Odiapua.com

୧ କୋଟିର ଥୋପ ପକାଇ ନେଇଗଲେ ୨୦ ଲକ୍ଷ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ବିଜେପି ନେତା

ଭଦ୍ରକ, ୧୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ୧ କୋଟିର ଲୋଭ ଦେଖାଇ ଠକିନେଲେ ୨୦ ଲକ୍ଷ । ଠକେଇର ଶୀକାର ହୋଇଛନ୍ତି ବିଜେପି ନେତା ସୁଧାଂଶୁ ଶେଖର ନାୟକ । ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି । ମଇ ମାସ ୨୮ ତାରିଖରେ ଭୁବନେଶ୍ୱରର ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ନେଇ ତାଙ୍କ ଘରକୁ ଆସିଥିଲେ । ମହିଳା ଜଣକ ନିଜକୁ ପ୍ରଶଂସକର ପରିଚୟ ଦେଇ ଫାଇନାନ୍ସରଙ୍କ ମାଧ୍ୟମରେ କୋଟିଏ ଟଙ୍କା ସାହାଯ୍ୟ କରିପାରିବେ ବୋଲି କହିଥିଲେ । ଏଥିସହିତ ଯୋଗେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଟଙ୍କା ଦେବାକୁ କହିଥିଲେ । ଯୋଗେନ୍ଦ୍ରଙ୍କ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲେ । ସୁଧାଂଶୁ ୨ ଦିନ ପରେ ଯୋଗେନ୍ଦ୍ରଙ୍କୁ ଫୋନ୍ କରିଥିଲେ । ତୁମେ ବିଳମ୍ବ କରିଦେଲ, ସାହାଯ୍ୟ କରିବାକୁ ଚେଷ୍ଟା କରିବି କହି ଫୋନ୍ କାଟିଦେଇଥିଲେ ଯୋଗେନ୍ଦ୍ର । ତା ପରଦିନ ମହିଳା ଜଣକ ସୁଧାଂଶୁଙ୍କୁ ଫୋନ୍ କରି ତୁରନ୍ତ ୨ଟି ଆକାଉଂଟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା ପରେ ତୁମକୁ ଦିନ ୨ଟା ସୁଦ୍ଧା ୧ କୋଟି ଟଙ୍କା ମିଳିଯିବ ବୋଲି କହିଥିଲେ । ଏଥିସହ ୨ଟି ଆକାଉଂଟ ନମ୍ବର ମଧ୍ୟ ପଠାଇଥିଲେ । ନିର୍ବାଚନ ବ୍ୟସ୍ତତା ମଧ୍ୟରେ କିଛି ନଭାବି ମହିଳାଙ୍କ ୨ଟି ଆକାଉଂଟରେ ୨୦ ଲକ୍ଷ ଟଙ୍କା ଜମା କରିଥିଲେ ସୁଧାଂଶୁ । ଏହାପରେ ୧ କୋଟି ଟଙ୍କା ପଠାଇବା ଦୂର କଥା ମହିଳା ଜଣକ ଚତୁରତାର ସହ ହ୍ୱାଟ୍ସ ଆପ୍‌ରୁ ମେସେଜ୍ ଡିଲିଟ୍ କରି ନମ୍ବରକୁ ବ୍ଲକ୍ କରିଦେଇଥିଲେ । ଠକେଇର ଶୀକାର ହୋଇଥିବା ଜାଣିବା ପରେ ସୁଧାଂଶୁ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସଂପର୍କରେ ସୁଧାଂଶୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।