Odiapua.com

୨ବର୍ଷ ଧରି ଚାଲିଛି ସହରର ୬ ପ୍ରମୁଖ ରାସ୍ତାର ନିର୍ମାଣ କାର୍ଯ୍ୟ -ମନ୍ଥର କାର୍ଯ୍ୟକୁ ନେଇ ସାଧାରଣରେ ବଢ଼ୁଛି ଅସନ୍ତୋଷ -ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ପୂର୍ତ୍ତ ବିଭାଗର ସୂଚନା

ବାଲେଶ୍ୱର, ୨୫ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସହରର ବିଭିନ୍ନ ରାସ୍ତାର ଅଧପନ୍ତରିଆ କାର୍ଯ୍ୟକୁ ନେଇ ଏବେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ରାସ୍ତା ମରାମତି ହେଉ କିମ୍ବା ନବୀକରଣ, ସବୁ ସ୍ଥାନରେ କିଛି କଛି ନିର୍ମାଣ ପରେ ରାସ୍ତାଘାଟରେ ସାମଗ୍ରୀ ପଡ଼ି ରହିଥିବା ଲକ୍ଷ୍ୟ କରାଯାଇଛି। ତେବେ ୨୦୧୮ ମସିହା ଶେଷ ଭାଗରେ ୩୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅନୁଦାନ ମଞ୍ଚୁର ସହ ୨୦୧୯ ମସିହାର ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ବାଲେଶ୍ୱର ସହରର ପ୍ରମୁଖ ୬ଗୋଟି ରାସ୍ତାର ମନ୍ଥର ନିର୍ମାଣ କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜିମାବାଦରୁ ମଲ୍ଲିକାଶପୁର ଶାନ୍ତିକାନନ ରାସ୍ତା, ଦେୱାନୀପାଟଣାରୁ ପାତ୍ରପଡ଼ା ଭାୟା କନକଦୁର୍ଗା ମନ୍ଦିର, ଓଟିରୋଡ଼୍‌ରୁ ଶୋଭାରାମପୁର ଦେଇ ସୂରଚ ହୋଟେଲ ଛକ, ଚିଡ଼ିଆ ପୋଲରୁ ଦର୍ଜିଖୋରୀ ଛକ ଭାୟା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟ, ବୈରରାମନଗର ଛକରୁ କାଦ୍ରି ମସଜିଦ୍ ଛକ ଓ ଗଡ଼ଗଡ଼ିଆରୁ ପୁରୁଣାବାଲେଶ୍ୱର ପର୍ଯ୍ୟନ୍ତ ୬ ଗୋଟି ରାସ୍ତାର ନିର୍ମାଣ କାର୍ଯ୍ୟ ଦୀର୍ଘ ୨ ବର୍ଷ ଧରି ଜାରି ରହିଛି। ଅଧିକାଂଶ ରାସ୍ତାର କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। କେଉଁଠି ରାସ୍ତା କାର୍ଯ୍ୟ ଅଧା ହୋଇଛି ତ ପୁଣି କେଉଁଠି ଡ୍ରେନ୍ କାର୍ଯ୍ୟ। ମାତ୍ର ସବୁ ରାସ୍ତାରେ ଅଧପନ୍ତରିଆ ଅବସ୍ଥାରେ ନିର୍ମାଣ ସାମଗ୍ରୀ ପଡ଼ି ରହିଛି। ଏମିତିକି ଏହି ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ପଡ଼ି ରହିବା ଫଳରେ ଲୋକେ ଯାତାୟତ କରିବାରେ ନାନା ସମସ୍ୟା ଭୋଗୁଛନ୍ତି। ଫଳରେ ଅଧିକାଂଶ ସମୟରେ ଏହି ସବୁ ରାସ୍ତାରେ ଟ୍ରାଫିକ୍ ଜାମ ହେଉଛି। ୬ ଗୋଟି ଯାକ ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଚାଲିଛି। ଏନେଇ ପୂର୍ବରୁ ପୂର୍ତ୍ତ ବିଭାଗ ନିକଟରେ ଲୋକେ ବହୁବାର ଆପତ୍ତି କରିଥିଲେ ବି କେବଳ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା କେତେକ ସେଚେତନ ବ୍ୟକ୍ତି ଆରୋପ କରିଛନ୍ତି। ବିଭାଗୀୟ ଉଦାସୀନତା ଯୋଗୁଁ ଆଗାମୀ ଦିନରେ ପୁଣି ଏକ ଜନ ଆନ୍ଦୋଳନ ଦେଖାଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଲେଣି। ତେବେ ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ବିଳମ୍ବିତ କାର୍ଯ୍ୟର ବିଭିନ୍ନ କାରଣ ସମ୍ପର୍କରେ ସେ ପ୍ରକାଶ କରିଥିଲେ। ବିଶେଷ କରି ଗତ ସାଧାରଣ ନିର୍ବାଚନୀ ମାହଲ, ଫନି ବାତ୍ୟା, ଠିକାଦାରଙ୍କ ଆନ୍ଦୋଳନ, ସ୍ଥାନୀୟ ଲୋକଙ୍କ ଜବରଦଖଲ ଉଚ୍ଛେଦ ଜନିତ ସମସ୍ୟା ଓ ଗତ ୩ ମାସଧରି କରୋନା ସ୍ଥିତିର ଲକ୍‌ଡାଉନ ଏବଂ ସଟଡାଉନ୍ ପ୍ରଭୃତି କାରଣ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହୋଇଥିବା ଇଂ ମହାନ୍ତି କହିଥିଲେ। ସମ୍ପ୍ରତି କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଆସନ୍ତା ଦୁର୍ଗାପୂଜା ପରେ ଅର୍ଥାତ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବା ନେଇ ସେ ଆଶା ପ୍ରକାଶ କରିଛନ୍ତି।