Odiapua.com

୨ଟି ବଣୁଆ ହାତୀଙ୍କ ମୃତଦେହ ଠାବ, ମୃତ ଅଣ୍ଡିରା ହାତୀର ଦାନ୍ତ ଚୋରି, ବନବିଭାଗର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ

କେନ୍ଦୁଝର, ତା ୧୪ ଜୁନ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ପୁଣି କେନ୍ଦୁଝର ଜିଲ୍ଲାରେ ସଙ୍କଟରେ ଗଜରାଜ । ଚମ୍ପୁଆ ରେଞ୍ଜ୍ ଯୋଡ଼ା, ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ଆଜି ୨ଟି ହାତୀର ମୃତଦେହ ଠାବ କରାଯାଇଛି । ଖବର ଅନୁଯାୟୀ ଆଜି ଅପରାହ୍ନ ସମୟରେ ବନବିଭାଗର ପେଟ୍ରୋଲିଂ ଟିମ୍ ଏହି ୨ଟି ହାତୀଙ୍କ ମୃତଦେହକୁ ପ୍ରଥମେ ଦେଖିବାକୁ ପାଇଥିଲେ । ମୃତ ହାତୀ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଅନ୍ୟଟି ମାଈହାତୀ ଥିବା ବନବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ଅଣ୍ଡିରା ହାତୀର ଦାନ୍ତ ଗାଏବ ହୋଇଥିବା ସହ ହାତୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ମୃତ ଉଭୟ ହାତୀଙ୍କ ବୟସ ପାଖାପାଖି ୨୦ରୁ ୨୨ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଅଣ୍ଡିରା ହାତୀର ଶୁଣ୍ଢରେ ଏକ କ୍ଷତ ଚିହ୍ନ ରହିଛି । ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ମୃତ ହାତୀଙ୍କୁ ଜଗି ରହିଥିବା ବେଳେ, ସନ୍ଧ୍ୟାରେ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀ ଓ ଚମ୍ପୁଆ ରେଞ୍ଜର ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏନେଇ ଡିଏଫଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆସନ୍ତା କାଲି ଉଭୟ ମୃତହାତୀଙ୍କ ବ୍ୟବଚ୍ଛେଦ କାରାଯିବ, ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ହାତୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଚମ୍ପୁଆ ରେଞ୍ଜର ବାଲିବନ୍ଧ, ଯୋଡ଼ା ଓ ବାମେବାରୀ ସେକ୍ସନରେ ଏକ ୧୯ ଟିକିଆ ହାତୀପଲ ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିଲେ । ତେବେ ଗତ ୨୪ ତାରିଖରେ ଚମକପୁର ଗାଁରେ ଗୋଟିଏ ହାତୀର ମୃତଦେହ ମିଳିଥିଲା । ଦିନକୁ ଦିନ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ବଢ଼ିବାରେ ଲାଗିଛି । କେତେବେଳେ ହାତୀ ଆକ୍ରମଣର ଶୀକାର ହୋଇ ମଣିଷଙ୍କ ମୃତ୍ୟୁ ଘଟୁଥିବା ବେଳେ କେତେବେଳେ ମଣିଷ ହାତୀଙ୍କ ପାଇଁ ଜମ ପାଲଟିଯାଉଛି । ଶୀକାରୀଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନାହାନ୍ତି ଏହି ବିରାଟକାୟ ପ୍ରାଣୀ ବା ବନ୍ୟଜନ୍ତୁ । ହାତୀ ପଲଙ୍କ ଗତିବିଧି ଉପରେ ବନବିଭାଗର ତିକ୍ଷଣ୍ ନଜର ରହିଥିବା ବେଳେ କେମିତି ଏହି ୨ଟି ହାତୀର ମୃତ୍ୟୁ ଘଟିଲା ଓ କିପରି ହାତୀଙ୍କ ଦାନ୍ତ ଚୋରି ହେଲା ତାହାକୁ ନେଇ ବନବିଭାଗର ପାରିବା ପଣିଆ ଉପରେ ଉଠିଛି ବଡ଼ ପ୍ରଶ୍ନ ।