Odiapua.com

୧.୩୧ ଲକ୍ଷ କୋଟି ବ୍ୟୟରେ ପିଏମ୍ ପୋଷଣ ଯୋଜନାରେ ୧୧.୨୦ ଲକ୍ଷ ସ୍କୁଲର ୧୧.୮୦ କୋଟି ଛାତ୍ରଛାତ୍ରୀ ହେବେ ଉପକୃତ – ଧର୍ମେନ୍ଦ୍ର ପ୍ରଧାନ

ପିଏମ୍ ପୋଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

– ପିଲାଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
– ଆଗାମୀ ୫ ବର୍ଷ ପାଇଁ ପିଏମ ପୋଷଣ ଯୋଜନା କାର୍ଯ୍ୟକାରୀ ହେବ
– ଆଗାମୀ ଦିନରେ ଏହି ଯୋଜନା ଜନଆନ୍ଦୋଳନରେ ପରିଣତ ହେବ
– ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିରୋ ହଙ୍ଗର ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୯ (ଓଡ଼ିଆ ପୁଅ) – ପୋଷଣର ବିକାଶ, ଶିକ୍ଷା ତଥା ପାଠପଢ଼ାକୁ ପ୍ରୋତ୍ସାହନ, ବିଦ୍ୟାଳୟରେ ନାମଲେଖା ବୃଦ୍ଧି, ପିଲାଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୫ ବର୍ଷ ପାଇଁ ୧, ୩୧, ୦୦୦ କୋଟି ଟଙ୍କା ବ୍ୟୟବରାଦରେ ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା(ପିଏମ ପୋଷଣ)କୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ପୋଷଣଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେଉଥିବା ବେଳେ କ୍ୟାବିନେଟ ମଞ୍ଜୁରୀପ୍ରାପ୍ତ ଏହି ଯୋଜନା ଆଗାମୀ ଦିନରେ ଜନଆନ୍ଦୋଳନରେ ପରିଣତ ହେବ। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିରୋ ହଙ୍ଗର ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୋଷଣ ପାଇଁ ଭାରତ ସରକାର ଖାଦ୍ୟାନ୍ନର ମୂଲ୍ୟ ସହ ୯୯, ୦୬୧.୭୩ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ତିଥି ଭୋଜନ, ସୋସିଆଲ ଅଡ଼ିଟ, ବିଦ୍ୟାଳୟରେ ପୃଷ୍ଟିକର ଉଦ୍ୟାନ ଭଳି ଅନେକ ପଦକ୍ଷେପ ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତାରେ ସହାୟକ ହେବ ଓ ପାଠପଢ଼ା ଏବଂ ପୋଷଣକୁ ମଧ୍ୟ ଗତି ଦେବ।

ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ବାଲବାଟିକା ଶିଶୁଙ୍କ ସହ ଦେଶର ସରକାରୀ ଏବଂ ସରକାର ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡ଼ିକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯିବ। ଦେଶର ୧୧.୨୦ ଲକ୍ଷ ସ୍କୁଲରେ ପାଠ ପଢ଼ୁଥିବା ୧୧.୮୦ କୋଟି ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ। ଏହି ଯୋଜନାରେ ଡିବିଟି ମାଧ୍ୟମରେ ସ୍କୁଲକୁ ସିଧାସଳଖ ଟଙ୍କା ପହଁଚାଇବାରେ ବ୍ୟବସ୍ଥା କରାଯାଇଛି। ଭୋକାଲ ଫର୍ ଲୋକାଲକୁ ସହଯୋଗ ଓ ଆତ୍ମନିର୍ଭର ଭାରତ ଅଭିଯାନର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏଫପିଓ ଏବଂ ମହିଳା ଏସଏଚଜିଙ୍କୁ ଯୋଡ଼ିବ। ପ୍ରଧାନମନ୍ତ୍ରୀ ଜିରୋ ହଙ୍ଗର ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ନିରନ୍ତର ସହଯୋଗ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।