ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠରେ ଚଳିତ ଶ୍ରାବଣୀଯାତ୍ରା ଆସନ୍ତା ୨୦ରୁ ଆରମ୍ଭ ହୋଇ ଦେଢ଼ମାସ ଯାଏଁ ଚାଲିବ। ଏହି ଅବସରରେ ପ୍ରତିଦିନ ଓ ରବିବାର , ସୋମବାରରେ ହଜାରହଜାର କାଉଡ଼ିଆ ଭକ୍ତଙ୍କର ଭିଡ଼ ଲାଗିବ ପୀଠରେ। ଏପରିକି ପୀଠକୁ ଆସୁଥିବା କାଉଡିଆ ମାନେ ବାବାଙ୍କ ପାଖରେ ଜଳଲାଗି ପୂର୍ବରୁ ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ପବିତ୍ର ଶିବଗଙ୍ଗା ପୁଷ୍କରିଣୀରେ ସ୍ନାନ ସ୍ୱରୂପ ବୁଡ଼ ପକାଇବା ସହ ଅଧିକାଂଶ କାଉଡ଼ିଆ ଭକ୍ତ ଜଳଭାର ଉଠାଇଥାନ୍ତି। ହେଲେ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ନାଁରେ ଦୀର୍ଘ ୨ମାସରୁ ଉର୍ଦ୍ଧ ହେବ ପାଣି ଶୁଖାଇ ଦିଆଯାଇଥିଲେ ମଧ୍ୟ କୌଣସି କାମ ହୋଇ ପାରିନାହିଁ, ଅନ୍ୟପଟେ ପୀଠରେ ବୈତରଣୀ ଓ ସାଳନ୍ଦୀ ନଦୀ ରହିଥିଲେ ମଧ୍ୟ ନଦୀ ଦ୍ୱୟରେ ହିଂସ୍ର କୁମ୍ଭୀର ଥିବାରୁ ନଦୀରେ ସ୍ନାନ ଓ ବୁଡ଼ ପକାଇବା ସହ ପାଣି ଭାର ଉଠାଇବା ଉପରେ ଉଭୟ ୍ୱନଖଣ୍ଡ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସବୁଠାରୁ ବଡ଼କଥା ହେଲା ବର୍ଷାଋତୁରେ ନଦୀଦ୍ୱୟ ନିକଟରେ ଥିବା ଧାମରା ମୁହାଣ ସମୁଦ୍ରର ଜୁଆରପାଣି ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟାପଣିରେ ଉଛୁଳା ରହିବା ସହ ଅଧିକ ସଂଖ୍ୟକ ହିଂସ୍ର କୁମ୍ଭୀର ଯାତାୟତ କରିବାରେ ନଜିର ରହିଛି । ହେଲେ ଏପଟେ ପବିତ୍ର ଶିବ ଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେଉଁ ପ୍ରଣାଳୀର ହେବ କେତେଟଙ୍କା ବ୍ୟୟ ଅଟକଳ କରାଯାଇଛି। କେବେ କାମ ଆରମ୍ଭ ହୋଇ କେବେ କାମ ଶେଷ ହେବ। ତାହାର ସୂଚନା କିମ୍ବା ଫଳକ ଲଗାଯାଇ ନାହିଁ । ଏପରିକି କାର୍ଯ୍ୟଭାର ନେଇଥିବା ଜିଲା ରାସ୍ତା ଓ କୋଠା ବିଭାଗର ଅଧିକାରୀ ଓ ଠିକାଦାରଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଏବେ ପବିତ୍ର ପୁଷ୍କରିଣୀ ଲଘୁଚାପ ପ୍ରଭାବ ଜନିତ ଲଗାଣ ବର୍ଷାପାଣି ଓ ଅଳିଆ ଆବର୍ଜନାରେ ନର୍ଦ୍ଦମାକୁଣ୍ଡରେ ପରିଣତ ହୋଇଛି। ପୁଷ୍କରିଣୀ ଶୁଖାଇ ହେବାର ଖରାଦିନ ୨ମାସ ଗଲା ଯେଉଁଠି କିଛି କାମ ହେବା ତ ଦୂରର କଥା ଠିକାଦାର ଇଟା ଖଣ୍ଡେ ପକାଇ ପାରିଲା ନାହିଁ, ଏବେ ଓ ଆଗକୁ ବର୍ଷାଋତୁ ଥିବାରୁ କିପରି କାମ ହେବ ତାହା ସ୍ଥାନୀୟ ବୁଦ୍ଧିଜୀବି ଓ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି। ଫଳରେ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ଖରାଦିନେ ପାଣି ବିନା ଡହଳବିକଳ ହୋଇଥିବା ବେଳେ ଏବେ ଶ୍ରା୍ୱଣୀଯାତ୍ରାରେ ସ୍ନାନ ଓ ପାଣିଭାର ଉଠାଇବା ପାଇଁ ନାନା ହରକତ ହେବାର ସମ୍ଭାବନା ଦେଖା ଦେଇଛି। ଏଥିପ୍ରତି ଶ୍ରାବଣୀ ଯାତ୍ରାର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଦୃଷ୍ଟି ଦେବା ସହ ଶ୍ରାବଣୀ ଯାତ୍ରା ପାଇଁ ପୁଷ୍କରିଣୀରେ ଜଳ ଭରିବାକୁ ମନ୍ଦିରର ସେବାୟତ ଦାବି କରିଛନ୍ତି।