Odiapua.com

୨ଲକ୍ଷ ଟଙ୍କାର ଦେଶୀ ମଦ ଜବତ୍‌, ୬ ଗିରଫ

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨ମାସ ଧରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ାଉକୁ ଜୋରଦାର କରାଯାଇଛି । ଏହିକ୍ରମରେ ଅବକାରୀ ବିଭାଗର ଅଧିକ୍ଷକ ଗୌତମ ସାହୁଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ କ୍ଷିତିଶ ଦାସ, ଭ୍ରାମ୍ୟମାଣ ସ୍କାଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ବ୍ୟାପକ ଚଢ଼ାଉ କରାଯାଇଥିଲା । ବିଭାଗୀୟ ସୂଚନା ଅନୁଯାୟୀ ବାସୁଦେବପୁର ଜଗନ୍ନାଥପୁର ଛକ ଠାରେ ବାକିରେ ଦେଶୀ ମଦ ନେଇ ଯାଉଥିବା ଦୁଇ ବାଇକ ଆରୋହୀଙ୍କ ଠାରୁ ୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ସେମାନଙ୍କ ବାଇକ ଜବତ୍ କରାଯାଇଛି । ଦୁଇ ବାଇକ ଆରୋହୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିଭଳି ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ସହ ୨ଶହ ଲିଟର ଦେଶୀ ମଦ ଜବତ୍ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ମଦ ସହ ଜବତ ସମାଗ୍ରୀର ମୂଲ୍ୟ ଆନୁମାନିକ ୨ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଚଢ଼ାଉରେ ଏଏସଆଇ ଭବେଶ ଦାସ, ପ୍ରହଲାଦ ସାମଲ, କନେଷ୍ଟବଲ, ପ୍ରଦୀପ ମଲ୍ଲିକ, ଶିବପ୍ରସାଦ ସାହୁ, ପରେଶ ଟୁଡୁ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣୀ ଜାମୁଦା ପ୍ରମୁଖ ସାମିଲ ଥିଲେ ।