Odiapua.com

୨ଟି ପରିବାରର ୭ଜଣ ଅନାଥ ଶିଶୁ ଉଦ୍ଧାର

ଯୋଡା, ୨୬- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ଅନ୍ତର୍ଗତ ବଲାଣୀ ଅଞ୍ଚଳରୁ ୫ଜଣ ଏବଂ ଯୋଡା ପୌରପାଳିକାର ବାଂଶପାଣି ଅଞ୍ଚଳରୁ ୨ଜଣ ଶିଶୁକୁ ଶୁକ୍ରବାର ପୂର୍ବାହ୍ନରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଚାଇଲ୍ଡ ଲାଇନ ସହାୟତାରେ ଉଦ୍ଧାର କରି ଜିଲ୍ଲାପାଳଙ୍କ ସହାୟତାରେ ଅନାଥ ଶିଶୁଙ୍କୁ ଭବିଶ୍ୟତ ଓ ସାମାଜିକ ସୁରକ୍ଷା ଅଧିକାର ଯୋଗାଦେବାକୁ ସି.ଡବ୍ଲୁ. ସି. ନିକଟକୁ ପଠାଇଦେଇଥିବା ଜଣାପଡିଛି । ଏହି ୭ ଜଣ ଶିଶୁ ୨ଟି ପରିବାରର ବୋଲି ଜଣାପଡିଛି । ବଲାଣୀରୁ ଉଦ୍ଧାର କରାଯାଇଥିବା ୫ଜଣ ଶିଶୁ ଗୋଟିଏ ପରିବାରର ହୋଇଥିବା ବେଳେ ବର୍ଷେ ପୂର୍ବେ ସେମାନଙ୍କ ପିତା ବାଗୁନ ପିଙ୍ଗୁଆ ଟିଭି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ବାପାଙ୍କ ମୃତ୍ୟୁ ପରେ ମା ସୀମା ପିଙ୍ଗୁଆଙ୍କ ଉପରେ ପରିବାର ବୋଝ ପଡିଥିଲା । ତେବେ ଗତ ରଜ ସଂକ୍ରାନ୍ତିରେ ତାଙ୍କର ମା’ଙ୍କର ମଧ୍ୟ କୌଣସି ରୋଗରେ ପୀଡିତ ହୋଇ ମୃତ୍ୟୁ ଘଟିଥିଲା । ଫଳରେ ୫ଜଣ ପିଲା ଅନାଥ ହୋଇ ପଡୋଶୀମାନଙ୍କ ଦୟାରେ ପ୍ରତିପାଳିତ ହେଉଥିଲେ । ସୀମା ପିଙ୍ଗୁଆଙ୍କ ମୃତ୍ୟୁ ପରେ ଖବର ପାଇ ବଡବିଲ ତହସିଲଦାର ତୁରନ୍ତ ସେମାନଙ୍କୁ ୧୦ ହଜାର ଟଙ୍କାର ସରକାରୀ ସହାୟତା ଯୋଗାଇଦେଇଥିଲେ । ବାଲଣୀରୁ ଉଦ୍ଧାର ୫ ଶିଶୁ ହେଲେ ଲକ୍ଷ୍ମୀ ପିଙ୍ଗୁଆ (୧୬), ପଲ୍ଲବୀ ପିଙ୍ଗୁଆ (୧୩), ଯାତ୍ରୀ ପିଙ୍ଗୁଆ (୧୧), ପୁଅ ରାମ ପିଙ୍ଗୁଆ (୯), ରଶ୍ମି ପିଙ୍ଗୁଆ (୪) । ସେହିପରି ଅନ୍ୟ ଏକ ଘଟଣାରେ ଯୋଡା ପୌରପାଳିକା ବାଂଶପାଣି ଅଞ୍ଚଳରୁ ଉଦ୍ଧାର ୨ଶିଶୁ ମଧ୍ୟ ଗୋଟିଏ ପରିବାରର । ସେମାନେ ହେଲେ ଲଭଲି ଓରାମ (୮) ଓ ମମତା ଓରାମ (୬) । ଏମାନଙ୍କ ଜନ୍ମ ପରେ ବାପା ମୃତ୍ୟୁବରଣ କରିଥିବା ବେଳେ ମା ଶଶି ଓରାମ ମଧ୍ୟ ଗତ ୪ମାସ ତଳେ ମୃତ୍ୟୁବରଣ କରିଥିଲେ । ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇ ସି.ଡବ୍ଲୁ.ସି.କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।