Odiapua.com

୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କୁ ସପ୍ତମ ବେତନ ଲାଗୁ ପାଇଁ ଦାବି

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନିଖିଳ ଓଡ଼ିଶା ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସପ୍ତମ ବେତନ ଲାଗୁ କରିବା ଦାବିରେ ସଂଘ ଦାବି କରିଛି। ଅଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳରେ ଥିବା ଏହି ବର୍ଗର ଅଧ୍ୟାପକ, କର୍ମଚାରୀମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଇଟାମାଟି ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୨ ଜାନୁଆରୀ ୧ତାରିଖ ସୁଦ୍ଧା ପୂର୍ଣ୍ଣ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବାକୁ ଥିବାବେଳେ ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ପୂର୍ଣ୍ଣ ଅନୁଦାନ ପାଉଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ସପ୍ତମ ବେତନରେ ସାମିଲ କରାଯାଇଛି। ମାତ୍ର ଗୋଟିଏ ଦିନର ବ୍ୟବଧାନ ପାଇଁ ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଏହି ପ୍ରକ୍ରିୟାରୁ ବଂଚିତ କରାଯାଇଛି। ଯାହାକି ଏହି ବର୍ଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମହଲରେ ନୈରାଶ୍ୟ ଖେଳିବା ସହିିତ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ୨୦୧୮ ଅନୁଦାନ ଆଇନକୁ ସପ୍ତମ ବେତନରେ ସାମିଲ କରାଯାଇନଥିବାରୁ ସଂଘର ଏପରି ବ୍ୟବସ୍ଥାକୁ ସମାଲୋଚନା କରିଛି। ଡିସେମ୍ବର ୩୧ ତାରିଖ ରାଜ୍ୟ କ୍ୟାବିନେଟ୍ ୨୦୧୭ ଅନୁଦାନ ପରିସରଭୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରିବାକୁ ଅନୁମମୋଦନ କରିଥିବାବେଳେ ସମସ୍ତ ଯୋଗ୍ୟତା ସତ୍ତ୍ୱେ ୨୦୧୮ଅନୁଦାନ ଆଇନକୁ ଏଥିରେ ସାମିଲ କରାଯାଇନଥିଲା। ସେଥିରେ ୪୩ ହଜାର ଶିକ୍ଷକ, ଅଧ୍ୟାପକ ଉପକୃତ ହୋଇଥିବାବେଳେ ଏହି ବର୍ଗର ଥିବା ଅଳ୍ପ ସଂଖ୍ୟକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବଂଚିତ ହୋଇଥିଲେ। ଯାହାକି ସମଗ୍ର ରାଜ୍ୟରେ ଏହାକୁ ନେଇ ଏକ ଅସନ୍ତୋଷର ଦାନା ବାନ୍ଧିଛି। ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ସାମିଲ କରି ୨୦୧୭-୧୮ ଅନୁଦାନ ନୀତିରେ ପାତର ଅନ୍ତର ନକରି ସମସ୍ତ ସୁବିଧା ସୁଯୋଗ ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ସଭାରେ ଅଧ୍ୟାପକ ପ୍ରଦୀପ କୁମାର ଆଚାର୍ଯ୍ୟ, ସୁରେଶ କୁମାର ମାଣ୍ଡୋଇ, ଦିଲ୍ଲୀପ କୁମାର ସଂଗ୍ରାମ ସିଂ, ଲକ୍ଷ୍ମୀକାନ୍ତ ଦାଶ, ମାନସ ରଂଜନ ପଟ୍ଟନାୟକ, ପବିତ୍ର କୁମାର ସେଠୀ, ଗୋଲକ ବିହାରୀ ନାୟକ ଓ ସତ୍ୟ ସୁନ୍ଦର ଦାଶ ପ୍ରମୁଖ ଯୋଗଦେଇ ନିଜ ନିଜ ମତାମତ ରଖିଥିଲେ।