେଖାଦେଇଥିବା ମହାମାରୀ ଭଳି ଏକ ସଂକଟକାଳରେ ଭାରତର ପୋଖତ ନୀତିଗତ କାର୍ଯ୍ୟାନୁଷ୍ଠାନ ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରକୁ ବଡ଼ ଶିକ୍ଷା ଦେଇଛି। ସମୀପ ଦୃଷ୍ଟିବାଦୀ ନୀତି ପରିବର୍ତ୍ତେ ଦୀର୍ଘମିଆଦୀ ଲାଭ ପାଇଁ ପଦକ୍ଷେପ ଗ୍ରହଣର ଯଥାର୍ଥତା ଏବଂ ବାସ୍ତବତା ଭାରତ ଅନେକ ଦେଶକୁ ଶିଖାଇଛି।

– ଅଭିବୃଦ୍ଧି କ’ଣ ଋଣ ସମସ୍ୟାର ସମାଧାନ କରିପାରିବ ? ହଁ, କିନ୍ତୁ ଏହା ଓଲଟା ନୁହେଁ।

– ଭାରତୀୟ ପରିପ୍ରେକ୍ଷୀରେ ଅଭିବୃଦ୍ଧି ଦ୍ୱାରା ଋଣ କ୍ଷେତ୍ରରେ ସ୍ଥିରତା ଓ ନିୟନ୍ତ୍ରଣ ଆସିପାରିବ। ତେବେ ଏହା ଠିକ୍ ଓଲଟା ନୁହେଁ। ଋଣ କ୍ଷେତ୍ରରେ ସ୍ଥିରତା, ସୁଧହାର, ଅଭିବୃଦ୍ଧି ହାର ପାର୍ଥକ୍ୟ ବା ଆଇଆରଜିଡି ଉପରେ ନିର୍ଭର କରେ। ଅଭିବୃଦ୍ଧି ହାର ଓ ସୁଧହାର ମଧ୍ୟରେ ପାର୍ଥକ୍ୟ ବଢିଲେ ଋଣ ସ୍ଥିରତା ପ୍ରଭାବିତ ହୁଏ।

– ଭାରତରେ ଋଣ ଉପରେ ସୁଧହାର, ଅଭିବୃଦ୍ଧି ହାରଠାରୁ କମ୍। ଏହା କେବଳ ନୀତିରେ ଅଛି; ଏକ ବ୍ୟତିକ୍ରମ ନୁହେଁ।

– ଭାରତରେ ନେଗେଟିଭ ଆଇଆରଜିଡି- ସ୍ୱଳ୍ପ ସୁଧହାର ନୁହେଁ, ବରଂ ବହୁ ଅଧିକ ଅଭିବୃଦ୍ଧି ହାର ଯୋଗୁଁ ବିତ୍ତୀୟ ନୀତି ଉପରେ ବିତର୍କର ସୁଯୋଗ ସୃଷ୍ଟି ହୋଇଛି। ବିଶେଷକରି ଅଭିବୃଦ୍ଧିର ମାନ୍ଦାବସ୍ଥା ଓ ଅର୍ଥନୈତିକ ସଂକଟକାଳରେ ଏହା ବେଶି ବିତର୍କିତ ହୋଇଥାଏ।

– ଅଭିବୃଦ୍ଧି ଋଣକୁ ସ୍ଥିର ରଖେ ଏବଂ ଏଥିପାଇଁ ଉଚ୍ଚ ଅଭିବୃଦ୍ଧି ହାର ଆବଶ୍ୟକ। ଯେଉଁସବୁ ଦେଶରେ ସ୍ୱଳ୍ପ ଅଭିବୃଦ୍ଧି ହାର ରହିଛି ସେ ଦେଶରେ ଏହା ସମ୍ଭବ ହୁଏ ନାହିଁ।

– ସକ୍ରିୟ ବିତ୍ତୀୟ ନୀତି ଦ୍ୱାରା ସଂସ୍କାରର ସୁଫଳ ମିଳିଥାଏ। ଏହାଦ୍ୱାରା ଉତ୍ପାଦନ ଦକ୍ଷତା ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ନିୟନ୍ତ୍ରିତ କରିହୁଏ।

– ଭାରତର ସଭରେନ କ୍ରେଡିଟ ରେଟିଂ

– ଭାରତର ସଭରେନ କ୍ରେଡିଟ ରେଟିଂ ଏହାର ମୌଳିକତାକୁ ପ୍ରତିଫଳିତ କରେ ନାହିଁ।

– ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ହିସାବରେ ଭାରତ କେବେହେଲେ ଇନ୍ଭେଷ୍ଟମେଣ୍ଟ ଗ୍ରେଡର ସର୍ବନିମ୍ନ ରେଟିଂ ତଳକୁ ଯାଇନାହିଁ।

– ଭାରତ ଋଣ ପରିଶୋଧ କରିବା ସହ ଏ କ୍ଷେତ୍ରରେ ଅନ୍ୟାନ୍ୟ ନୀତିନିୟମକୁ ପାଳନ କରି ସବୁବେଳେ ଏଏଏ ମାନ୍ୟତା ପାଇଛି।

– ଏ କ୍ଷେତ୍ରରେ ଉଭୟ ଭାରତ ଓ ଚୀନ ଏକ ସ୍ୱତନ୍ତ୍ର ସ୍ଥିତି ହାସଲ କରିଛନ୍ତି।

– ଅଭିବୃଦ୍ଧିରେ ଅସମତା

– ଅଭିବୃଦ୍ଧିରେ ଅସମତା ଦ୍ୱନ୍ଦ୍ୱ ନା ସମ୍ମିଶ୍ରଣ ? ଏହା ଏକ ବଡ଼ ପ୍ରଶ୍ନ। ସାମାଜିକ, ଆର୍ଥିକ ଉପଲବ୍ଧି ଏବଂ ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ଅସମତା ପ୍ରାୟ ରହେ। ତେବେ ଭାରତ ଭଳି ଦେଶରେ ଏହା ଏକ ବ୍ୟତିକ୍ରମ।

– ଏଠାରେ ମୁଣ୍ଡପିଛା ଆୟରେ ଅସମତାର ସାମାଜିକ, ଆର୍ଥିକ ସୂଚକାଙ୍କ ସହିତ ସଂପର୍କ ରହିଛି; ଯାହା ବିକଶିତ ଅର୍ଥନୀତିରେ ଦେଖାଯାଏ ନାହିଁ।

– ଆର୍ଥିକ ଅଭିବୃଦ୍ଧିର ଅଧିକ ପ୍ରଭାବ ଅସମତା ଦୂର ଅପେକ୍ଷା ଦାରିଦ୍ର୍ୟ ଦୂରୀକରଣ ଉପରେ ଅଧିକ ପ୍ରଭାବ ପକାଉଛି।

– ଲୋକଙ୍କୁ ଦାରିଦ୍ର୍ୟରୁ ଉପରକୁ ଉଠାଇବା ପାଇଁ ଭାରତକୁ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ପଡିବ।

– ସ୍ୱାସ୍ଥ୍ୟସେବା କ୍ଷେତ୍ର

– କରୋନା ମହାମାରୀ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ର ସହ ଏହାର ସଂପର୍କକୁ ଗୁରୁତ୍ୱ ଦେବାର ବାଟ ଫିଟାଇଲା। କାରଣ ସ୍ୱାସ୍ଥ୍ୟ ସଂକଟ ଏକ ଆର୍ଥିକ ଓ ସାମାଜିକ ସଂକଟରେ ପରିଣତ ହୋଇଥିଲା।

– ଅତଏବ ଭାରତକୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡିବ ଏବଂ ସ୍ୱାସ୍ଥ୍ୟ ନୀତି ଓ ଭିତ୍ତିଭୂମିକୁ ଆହୁରି ଦୃଢତର କରିବାକୁ ହେବ।

– ଜାତୀୟ ସ୍ୱାସ୍ଥ୍ୟ ମିଶନ, ଆୟୁଷ୍ମାନ ଭାରତ ଓ ସେହିଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁକୁ ଭାରତକୁ ଜାରି ରଖିବାକୁ ହେବ।

– ଏବେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଡିପିର ୧ ଶତାଂଶ ଅର୍ଥ ଖର୍ଚ୍ଚ କରୁଛି। ଏହାକୁ ୨.୫ରୁ ୩ ଶତାଂଶକୁ ବଢାଇବାକୁ ପଡିବ। ଆହୁରି ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକେ ନିଜ ପକେଟରୁ ଯେଉଁ ୬୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହାକୁ ୩୫ ପ୍ରତିଶତକୁ କମାଇବାକୁ ହେବ।

– ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ରେଗୁଲେଟର ବା ନିୟାମକ ବ୍ୟବସ୍ଥା ସୃଷ୍ଟି ବିଷୟକୁ ବିଚାରକୁ ନେବାକୁ ପଡିବ।

– ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୀମା ବ୍ୟବସ୍ଥାର ପ୍ରବର୍ତ୍ତନ ଏବଂ ଲୋକଙ୍କୁ ସୁଲଭ ପ୍ରିମିୟମ ଯୋଗାଇ ଦେବାର ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ହେବ।

– ଟେଲି ମେଡିସିନ ବ୍ୟବସ୍ଥାକୁ ସଂପୂର୍ଣ୍ଣରୂପେ ଉପଯୋଗ କରିବା ସହ ଇଣ୍ଟରନେଟ କନେକ୍ଟିଭିଟି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପାଇଁ ଅଧିକ ନିବେଶ କରିବାର ଆବଶ୍ୟକତା ରହିଛି।

– ପ୍ରୋସେସ (ପ୍ରକ୍ରିୟା) ସଂସ୍କାର

– ଭାରତରେ ଅର୍ଥନୀତିର ମାତ୍ରାଧିକ ନିୟନ୍ତ୍ରଣ ଫଳରେ ସଂସ୍କାରର କାର୍ଯ୍ୟକାରିତା ଏବଂ ପ୍ରକ୍ରିୟା ସଫଳ ହେଉନାହିଁ।

– ଏହି ସମସ୍ୟାର ମୂଳ କାରଣ ହେଲା ମାତ୍ରାଧିକ ନିୟନ୍ତ୍ରଣ।

– ନିୟନ୍ତ୍ରଣରେ କ୍ରମବର୍ଦ୍ଧିଷ୍ଣୁ ଜଟିଳତା ଏବଂ ଅସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସମସ୍ୟା ସୃଷ୍ଟି କରୁଛି।

– ଏହାର ସମାଧାନ ପାଇଁ ନୀତିନିୟମକୁ ସରଳ କରିବାକୁ ହେବ ଏବଂ ତଦାରଖ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ପଡିବ।

– ଶ୍ରମ କ୍ଷେତ୍ରରେ ସଂସ୍କାର ପାଇଁ ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି। ବିପିଓ କ୍ଷେତ୍ରରେ ଥିବା କଠୋର ନିୟମକୁ ମଧ୍ୟ ଦୂର କରିବାକୁ ପଡିବ।

– ସ୍ଥିତି ପାଇଁ ପଦକ୍ଷେପ

– ବୈଶ୍ୱିକ ଆର୍ଥିକ ସଂକଟକାଳରେ ଧୈର୍ଯ୍ୟ ଓ ସଂଯମ ଭଳି ନୀତିନିୟମ ଅସୁବିଧା ଦୂର କରିବାରେ ସହାୟକ ହୋଇଥାଏ।

– ଏହି ନୀତି ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାରେ ମଧ୍ୟ ସହାୟକ ହୁଏ।

– ବ୍ୟାଙ୍କ ସମୂହ ଏଭଳି ସ୍ଥିତିରେ ନିଜର ଖାତାପତ୍ରକୁ ଠିକ୍ କରିବା ପାଇଁ ଋଣକୁ ଉପଯୁକ୍ତ ପାତ୍ରଙ୍କୁ ନ ଦେଲେ ଅର୍ଥନୀତିର ଲାଭ ହେବ ନାହିଁ। କାରଣ ଏହା ଅପାତ୍ରରେ ଯିବ।

– ଏଭଳି ସ୍ଥିତିରେ ସମ୍ବଳ ବା ସମ୍ପତ୍ତିର ଉପଯୁକ୍ତ ଗୁଣ ଓ ମୂଲ୍ୟର ସମୀକ୍ଷା କରି ଏହାକୁ ଉଚିତ କ୍ଷେତ୍ରରେ ବିନିଯୋଗ କରିବାର ଆବଶ୍ୟକତା ରହିଛି। ଏଥିସହିତ ମଧ୍ୟ ଋଣ ଅସୁଲ ପାଇଁ ଉପଯୁକ୍ତ ଆଇନଗତ ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ।

– ଘରୋଇ ଉଦ୍ୟୋଗ ପାଇଁ ନବସୃଜନ

– ୨୦୨୦ରେ ଭାରତ ବିଶ୍ୱର ଶ୍ରେଷ୍ଠ ୫୦ଟି ନବସୃଜନକାରୀ ରାଷ୍ଟ୍ରରେ ସ୍ଥାନ ପାଇଥିଲା। ୨୦୦୭ ମସିହାରେ ଗ୍ଳୋବାଲ ଇନୋଭେସନ ଇଣ୍ଡେକ୍ସ ଆରମ୍ଭ ହେବା ପରେ ଭାରତ ପ୍ରଥମ ଥର ପାଇଁ କେନ୍ଦ୍ର ଓ ଦକ୍ଷିଣ ଏସୀୟ ରାଷ୍ଟ୍ରଭାବେ ଏହି ବର୍ଗରେ ସ୍ଥାନିତ ହୋଇଛି। ଆହୁରି ମଧ୍ୟ ମଧ୍ୟମ ଆୟକାରୀ ଗୋଷ୍ଠୀ ଅର୍ଥନୀତି ମଧ୍ୟରେ ଭାରତ ଏ କ୍ଷେତ୍ରରେ ତୃତୀୟ ଦେଶର ମାନ୍ୟତା ପାଇଛି।

– ଭାରତକୁ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବିଶ୍ୱର ୧୦ଟି ଶ୍ରେଷ୍ଠ ଅର୍ଥନୀତି ମଧ୍ୟରେ ଭାରତର ଏ ବାବଦ ଅର୍ଥ ବିନିଯୋଗ ହାର ସର୍ବନିମ୍ନ।

– ଭାରତର ବ୍ୟବସାୟ କ୍ଷେତ୍ରର ଗବେଷଣା ଓ ଉନ୍ନୟନଜନିତ ନିବେଶ ବ୍ୟବସ୍ଥାରେ ବଡ଼ଧରଣର ପୁନର୍ବିନ୍ୟାସ ଲୋଡା।

– ଏବେ ଭାରତରେ ମୋଟ ପ୍ୟାଟେଣ୍ଟ ପରିମାଣ ୩୬ ପ୍ରତିଶତ ରହିଛି। ଏହାକୁ ବଢାଇବାକୁ ହେବ; କାରଣ ବିଶ୍ୱର ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତ ଏ କ୍ଷେତ୍ରରେ ବହୁ ପଛୁଆ।

– ଭାରତକୁ ଏହାର ପ୍ରତିଷ୍ଠାନ ଓ ବ୍ୟବସାୟ ଆଧୁନିକୀକରଣର ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ।

– ସ୍ୱାସ୍ଥ୍ୟ କ୍ଷେତ୍ରର ଉତ୍ତମ ଫଳ

– ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଉତ୍ତମ ପ୍ରଭାବ ଖୁବ୍ କମ ଦିନରେ ଦେଶର ସ୍ୱାସ୍ଥ୍ୟସେବା ଓ ଯତ୍ନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି। ୨୦୧୮ରେ ଆରମ୍ଭ ହୋଇଥିବା ଏହି ଅଭିଳାଷୀ କାର୍ଯ୍ୟକ୍ରମ ଦ୍ୱାରା ସମାଜର ଦୁର୍ବଳ ଶ୍ରେଣୀର ଲୋକେ ବିଶେଷ ଉପକୃତ ହୋଇଛନ୍ତି।

– ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱଳ୍ପ ମୂଲ୍ୟରେ ଡାଏଲେସିସ, କୋଭିଡ୍ ମହାମାରୀ ଓ ଅନ୍ୟାନ୍ୟ ଜଟିଳ ରୋଗର ଉତ୍ତମ ଚିକିତ୍ସା ଲୋକଙ୍କୁ ଯୋଗାଇ ଦିଆଯାଉଛି।

– ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା ଫଳରେ ଦେଶରେ ସ୍ୱାସ୍ଥ୍ୟବୀମାକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି। ବିହାର, ଆସାମ ଓ ସିକ୍କିମ ଭଳି ରାଜ୍ୟରେ ଏହା ୩ ବର୍ଷ ମଧ୍ୟରେ ୮୯ ଶତାଂଶକୁ ବଢିଥିବାବେଳେ ଏହି ସମୟରେ କେବଳ ପଶ୍ଚିମବଂଗରେ ୧୨ ଶତାଂଶ କମିଛି। ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ୨୦୧୫-୧୬ରୁ ୧୯-୨୦ ମଧ୍ୟରେ ପଶ୍ଚିମବଂଗରେ ଏହି ହାର ୨୦ ଶତାଂଶ ଏବଂ ୩ଟି ପଡୋଶୀ ରାଜ୍ୟରେ ୨୮ ଶତାଂଶକୁ ହ୍ରାସ ପାଇଛି।

– ପାଞ୍ଚ ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ମଧ୍ୟ କମିଛି। ପଶ୍ଚିମବଂଗରେ ଏହା ୨୦ ଶତାଂଶ ଏବଂ ଅନ୍ୟାନ୍ୟ ପଡୋଶୀ ରାଜ୍ୟରେ ୨୭ ଶତାଂଶ ହ୍ରାସ ପାଇଛି।

– ମହିଳାଙ୍କ ମଧ୍ୟରେ ଆଧୁନିକ ଗର୍ଭନିରୋଧକ, ପରିବାର ନିୟୋଜନ ଅସ୍ତ୍ରୋପଚାର ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବଢିଛି।

– ଦେଶରେ ମା’ ଓ ଶିଶୁଙ୍କ ସେବାଯତ୍ନ ସ୍ଥିତିରେ ମଧ୍ୟ ଉନ୍ନତି ଆସିଛି।

– ମୌଳିକ ଆବଶ୍ୟକତା

– ୨୦୧୨ ତୁଳନାରେ ୨୦୧୮ରେ ଦେଶରେ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି।

– କେରଳ, ପଞ୍ଜାବ, ହରିଆନା ଏବଂ ଗୁଜରାଟରେ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଂଗ ଓ ତ୍ରିପୁରା ଏ କ୍ଷେତ୍ରରେ ତଳେ ରହିଛନ୍ତି।

– ଯେଉଁ ୫ଟି ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପରିଲକ୍ଷିତ ହୋଇଛି ସେ ଗୁଡିକ ହେଲା- ଜଳ, ଆବାସ, ପରିଚ୍ଛନ୍ନତା, ଉତ୍ତମ ପରିବେଶ ଓ ଅନ୍ୟାନ୍ୟ କେତେକ ମୌଳିକ ସୁବିଧା।

– ଏହି ସମୟ ମଧ୍ୟରେ ରାଜ୍ୟ-ରାଜ୍ୟ ଓ ଆନ୍ତଃରାଜ୍ୟ ବୈଷମ୍ୟ ହ୍ରାସ ପାଇଛି। ସହର ଓ ଗ୍ରାମାଞ୍ଚଳରେ ଥିବା ବୈଷମ୍ୟ ପଛୁଆ ରାଜ୍ୟଗୁଡିକ ମଧ୍ୟରେ ବଢିଛି।

– ମୌଳିକ ସୁବିଧା ସୁଯୋଗ ଯୋଗାଣ ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନୁକୂଳ ପ୍ରଭାବ ପଡିଛି। ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଛି।

– ଅତଏବ ଏ କ୍ଷେତ୍ରରେ ଯେଉଁ ବୈଷମ୍ୟ ରହିଛି ସେ ଗୁଡିକ ପାଇଁ କାମ କରିବାକୁ ପଡିବ। ଜଳ ଜୀବନ ମିଶନ, ଏସ୍ବିଏମ୍ଜି, ପିଏମ୍ଏୱାଇଜି ଆଦିକୁ ଉପଯୁକ୍ତଭାବେ ନୂଆ ରୂପ ଦେବାକୁ ପଡିବ।

– ବିତ୍ତୀୟ ବିକାଶ

– ମାସିକ ଜିଏସ୍ଟି ସଂଗ୍ରହ କ୍ରମାଗତଭାବେ ୩ ମାସ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ ୨୦୨୦ ଡିସେମ୍ବରରେ ରେକର୍ଡସ୍ତରରେ ପହଞ୍ଚିଥିଲା।

– ଟିକସ ପ୍ରଶାସନରେ ସଂସ୍କାର ଫଳରେ ସଚ୍ଚୋଟ ଟିକସଦାତାଙ୍କ ସଂଖ୍ୟା ବଢିଛି ଏବଂ ସେମାନେ ପ୍ରୋତ୍ସାହିତ ହୋଇଛନ୍ତି।

– ମହାମାରୀ ଭଳି ଆହ୍ୱାନମୂଳକ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଉଲ୍ଲେଖନୀୟ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି।

– ବାହ୍ୟ କ୍ଷେତ୍ର

– କରୋନା ମହାମାରୀ ଯୋଗୁଁ ବିଶ୍ୱ ବାଣିଜ୍ୟ ଗୁରୁତରଭାବେ ପ୍ରଭାବିତ ହୋଇଥଲା। ସାମଗ୍ରୀର ମୂଲ୍ୟ ହ୍ରାସ ପାଇବା ସହ ବିଦେଶରୁ ପୁଞ୍ଜି ଆଣିବା ପ୍ରକ୍ରିୟା ଜଟିଳ ହୋଇପଡିଥିଲା। କରେଣ୍ଟ ଆକାଉଣ୍ଟରେ ଅର୍ଥ ହ୍ରାସ ଓ ବିଭିନ୍ନ ଦେଶର ମୁଦ୍ରା ମଧ୍ୟରେ ମୂଲ୍ୟଗତ ତଫାତ୍ ଯୋଗୁଁ ପରିସ୍ଥିତି ଜଟିଳ ଆକାର ଧାରଣ କରିଥିଲା।

– ଏହା ସତ୍ତ୍ୱେ ଭାରତ ମହାମାରୀ ସମୟରେ ନିଜର ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଅନେକାଂଶରେ ସଫଳ ହୋଇଛି।

– ୨୦୨୧ ଜାନୁୟାରୀ ୮ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ମହଜୁଦ ପରିମାଣ ୫୮୬.୧ ବିଲିୟନ ଡଲାର ଥିଲା; ଯାହା ୧୮ ମାସର ଆମଦାନୀ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ।

– ଏବେ ଭାରତର କରେଣ୍ଟ ଆକାଉଣ୍ଟ ବଳକା ବେଶ୍ ଭଲ ଅଛି ଏବଂ ବିଦେଶରୁ ପୁଞ୍ଜି ପ୍ରବାହ ଉତ୍ତମ ରୂପେ ଚାଲିଛି।

– ଏଫ୍ଡିଆଇ ଓ ପିଏଫ୍ଆଇ ନିବେଶ ଫଳରେ କ୍ୟାପିଟାଲ ଆକାଉଣ୍ଟର ଜମା ବଢୁଛି। ଏପ୍ରିଲ-ଅକ୍ଟୋବର ୨୦୨୦ ମଧ୍ୟରେ ଭାରତକୁ ମୋଟ ୨୭.୫ ବିଲିୟନ ଡଲାର ଏଫ୍ଡିଆଇ ଆସିଥିଲା। ପୂର୍ବବର୍ଷ ତୁଳନାରେ ଏହି ୧୪.୮ ଶତାଂଶ ଅଧିକ। ସେହିଭଳି ପୂର୍ବବର୍ଷ ତୁଳନାରେ ୨୦୨୦ରେ ଭାରତକୁ ନେଟ୍ ଏଫ୍ପିଆଇ ପରିମାଣ ଦୁଇଗୁଣରୁ ଅଧିକ ହୋଇଛି। ୨୦୧୯ରେ ଏହା ୧୨.୩ ବିଲିୟନ ଥିବାବେଳେ ୨୦୨୦ ଏପ୍ରିଲ-ଡିସେମ୍ବରରେ ୨୮.୫ ବିଲିୟନ ଡଲାର ହୋଇଥିଲା।

– ଭାରତର ଏବେକାର କରେଣ୍ଟ ଆକାଉଣ୍ଟ ବଳକା ଜିଡିପିର ୩.୧ ଶତାଂଶ ବା ୩୪.୭ ବିଲିୟନ ଡଲାର ରହିଛି।

– ଦେଶର ବାଣିଜ୍ୟ କାରବାର ୨୦୧୯-୨୦ରେ କରୋନା ପ୍ରଭାବରୁ ହ୍ରାସ ପାଇଛି।

– ତେବେ ଏହି ସମୟରେ ପେଟ୍ରୋଲିୟମ ଓ ଲୁବ୍ରିକାଣ୍ଟର ଆମଦାନୀ ହ୍ରାସ ପାଇଛି।

– ଚୀନ ଓ ଆମେରିକା ସହିତ ଭାରତର ଯେଉଁ ବାଣିଜ୍ୟ କାରବାର ଥିଲା ସେ ସ୍ଥିତିରେ ଉନ୍ନତି ଘଟିଛି ଏବଂ ଭାରତର ଆମଦାନୀ ହ୍ରାସ ପାଇଛି।

– ସୁନା ମୂଲ୍ୟ

– ମହାମାରୀ ସମୟରେ ଆର୍ଥିକ ଅସ୍ଥିରତାକୁ ଦେଖି ଲୋକେ ଅଧିକରୁ ଅଧିକ ପରିମାଣର ସୁନା କିଣିବାରୁ ଏହାର ମୂଲ୍ୟ ଯଥେଷ୍ଟ ବଢିଛି।

– ସେହିଭଳି ଏହି ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଛି।

– ସରକାର ଖାଦ୍ୟ ପଦାର୍ଥର ମୂଲ୍ୟ ସ୍ଥିର ରଖିବା ପାଇଁ ପିଆଜ ରପ୍ତାନୀକୁ ନିଷିଦ୍ଧ କରିଛନ୍ତି। ଏହାର ଷ୍ଟକ ସୀମା ନିର୍ଦ୍ଧାରଣ କରାଯାଇଛି ଓ ଡାଲି ଆମଦାନୀ କ୍ଷେତ୍ରରେ ଥିବା କଟକଣାକୁ କୋହଳ କରାଯାଇଛି।

– କୃଷି ଓ ଖାଦ୍ୟ ପରିଚାଳନା

– ୨୦୧୯-୨୦ ଆର୍ଥିକ ବର୍ଷରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ କୃଷି କ୍ଷେତ୍ର ସ୍ଥିତିସ୍ଥାପକ ଗୁଣ ପ୍ରଦର୍ଶନ କରିଛି। ସ୍ଥିର ମୂଲ୍ୟସୂଚୀ ଅନୁସାରେ ୨୦୨୦-୨୧ରେ କୃଷିଷକ୍ଷତ୍ରର ଅଭିବୃଦ୍ଧି ହାର ୩.୪ ପ୍ରତିଶତ ହେବ ବୋଲି ହିସାବ କରାଯାଇଛି।

– ଭାରତର ଜିଭିଏରେ କୃଷି ଓ ତତ୍ସଂଲଗ୍ନ କ୍ଷେତ୍ରର ଅବଦାନ ଥିଲା ୧୭.୮ ଶତାଂଶ।

– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୫.୫ କୋଟି ଚାଷୀଙ୍କୁ ବର୍ଷୱାରୀଭିତ୍ତିରେ ସାମିଲ କରାଯାଇଛି ଓ ସେମାନଙ୍କୁ ୨୦୨୧ ଜାନୁୟାରୀ ୧୨ ସୁଦ୍ଧା ୯୦ ହଜାର କୋଟି ଟଙ୍କାର ବୀମାରାଶି ଦିଆଯାଇଛି।

– ବୀମାଭୁକ୍ତ ଚାଷୀଙ୍କୁ ଆଧାର ସଂଯୋଗ ବ୍ୟବସ୍ଥାରେ ତୁରନ୍ତ ୮୭୪୧.୩୦ କୋଟି ଟଙ୍କାର ବୀମାରାଶି ମିଳିଛି।

– ଲକ୍ଡାଉନ ସମୟରେ ଏହି ଅର୍ଥ ପ୍ରାୟ ୭୦ ଲକ୍ଷ ଚାଷୀ ପାଇଛନ୍ତି।

– ପିଏମ୍ କିଷାନ ଯୋଜନାରେ ଡିସେମ୍ବର ୨୦୨୦ ସୁଦ୍ଧା ସପ୍ତମ କିସ୍ତିରେ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କାର ସହାୟତା ସିଧାସଳଖ ଯୋଗାଇ ଦିଆଯାଇଛି; ଯାହା ସେମାନଙ୍କ ବ୍ୟାଙ୍କଖାତାରେ ଜମା ହୋଇଛି।

– ୨୦୧୯-୨୦ ଆର୍ଥିକ ବର୍ଷରେ ମାଛ ଉତ୍ପାଦନ ୧୪.୧୬ ନିୟୁତ ମେଟ୍ରିକ ଟନ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରାଯାଇଛି।

– ଦେଶର ଜାତୀୟ ଅର୍ଥନୀତିକୁ ଏହି କ୍ଷେତ୍ରର ଅବଦାନ ୨, ୧୨, ୯୧୫ କୋଟି ଟଙ୍କା ବା ଜିଭିଏର ୧.୨୪ ଶତାଂଶ।

– ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମଧ୍ୟ ଏହି ବର୍ଷ ୯.୯୯ ଶତାଂଶ ବାର୍ଷିକ ଅଭିବୃଦ୍ଧି ହାର ହାସଲ କରିଛି।

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦.୯୬ କୋଟି ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଏନ୍ଏଫ୍ଏସଏର ଆବଶ୍ୟକତା ବାହାରେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି; ଯାହାର ମୂଲ୍ୟ ୭୫ ହଜାର କୋଟି ଟଙ୍କା।

– ଆତ୍ମନିର୍ଭର ଭାରତ ପ୍ୟାକେଜରେ ୨୦୨୦ର ମେ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ମୁଣ୍ଡପିଛା ୫ କେଜି ଲେଖାଏଁ ଖାଦ୍ୟଶସ୍ୟ ଅତିରିକ୍ତଭାବେ ମାଗଣାରେ ଯୋଗାଇ ଦିଆଯାଇଛି; ଯାହାର ମୂଲ୍ୟ ୩୧୦୯ କୋଟି ଟଙ୍କା।

– ଶିଳ୍ପ ଓ ଭିତ୍ତିଭୂମି

– ନିମ୍ନଗାମୀ ହୋଇଥିବା ଅର୍ଥନୀତି ପୁଣି କ୍ରମଶଃ ଉତ୍ଥାନମୁଖୀ ହୋଇଛି।

– ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରକୁ ଯେଉଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ତାହା ଦେଶର ଜିଡିପିର ୧୫ ଶତାଂଶ ସହ ସମାନ।

– ବେପାର ବଣିଜକୁ ସୁଗମ କରିବା ପାଇଁ ଭାରତର ପ୍ର୍ରୟାସ ସଫଳ ହୋଇଛି।

– ୨୦୧୯ରେ ଇଜ୍ ଅଫ୍ ଡୁଇଂ ବିଜିନେସ୍ ତାଲିକାରେ ଭାରତ ୭୭ରୁ ଉପରକୁ ଉଠି ୬୩ରେ ପହଞ୍ଚିଛି।

– ସାମାଜିକ ଭିତ୍ତିଭୂମି, ନିଯୁକ୍ତି ଓ ମାନବ ବିକାଶ

– ୨୦୨୦-୨୧ବର୍ଷରେ ସାମାଜିକ କ୍ଷେତ୍ରରେ ଭାରତର ବ୍ୟୟ ପୂର୍ବବର୍ଷ ତୁଳନାରେ ବଢିଛି। ଏଚ୍ଡିଆଇ ୨୦୧୯ର ତାଲିକାରେ ଭାରତର ସ୍ଥାନ ୧୭୯ଟି ଦେଶ ମଧ୍ୟରେ ୧୩୧ରେ ରହିଛି।

– ଭାରତର ଜିଏନ୍ଆଇ ପର କେପିଟା; ଯାହା ୨୦୧୮ରେ ୬୪୨୭ ଡଲାର ଥିଲା ୨୦୧୯ରେ ତାହା ୬୬୮୧ ଡଲାରକୁ ବଢିଛି।

– ଜନ୍ମ ସମୟରେ ଶିଶୁମାନଙ୍କର ଯେଉଁ ପରମାୟୁ ଆକଳନ କରାଯାଉଥିଲା ସେଥିରେ ଉନ୍ନତି ଘଟିଛି। ୨୦୧୮ରେ ଏହା ୬୯.୪ ଥିବାବେଳେ ୨୦୧୯ରେ ଏହା ୬୯.୭କୁ ବୃଦ୍ଧି ପାଇଛି।

– ସେହିଭଳି ପାଠ ପଢିବା ଓ ପଢାଇବା କ୍ଷେତ୍ରରେ କମ୍ପ୍ୟୁଟର, ଲାପଟ୍ୟାପ ଓ ସ୍ମାର୍ଟଫୋନ ଆଦିର ବ୍ୟବହାର ବଢିଛି ଏବଂ ଡାଟା ନେଟୱାର୍କ ବୃଦ୍ଧି ପାଇଛି।

– ଅଧିକାଂଶ ଲୋକଶକ୍ତି ନିୟମିତ ମଜୁରି ବା ବେତନରେ ଏହି ସମୟରେ ସହରାଞ୍ଚଳରେ କାମ କରୁଥିଲେ।

– ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଏବଂ ଶ୍ରମ ଆଇନର ସଂଶୋଧନ କରି ୪ଟି ଶ୍ରମ ସଂହିତା ମାଧ୍ୟମରେ ସରକାର ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି।

– ମହିଳାମାନେ ଅଧିକାଂଶ ସମୟ ବିନା ରୋଜଗାରରେ ଘରେ କାମ କରୁଛନ୍ତି ଏବଂ ପରିବାରର ସେବା ଯତ୍ନରେ ସମୟ ବିତାଉଛନ୍ତି।

– ପୁରୁଷମାନଙ୍କ ତୁଳନାରେ ସେମାନେ ଅଧିକ ସମୟ ଏଥିପାଇଁ ଦେଉଛନ୍ତି ଏବଂ ସେଥିପାଇଁ ସେମାନଙ୍କୁ କୌଣସି ଅର୍ଥ ମିଳୁନାହିଁ।

– କର୍ମସ୍ଥଳୀରେ ମହିଳା କର୍ମଚାରୀଙ୍କ ପ୍ରତି ଥିବା ବାଛବିଚାର ନୀତିର ଅବସାନ ଘଟାଇବାର ଆବଶ୍ୟକତା ରହିଛି। ପୁରୁଷ ସହକର୍ମୀଙ୍କ ସହ ସମାନ ବେତନ, ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ଏବଂ ସର୍ବୋପରି ନିରାପତ୍ତା ସେମାନଙ୍କୁ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି।

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବୃଦ୍ଧ, ବିଧବା ଓ ଅକ୍ଷମ ହିତାଧିକାରୀମାନଙ୍କୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୧୦୦୦ ଟଙ୍କା ଲେଖାଏଁ ଗତବର୍ଷ ମାସିକ ଯୋଗାଇ ଦିଆଯାଇଛି।

– ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୩ ମାସ ପାଇଁ ୫୦୦ ଟଙ୍କା ଲେଖାଏଁ ସଂପୃକ୍ତ ହିତାଧିକାରୀମାନଙ୍କୁ ସରକାର ଯୋଗ।।ଇ ଦେଇଛନ୍ତି ଏବଂ ଏ ବାବଦରେ ମୋଟ ୨୦.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

– ଏହି ୩ ମାସ ମଧ୍ୟରେ ୮ କୋଟି ପରିବାରକୁ ମାଗଣାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି।

– ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ମଜୁରି ପରିମାଣକୁ ଏପ୍ରିଲ ୨୦୨୦ ପହିଲାରୁ ୨୦ ଟଙ୍କା ଲେଖାଏଁ ବଢାଇ ୨୦୨ ଟଙ୍କା କରାଯାଇଛି।

– କୋଭିଡ୍ ବିରୋଧରେ ସଂଗ୍ରାମ

– ଲକ୍ଡାଉନ ଭଳି ପ୍ରାରମ୍ଭିକ ପଦକ୍ଷେପ, ସାମାଜିକ ଦୂରତା ରକ୍ଷା, ଯାତ୍ରା କଟକଣା, ହାତଧୁଆର ଅଭ୍ୟାସ ଓ ମାସ୍କର ବ୍ୟବହାର ଫଳରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା।

– ଦେଶ ମଧ୍ୟ ଏ କ୍ଷେତ୍ରରେ ଅତ୍ୟାବଶ୍ୟକ ଔଷଧପତ୍ରରେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ଥିଲା। ଖୁବ୍ କମ ସମୟରେ ଭାରତ ଔଷଧପତ୍ର, ହ୍ୟାଣ୍ଡ ସାନିଟାଇଜର, ମାସ୍କ, ପିପିଇ କିଟ୍ସ, ଭେଣ୍ଟିଲେଟର୍ସ ଆଦି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହୋଇପାରିଲା। ଆବଶ୍ୟକତା ଅନୁସାରେ ଦେଶରେ କୋଭିଡ୍ ଟେଷ୍ଟିଂ ସେଣ୍ଟର ଓ କୋଭିଡ୍ ହସ୍ପିଟାଲ ସୃଷ୍ଟି କରିବାରେ ଦେଶ ସମର୍ଥ ହେଲା।

– ବିଶ୍ୱର ସର୍ବବୃହତ୍ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ ୧୬ ଜାନୁୟାରୀ ୨୦୨୧ରୁ ଦେଶରେ ଆରମ୍ଭ ହୋଇଛି। ଏଥିରେ ଦେଶରେ ତିଆରି ଦୁଇଟି ଟିକା ପ୍ରଦାନ କରାଯାଉଛି।