ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ପ୍ରଭାବରେ ଗତ ୨ଦିନ ଧରି ଲଗାଣ ବର୍ଷାରେ ଜଳମଗ୍ନ ହୋଇପଡିଛି ଆରଡିପୀଠର ମୁଖ୍ୟ ବଜାର ରାସ୍ତା ସହ, ବାଇପାସ ରାସ୍ତା , ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପରିସର। ଗତମାସ ମନ୍ଦିର ପରିକ୍ରମା ମାର୍ଗର କାର୍ଯ୍ୟ ନିମନ୍ତେ ଉଛେଦ ହୋଇଥିବା ବଡ଼ବଡ଼ କୋଠା ଘରର ଇଟା, ବାଲି ଆଦି ଗଦା ହୋଇ ରହିଥିବା ବେଳେ ଅନେକ ସ୍ଥାନରେ ମୁଖ୍ୟ ଡ୍ରେନ୍ ଭିତରେ ପଡି ରହିଥିବାରୁ ବର୍ଷାପାଣି ଠିକ ଭାବରେ ନିଷ୍କାସନ ନହେବା ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ବାବାଙ୍କ ମନ୍ଦିର ବେଢ଼ାରେ ଲହଡ଼ି ମାରୁଛି ଡ୍ରେନ୍ ପାଣି। ଯାହାକୁ ନେଇ ତିବ୍ର ନିନ୍ଦା କରିଛନ୍ତି ମନ୍ଦିରର ସେବାୟତ ଓ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ। ଅନ୍ୟପଟେ ଗତ ଶୁକ୍ରବାର ଠାରୁ ଶନିବାର ସଂଧ୍ୟା ଯାଏଁ ଦୀର୍ଘ ଘଂଟା ଧରି ବିଦ୍ୟୁତ୍ କାଟ ଯୋଗୁଁ ଆରଡି ପୀଠ ସମେତ ୩୦ଖଣ୍ଡ ଗାଁ ଅନ୍ଧାରରେ ରହିବା ସହ ଉଠା ଜଳ ପ୍ରକଳ୍ପ ଅଚଳ ସୋଇପଡ଼ିଛି। ଫଳରେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକମାନେ ଶୌଚ ଓ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଘଟଣା ସର୍ମ୍ପକରେ ଜିଲା ଓ ମନ୍ଦିର ପ୍ରଶାସନକୁ ଯୋଗାଯୋଗ କରିବାରୁ ଯେଉଁ ସ୍ଥାନରେ ଡ୍ରେନ୍ ଗୁଡ଼ିକ ଅକାମୀ ହୋଇପଡିଛି ତାର ସମାଧାନ ପାଇଁ ଦାୟୀତ୍ୱରେ ଥିବା ଜିଲା କୋଠା ଓ ଗୃହ ନିର୍ମାଣ ବିଭାଗକୁ ଜଣାଯାଇଛି। ବର୍ଷା ଛାଡିବା ପରେ ସେଗୁଡିକର ମରାମତି ହୋଇଯିବ।